ଭୁବନେଶ୍ବର: ପାରା କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବା ପୂର୍ବରୁ ଜବରଦସ୍ତ ଝଟ୍କା। ଟୋକିଓ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ବ୍ୟାଡ୍ମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ ଦେଢ଼ ବର୍ଷ ପାଇଁ ନିଲମ୍ବନ କରାଯାଇଛି। ବିଶ୍ବ ବ୍ୟାଡ୍ମିଣ୍ଟନ୍ ମହାସଂଘ (ବିଡବ୍ଲ୍ୟୁଏଫ୍)ର ‘ଆଣ୍ଟି ଡୋପିଂ ଅବସ୍ଥିତି’ ନିୟମ ପାଳନରେ ବିଫଳ ହେବାରୁ ପ୍ରମୋଦଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଏଥିସହିତ ପ୍ୟାରିସ୍ରେ ଆରମ୍ଭ ହେବାକୁ ଥିବା ପାରାଲିମ୍ପିକ୍ସରେ ପ୍ରମୋଦଙ୍କୁ ନେଇ ଯେଉଁ ସ୍ବପ୍ନ ରାଜ୍ୟବାସୀ ଦେଖୁଥିଲେ, ତାହା ଧୂଳିସାତ୍ ହୋଇଯାଇଛି। ସେ ଏବେ ମୁକୁଟ ବଜାୟ ରଖିପାରିବେ ନାହିଁ। ଅନ୍ୟପକ୍ଷରେ ୧୨ ମାସ ମଧ୍ୟରେ ଏହି ‘ଅବସ୍ଥିତି’ ବିଫଳତା ଉଦ୍ଦେଶ୍ୟମୂଳକ ନଥିଲା ବରଂ ଏହା କେବଳ ‘ବୈଷୟିକ ତ୍ରୁଟି’ ଥିଲା ବୋଲି ପ୍ରମୋଦ ପ୍ରତିକ୍ରିୟା ରଖିଛନ୍ତି।
ବିଡବ୍ଲ୍ୟୁଏଫ୍ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଅଫ୍ ସ୍ପୋର୍ଟ (କାସ୍) ଆଣ୍ଟି ଡୋପିଂ ଡିଭିଜନ୍ ଦ୍ବାରା ପ୍ରମୋଦ, ବିଡବ୍ଲ୍ୟୁଏଫ୍ ଆଣ୍ଟି ଡୋପିଂ ନିୟମ ଅନ୍ତର୍ଗତ ହୋୟାରଏବାଉଟ୍ସ ବା ଅବସ୍ଥିତି ଧାରାକୁ ତିନିଥର ପୂରଣ କରିବାରେ ବିଫଳ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ଏହା ବିରୋଧରେ ପ୍ରମୋଦ ଗତ ମାସ ୨୯ ତାରିଖରେ କାସ୍ରେ ଅପିଲ୍ କରିଥିଲେ ମଧ୍ୟ ତାହାକୁ ଖାରଜ କରିଦିଆଯାଇଥିଲା। ତେଣୁ ତାଙ୍କୁ ନିଲମ୍ବନ କରାଯାଇଛି। ଏହା ୨୦୨୫ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।
ବିଡବ୍ଲ୍ୟୁଏଫ୍ ଓ କାସ୍ ଦ୍ବାରା ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା ପରେ ପ୍ରମୋଦ ଏହାର ପ୍ରତିବାଦ କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ସେ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଗୋଟିଏ ଛୋଟ ବୈଷୟିକ ତ୍ରୁଟି ପାଇଁ ବିଡବ୍ଲ୍ୟୁଏଫ୍ ଏତେ କଠୋର ହେବ ବୋଲି ମୁଁ କେବେ ଭାବି ନଥିଲି। ‘ହୋୟାରଏବାଉଟ୍ସ’ ପାଇଁ ଏକ ଆପ୍ ଥାଏ।
ପ୍ରତି ତିନି ମାସରେ ସେଥିରେ ଆମର ବିବରଣୀ ଦେବାକୁ ପଡ଼ିଥାଏ। ସେଥିରେ ଜାନୁଆରି ୨୦୨୩ର ପ୍ରଥମ କ୍ବାର୍ଟରରେ ମୋ ତଥ୍ୟ ଦାଖଲ କରିଥିଲି। ଦାଖଲ ହେବା ପରେ ସବୁଜ ସଙ୍କେତ ମଧ୍ୟ ଦେଖାଇଥିଲା। ହେଲେ ହଠାତ୍ ଜାନୁଆରି ୩ ତାରିଖରେ ଫାଇଣ୍ଡିଂ ଫେଲ୍ ହୋଇଯାଇଥିବା ନୋଟିଫିକେସନ୍ ଆସିଲା। ଏହାକୁ ତୃତୀୟ ହୋୟାରଏବାଉଟ୍ ଫାଉଲ୍ ନେବୁ ବୋଲି ସେଥିରେ ଲେଖାଯାଇଥିଲା। ବିଡବ୍ଲ୍ୟୁଏଫ୍କୁ ରେକର୍ଡ ଦିଆଯିବା ପରେ ପୂର୍ବ ନୋଟିସ୍କୁ ଖାରଜ କରିଦିଆଯାଇଥିଲା। କେବଳ ସେତିକି ନୁହେଁ, ୩୦ ଡିସେମ୍ବରରୁ ଜାନୁଆରି ୩ ତାରିଖ ମଧ୍ୟରେ ଯାହା କିଛି ପ୍ରମାଣ ଅଛି ସେସବୁ ମଗାଯାଇଥିଲା। ସବୁ ପ୍ରମାଣ ଆମେ ଦେଇଥିଲୁ। କିନ୍ତୁ ଦେଢ଼ ବର୍ଷ ପରେ ଏବେ ପ୍ୟାରିସ୍ ଅଲିମ୍ପିକ୍ସକୁ ଆଉ ଅଳ୍ପ ସମୟ ବାକି ଥିଲା ବେଳେ ମୋତେ ନିଲମ୍ବନ କରିବା ନିର୍ଦ୍ଦେଶ ଆସିବା କଷ୍ଟ ଦେଉଛି। ଏକ ସଫ୍ଟୱେର ଇସ୍ୟୁ ପାଇଁ ମୋତେ ଆଘାତ ମିଳିଛି। ତଥାପି ଏଥିପାଇଁ ଆପଣଙ୍କୁ ମଧ୍ୟ କ୍ଷମା ମାଗୁଛି। ଆପଣ ମୋତେ ସହଯୋଗ କରନ୍ତୁ। ମୋ ଉପରେ ସମସ୍ତଙ୍କ ଆସ୍ଥା ଲଢ଼ିବା ପାଇଁ ଶକ୍ତି ଯୋଗାଇବ। ଏବେ ଲିଗାଲ୍ ଟିମ୍ ସହିତ ଆଲୋଚନା ଚାଲିଛି। ମୋତେ ନ୍ୟାୟ ମିଳିବ ବୋଲି ଆଶା ଅଛି। ଏଥିରୁ ମୁକୁଳିବା ପରେ ଆଗକୁ ଆସିବି ଏବଂ ଦେଶପାଇଁ ପୁଣି ଥରେ ସୁନାମ ଆଣିବି ବୋଲି ପ୍ରମୋଦ କହିଛନ୍ତି।
ଏହି ନିଲମ୍ବନ ନିଷ୍ପତ୍ତି ଉପରେ ପାରା ବ୍ୟାଡ୍ମିଣ୍ଟନ ମୁଖ୍ୟ ପ୍ରଶିକ୍ଷକ ଗୌରବ ଖାନ୍ନା ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ୟାରିସ୍ରୁ ଏକ ପଦକ ନିଶ୍ଚିତ ଥିଲା ବେଳେ ଏହା ଆରମ୍ଭରୁ ହାତଛଡ଼ା ହୋଇଯାଇଛି ବୋଲି ସେ କହିଛନ୍ତି। ପ୍ରମୋଦ ଜଣେ ଯୋଦ୍ଧା ଓ ସେ ଖୁବ୍ଶୀଘ୍ର ଅଧିକ ମଜବୁତ୍ ହୋଇ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଗୌରବ ଆଶା ପ୍ରକାଶ କରିଛନ୍ତି। ୩୬ ବର୍ଷୀୟ ପ୍ରମୋଦ ପାରା କ୍ରୀଡ଼ାରେ ଜଣେ ଏସ୍ଏଲ୍୩ ବର୍ଗ କ୍ରୀଡ଼ାବିତ୍। ସେ ଟୋକିଓ ପାରାଲିମ୍ପିକ୍ସରେ ଗ୍ରେଟ୍ ବ୍ରିଟେନ୍ର ଡାନିଏଲ୍ ବିଥେଲ୍ଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ପାଇଥିଲେ। ପଞ୍ଚମ ଥର ବିଶ୍ବ ଚାମ୍ପିଅନ୍ସିପ୍ ଟାଇଟଲ୍ ଜିତି ସେ ଚୀନ୍ର କିଂବଦନ୍ତି ଖେଳାଳି ଲିନ୍ ଡାନ୍ଙ୍କ ସମକକ୍ଷ ହୋଇପାରିଛନ୍ତି।