କୃଷି ନୀତି-୨୦୨୦କୁ ମୋହର, ଉତ୍ତମ ସେବା ପାଇଁ ଆଗୁଆ ପଦୋନ୍ନତି

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏଣିକି ଅଣପାରମ୍ପରିକ ଚାଷକୁ ଗୁରୁତ୍ବ ଦିଆଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହାକୁ କୃଷି ନୀତି-୨୦୨୦ରେ ସାମିଲ କରାଯାଇଛି। ଚାଷୀର ଆ‌ୟରେ ନିରନ୍ତର ଅଭିବୃଦ୍ଧି ଲକ୍ଷ୍ୟରେ ସରକାର ଆଣିଛନ୍ତି ଏହି ନୂଆ କୃଷି ନୀତି-୨୦୨୦ ବା ‘ସମୃଦ୍ଧି’। ଆଧୁନିକ ବୈଷୟିକ ଜ୍ଞାନୌଶଳ ଉପଯୋଗ ସହିତ ବଜାର ସହାୟତା ଯୋଗାଇ ଚାଷୀର ଆୟକୁ ଦୁଇଗୁଣା ବୃଦ୍ଧି କରିବା ହେଉଛି ସରକାରଙ୍କର ନୂଆ କୃଷି ନୀତିର ଲକ୍ଷ୍ୟ।

ଆଜିର କ୍ୟାବିନେଟ ବୈଠକରେ କୃଷି ନୀତି ସମେତ ଆହୁରି ୭ଟି ପ୍ରସ୍ତାକୁ ମଞ୍ଜୁରି ମିଳିଛି। ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ଉତ୍ତମ ସେବା ପାଇଁ ଅଗ୍ରାଧିକାର ଭିତ୍ତିରେ ମିଳିବ ପଦୋନ୍ନତି। ରାଜସ୍ବ ନିରୀକ୍ଷକ, ସହ-ରାଜସ୍ବ ନିରୀକ୍ଷକ ଓ ଅମିନଙ୍କୁ ପ୍ରତିଯୋଗିତା ପରୀକ୍ଷା ଆଧାରରେ ଚୟନ କରାଯିବ। ସବଅର୍ଡ଼ିନେଟ୍ ଷ୍ଟାଫ୍ ସିଲେକସନ୍ କମିସନ ଏହି ପରୀକ୍ଷା ପରିଚାଳନା କରିବେ। ସେହିଭଳି ୬୦୬ଜଣ ସରକାରୀ ଡିଗ୍ରି କଲେଜ ଅଧ୍ୟାପକ ନିଯୁକ୍ତି ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସ ସୀମାକୁ କୋହଳ କରି ୩୩ ବର୍ଷ ବୟସରୁ ୪୮ ବର୍ଷକୁ ବୃଦ୍ଧି କରାଯାଇଛି। ତେବେ ମୁଖ୍ୟତଃ ତିନିଟି ମୌଳିକ ବିନ୍ଦୁକୁ ଆଧାର କରି ନୂତନ କୃଷି ନୀତି-୨୦୨୦ ପ୍ରସ୍ତୁତ କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଲେ ଯେ ରାଜ୍ୟରେ ଚାଷୀମାନଙ୍କ ଆୟରେ ନିରନ୍ତର ଅଭିବୃଦ୍ଧି ପାଇଁ ଧାନ ଉତ୍ପାଦନ ବୃଦ୍ଧି କରାଯିବ। ଏହା ସହିତ ଧାନ ଚାଷ ବ୍ୟତୀତ ଅନ୍ୟ ବହୁବିଧ ଉଚ୍ଚ ମୂଲ୍ୟଯୁକ୍ତ କୃଷିକୁ ଗୁରୁତ୍ବ ଦିଆଯିବ। ରବି ଋତୁରେ ଡାଲି ଓ ଡାଲି ଜାତୀୟ ଫସଲକୁ ଅଧିକ ପ୍ରୋତ୍ସାହନ ଦିଆଯିବ। କୃଷି ଉତ୍ପାଦନର ଉଚିତ୍ ମୂଲ୍ୟ ପାଇବା ପାଇଁ ବଜାର ସଂଯୋଗୀକରଣ କରିବାକୁ ନୂତନ କୃଷି ନୀତିରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଇ-ନାମ୍ ବ୍ୟବସ୍ଥାକୁ ଅଧିକ ପ୍ରସାରିତ କରାଯିବା ସହ ଅଧିକରୁ ଅଧିକ ଚାଷୀ ସଂଗଠନ (ଏଫପିଓ) ଗଠନ କରାଯିବ। ଉତ୍ପାଦିତ କୃଷି ସାମଗ୍ରୀର ବର୍ଗୀକରଣ, ପ୍ରକ୍ରିୟାକରଣ ସହିତ ପନିପରିବା, ଫଳ, ଦୁଗ୍ଧ ଓ ମାଂସ ଦରଦାମରେ ଶୃଙ୍ଖଳା ରକ୍ଷା କରିବା ପାଇଁ ନୂତନ କୃଷି ନୀତିରେ ବ୍ୟବସ୍ଥା କରାଯାଇଛି। ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ରାଜ୍ୟ ତଥା ଦେଶର ତ୍ବରିତ୍ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରାଯିବ। ବିଭିନ୍ନ ଚାଷ କାର୍ଯ୍ୟ ପାଇଁ ଗତ ୧୦ ବର୍ଷର ଡାଟା ବେସକୁ ବିଶ୍ଲେଷଣ କରାଯିବ। ରୋଗପୋକ ପରିଚାଳନା ପାଇଁ ଚାଷୀକୁ ତାଲିମ ଓ ପ୍ରଶିକ୍ଷଣ ପ୍ରଦାନ କରାଯିବ। ପୁରୁଣା କୃଷି ନୀତିରେ ଥିବା ଅସୁବିଧାଗୁଡ଼ିକ ଦୂର କରାଯାଇ ଚାଷୀର ସର୍ବାଙ୍ଗୀନ ବିକାଶ ସହିତ ଯେପରି ସମୃଦ୍ଧି ଆସିବ ସେଥିପାଇଁ ନୂତନ କୃଷି ନୀତିରେ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଗର୍ଗ କହିଥିଲେ। ପୂର୍ବରୁ ଓଡ଼ିଶା କୃଷି ନୀତି ୧୯୯୬, ୨୦୦୮ ଓ ୨୦୧୩ରେ ପ୍ରସ୍ତୁତ ହୋଇଥିଲା। ଚଳିତବର୍ଷ ନୂତନ କୃଷି ନୀତି-୨୦୧୯ ପ୍ରସ୍ତୁତ ହୋଇଥିଲା। କିନ୍ତୁ ୨୦୧୯ ବର୍ଷ ସରିବାକୁ ଯାଉଥିବାରୁ ଏହାର ନାମ ପରିବର୍ତ୍ତନ କରି ନୂତନ କୃଷି ନୀତି-୨୦୨୦ ରଖାଯାଇଛି।

ଚାଷୀଙ୍କ ପାଇଁ ‘ସମୃଦ୍ଧି’, ଆୟରେ ଦୁଇଗୁଣା ବୃଦ୍ଧି ଲକ୍ଷ୍ୟ
ବଜାର ସୁବିଧା ମିଳିବ, ଆଧୁନିକ ଜ୍ଞାନକୌଶଳର ଉପଯୋଗ ହେବ, ଅଣପାରମ୍ପରିକ ଚାଷକୁ ଗୁରୁତ୍ବ
ଓଏସ୍‌ଏସ୍‌ଏସ୍‌ସି କରିବ ଆର୍‌ଆଇ, ଅମିନ ପରୀକ୍ଷା, ୬୦୬ ଡିଗ୍ରି କଲେଜ ଅଧ୍ୟାପକ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମା ୪୮ବର୍ଷକୁ ବୃଦ୍ଧି
ସତ୍ୟବାଦୀରେ ହେବ ଓଡ଼ିଆ ବିଶ୍ବବିଦ୍ୟାଳୟ ମୁଖ୍ୟାଳୟ

ଭୁବନେଶ୍ବର: ଲୋକମାନଙ୍କୁ ତ୍ବରିତ ସେବା ଓ ସ୍ବଚ୍ଛ ପ୍ରଶାସନ ପାଇଁ ୫’ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ଆଧାରରେ କାର୍ଯ୍ୟ କଲେ ସରକାରୀ କର୍ମଚାରୀଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା କରାଯାଇଛି। ଆଜି ଆଉ ପାଦେ ଆଗେଇ ଯାଇ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ପଦୋନ୍ନତି ପାଇଁ ନୂତନ ନିୟମାବଳୀ-୨୦୧୯ ପ୍ରଣୟନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଲେ ଯେ ଏଣିକି ଉତ୍ତମ ସେବା ପ୍ରଦାନ କରୁଥିବା ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ବ୍ୟାଚ୍ ଓ ବରିଷ୍ଠତାକୁ ଆଧାର ନ କରି ପଦୋନ୍ନତି ଦିଆଯିବ। ଏଥିପାଇଁ ପ୍ରଥମ ଶ୍ରେଣୀ ପାହ୍ୟାର ପ୍ରଶାସନିକ ସେବା ଅଧିକାରୀଙ୍କ ପଦୋନ୍ନତି ନିମନ୍ତେ ମୁଖ୍ୟ ଶାସନ ସଚିବ ସୁପାରିସ କରିବେ। ଗ୍ରୁପ୍-ବି ଅଧିକାରୀଙ୍କ ପାଇଁ ଉନ୍ନୟନ କମିସନର ଓ ଗ୍ରୁପ୍-ସି ଅଧିକାରୀଙ୍କ ପାଇଁ ବିଭାଗୀୟ ଶାସନ ସଚିବ ସୁପାରିସ କରିବେ। ସୁପାରିସ ଆଧାରରେ କ୍ୟାବିନେଟ୍ ମଞ୍ଜୁରି ମିଳିବା ପରେ ସମ୍ପୃକ୍ତ ଅଧିକାରୀଙ୍କୁ ପଦୋନ୍ନତି ମିଳିବ। ପୁରୀ ଜିଲ୍ଲା ସତ୍ୟବାଦୀରେ ଓଡ଼ିଆ ରାଜ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାର ଜମି ଅଧିଗ୍ରହଣ କରିସାରିଛନ୍ତି। ବିଶ୍ବବିଦ୍ୟାଳୟର ମୁଖ୍ୟାଳୟ ଭୁବନେଶ୍ବରରେ ପ୍ରତିଷ୍ଠା କରିବାକୁ ୨୦୧୮ ଜୁଲାଇ ୨୭ ତାରିଖରେ ପୁରୀଠାରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଯେହେତୁ, ସତ୍ୟବାଦୀରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଉଛି, ସେଥିପାଇଁ ଏହାର ମୁଖ୍ୟାଳୟ ସେହିଠାରେ କରିବାକୁ ଆସିଥିବା ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ମାରିଛି।

ଆରଆଇ, ଏଆରଆଇ ଓ ଅମିନ ନିଯୁକ୍ତି ଜିଲ୍ଲାପାଳଙ୍କ ଦ୍ବାରା କରା ନ ଯାଇ ଏଣିକି ପ୍ରତିଯୋଗିତା ପରୀକ୍ଷା ଆଧାରରେ ଚୟନ କରାଯିବ। କ୍ଷେତ୍ର ସ୍ତରରେ ରାଜସ୍ବ କର୍ମଚାରୀମାନଙ୍କୁ ଗୁଣାତ୍ମକ ଚୟନ ଓ ନିୟୋଜନ ପାଇଁ ଓଡ଼ିଶା ଜିଲ୍ଲା ରାଜସ୍ବ ସେବା (ନିୟୋଜନ ପଦ୍ଧତି ଏବଂ ଚାକିରି ସର୍ତ୍ତାବଳୀ) ନିୟମ ୧୯୮୩ ସଂଶୋଧନ କରାଯିବ। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଆଣିଥିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକସନ କମିସନ ଏହି ପରୀକ୍ଷା ପରିଚାଳନା କରିବେ। ଆର୍‌ଆଇ ପଦ ପାଇଁ ଅଲଗା ପ୍ରତିଯୋଗିତା ପରୀକ୍ଷା କରାଯିବା ସହ ଏଆରଆଇ ଓ ଅମିନ ପଦ ପାଇଁ ପରୀକ୍ଷା ଅଲଗା ହେବ। ଖାଲି ପଦବି ଆଧାରରେ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀ ପରୀକ୍ଷା ଦେଇପାରିବେ। ନୂତନ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ପୂର୍ବରୁ ଆର୍‌ଆଇ, ଏଆର୍‌ଆଇ ଓ ଅମିନ ନିଯୁକ୍ତି ପାଇଁ ଥିବା ଶାରୀରିକ ପରୀକ୍ଷା ବ୍ୟବସ୍ଥାକୁ ହଟାଇ ଦିଆଯିବା ସହ ପରୀକ୍ଷାରେ ଭୁଲ ଉତ୍ତର ପାଇଁ ମାଇନସ୍ ମାର୍କିଂ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି।

‌‌େସହିଭଳି ସରକାରୀ ଡିଗ୍ରି କଲେଜରେ ଖାଲି ପଡ଼ିଥିବା ୬୦୬ଟି ଅଧ୍ୟାପକ ପଦବି ପୂରଣ କରାଯିବ। ଅଧ୍ୟାପକ ଚୟନ ପାଇଁ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ଲୋକସେବା ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛି। ଏ ସମସ୍ତ ଅଧ୍ୟାପକ ପଦବି ପୂରଣ ପାଇଁ ଆବେଦନକାରୀଙ୍କ ସର୍ବୋଚ୍ଚ ବୟସ ସୀମା ୩୩ ବର୍ଷରୁ ୪୮ବର୍ଷ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି ମିଳିଛି। ପୂର୍ବରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମେଡିକାଲ କଲେଜ୍, ହୋମିଓପାଥି କଲେଜ୍ ଓ ଆୟୁ‌‌ର୍ବେଦିକ କଲେଜଗୁଡ଼ିକରେ ଅଧ୍ୟାପକ ପଦବି ପୂରଣ କରିବାକୁ ଆବେଦନର ବୟସ ସୀମା ୪୫ ବର୍ଷ କରିଥିଲେ। ସେହିପରି ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକର ଅଧ୍ୟାପକ ପଦବି ପୂରଣ ପାଇଁ ଆବେଦନକାରୀଙ୍କ ସର୍ବୋଚ୍ଚ ବୟସସୀମା ୪୨ ବର୍ଷ ରଖାଯାଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ଶାଶ୍ବତ ମିଶ୍ର ସୂଚନା ଦେଇ କହିଥିଲେ, ସାଧାରଣ ପ୍ରଶାସନ ଓ ଜନସାଧାରଣ ଅଭିଯୋଗ ବିଭାଗ, ଆଇନ ବିଭାଗ ଓ ଓପିଏସସି ସୁପାରିସ କ୍ରମେ ଉଚ୍ଚଶିକ୍ଷା ବିଭାଗ ୧୯୯୦ରେ କଲେଜ ଶିକ୍ଷକ ଚୟନ ନିୟମ-୪ରେ ଆଂଶିକ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅବସର ବୟସ ସୀମାରେ ପହଞ୍ଚୁଥିବା ଆବେଦନକାରୀଙ୍କୁ ବିଚାରକୁ ନିଆଯିବ ନାହିଁ ବୋଲି ଶ୍ରୀ ମିଶ୍ର ସ୍ପଷ୍ଟ କରିଥିଲେ। କ୍ୟାବିନେଟର ଅନ୍ୟ ନିଷ୍ପତ୍ତି ମୁତାବକ ଓ.ଏସ.ଜେ.ଏସ୍‌. ଏବଂ ଓ.ଜେ.ଏସ୍‌. ନିୟମାବଳୀ-୨୦୦୭ରେ ସଂଶୋଧନ କରାଯାଇଛି। ଫଳରେ ସିଭିଲ ଜଜ୍ ପଦ ପାଇଁ ହେଉଥିବା ପରୀକ୍ଷାରେ ପୂର୍ବତନ ସାମରିକ କର୍ମଚାରୀ ଓ ଏସ୍‌ଏସ୍‌ସି ଅଧିକାରୀମାନଙ୍କ ପାଇଁ ସର୍ବୋଚ୍ଚ ବୟସସୀମାକୁ ୫ ବର୍ଷ କୋହଳ କରାଯିବ। ଏହାସହିତ ଏସସି, ଏସଟି ଓ ଏସଇବିସି ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ୧୦ ବର୍ଷ ବୟସସୀମା କୋହଳ କରାଯିବ। ସେହିପରି ଶିଳ୍ପ ବିଭାଗର ପ୍ରସ୍ତାବ ଅନୁଯାୟୀ, ହାଇକୋର୍ଟଙ୍କ ଆଦେଶ କ୍ରମେ ରିଲାଏନସ ଇଣ୍ଡଷ୍ଟ୍ରିଜ୍ ଦ୍ବାରା ଅଧିକୃତ ଓଡ଼ିଶା ପଲିଫାଇବର୍ସ ଲିମିଟେଡ ପାଇଁ ୨ କୋଟି ୧୫ ଲକ୍ଷ ୬୪ ହଜାର ୬୪୮ ଟଙ୍କାର ଷ୍ଟାମ୍ପ ଶୁଳ୍କ ଛାଡ଼ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର