ଭିନ୍ନକ୍ଷମଙ୍କ ସଂଘର୍ଷର ସମୟ ସରିଯାଇଛି: ପ୍ରମୋଦ

ବାପାଙ୍କୁ ମନାଇବାର କାହାଣୀ କହି ମନ ଜିଣିଲେ, ଓଡ଼ିଶା ହିଁ ମୋ ଜନ୍ମ ଓ କର୍ମଭୂମି

ଭୁବନେଶ୍ୱର : ବ୍ୟାଡ୍‌ମିଣ୍ଟନ ଖେଳିବାକୁ ବାପା ଗ୍ରହଣ କରୁ ନ ଥି‌ଲେ। ବରଂ କହୁଥିଲେ, ପୁଅ ପାଠପଢ଼। ପାଠ ପଢ଼ିଲେ ସିନା ଭଲ ଚାକିରି କରିବୁ। ତା’ପରେ ବି ଖେଳ ଜାରି ରଖିଥିଲି। ପାଠପଢ଼ା ଚାଲିଥିଲେ ମଧ୍ୟ ଖେଳ ପ୍ରତି ଆଗ୍ରହ ଅଧିକ ରହିଥିଲା। ପ୍ରଥମ ଥର ପାଇଁ ‌ସମ୍ବଲପୁରରେ ଏକ ଟୁର୍ଣ୍ଣାମେଣ୍ଟ ଚାଲିଥିଲା। ସେଥିରେ ଭାଗ ନେବା ପାଇଁ ସିନିୟରମାନେ ଡାକିଲେ। ବାପାଙ୍କ ଆକଟ ପାଇଁ ମନୋବଳ ଭାଙ୍ଗି ଯାଇଥିଲା। ମାତ୍ର ସିନିୟରମାନେ ବାପାଙ୍କୁ ମନାଇଥିଲେ ଏବଂ ବାପା ମଧ୍ୟ ରାଜି ହୋଇଯାଇଥିଲେ। ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ରନର୍ସ ଅପ୍‌ ହେବା ସହ ଦୁଇ ହଜାର ଟଙ୍କା ପାଇଥିଲି। ସକାଳୁ ସକାଳୁ ଘରେ ପହଞ୍ଚି ବାପାଙ୍କୁ ସେହି ଦୁଇ ହଜାର ଟଙ୍କା ପ୍ରଦାନ କରି ମୋର ପ୍ରଥମ ରୋଜଗାର ବୋଲି କହିଥିଲି। ବାପା ତାହାକୁ ଦେଖି ହସିବା ସହ ଘରକୁ ଯିବାକୁ କହିଥିଲେ। ଏହା ଏଭଳି ଏକ ମୁହୂର୍ତ୍ତ ଥିଲା ‌ଯାହାକୁ କେବେ ବି ଭୁଲିପାରିବି ନାହିଁ। ସେହିଦିନଠାରୁ ବାପା ମୋତେ କେବେ ବି ଖେଳିବାକୁ ମନା କରିନାହାନ୍ତି। ବରଂ ଅଧିକ ପ୍ରୋତ୍ସାହିତ କରିଛନ୍ତି। ଅଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକଠାରୁ ବାପାଙ୍କୁ ମନାଇ ଖେଳାଳି ହେବା ଥିଲା ମୋ ପାଇଁ ଅଧିକ ସ୍ମରଣୀୟ ଓ ହୃଦୟସ୍ପର୍ଶୀ ଅନୁଭୂତି।

‘ସମ୍ବାଦ’ର ୩୭ତମ ଓ ‘କନକ ନ୍ୟୁଜ୍‌’ର ଦ୍ବାଦଶ ବାର୍ଷିକ ଉତ୍ସବରେ ଯୋଗଦେଇ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା କ୍ରୀଡ଼ାବିତ୍‌ ପ୍ରମୋଦ ଭଗତ ଏଭଳି ଭାବେ ନିଜ ଜୀବନର ଅଭୁଲା ସ୍ମୃତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସହ ପାରାଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ହାସଲ କରିବାର ଅନୁଭୂତି ବର୍ଣ୍ଣନା କରି ଭଗତ୍‌ କହିଲେ, ମୁଁ ଜୀବନରେ କେବେ ବି ନର୍ଭସ ହୁଏନି। ଫାଇନାଲ ଖେଳିବାର ପୂର୍ବଦିନ ରାତିରେ ଓଡ଼ିଶାବାସୀ ତଥା ମୋ ଗାଁ ବରଗଡ଼ ଜିଲ୍ଲାର ଅତାବିରା ଲୋକଙ୍କ ସ୍ବପ୍ନକୁ ସାକାର କରିବି ଏବଂ ନିଶ୍ଚିତ ଜିତିବି ବୋଲି ନିଷ୍ପତ୍ତି ନେଇଥିଲି। ଫାଇନାଲ ମ୍ୟାଚ୍‌ର ଦ୍ବିତୀୟ ସେଟ୍‌ରେ ଯେତେବେଳେ ୧୨-୪ ସେଟ୍‌ରେ ପଛରେ ରହିଥିଲି ସେତେବେଳେ ବି ହାରିବା କଥା ଭାବି ନ ଥିଲି। ବରଂ ମନରେ ଜିତିବାର ଆଗ୍ରହ ରହିଥିଲା, ଯେଉଁଥିପାଇଁ ସଫଳ ହେ‌ଲି। ସ୍ବର୍ଣ୍ଣ ପଦକ ଜିତି ଆସିବା ପରେ ଗାଁ ଲୋକ ଖୁସି ହେବେ ବୋଲି ଭାବିଥିଲି। ମାତ୍ର ଖୁସି‌ରେ ସେମାନେ ପାଗଳ ହେବେ ବୋଲି କେବେ ଭାବିପାରି ନ ଥିଲି। ସ୍ବାଗତ ପାଇଁ ୧୦ କିମି ପର୍ଯ୍ୟନ୍ତ ଭିଡ଼ ରହିଥିଲା। ସରକାରୀ, ବେସରକାରୀ ବ୍ୟକ୍ତି, ରାଜନେତା ସ‌ମସ୍ତେ ଯେପରି ଏକ ହୋଇଯାଇଥିଲେ। ଏତେ ଖୁସିଥିଲି ଯେ ବକ୍ତବ୍ୟ ଦେଇପାରି ନ ଥିଲି। ଏ ସଫଳତା ଅତାବିରାବାସୀଙ୍କର।

ଭବିଷ୍ୟତ ସମ୍ପର୍କରେ ସୁନାପୁଅ ଭଗତ କହିଥିଲେ ଯେ ୨୦୨୪ ଅଲିମ୍ପିକ୍‌ସରେ ପଦକ ଆଣିବା ମୋର ଲକ୍ଷ୍ୟ। ଏଥିସହ ଓଡ଼ିଶାର ଆହୁରି ଅନେକ ଭିନ୍ନକ୍ଷମ କ୍ରୀଡ଼ାବିତ୍‌ ମଧ୍ୟ ଅଲିମ୍ପିକ୍‌ସରେ ସାମିଲ ହୋଇ ପଦକ ହାସଲ କରନ୍ତୁ ତାହା ହିଁ ମୋର ଲକ୍ଷ୍ୟ। ଆଜିର ସମୟରେ ବହୁ ପରିବର୍ତନ ହୋଇଛି। ପାରାଲିମ୍ପିକ୍‌ସରେ ଅଧିକ ପଦକ ଆଣି ଭିନ୍ନକ୍ଷମମାନେ ପ୍ରମାଣ କରିଦେଇଛନ୍ତି ଯେ ସାଧାରଣ ବ୍ୟକ୍ତି ଓ ଆମ ଭିତରେ କିଛି ବି ଫରକ ନାହିଁ। ‌ଶାରୀରିକ ଭାବେ ଆମେ ଦୁର୍ବଳ ହୋଇଥାଇପାରୁ। ମାତ୍ର ମାନସିକ ଭାବେ ବହୁତ ଦୃଢ଼। ଚିନ୍ତା‌ଧାର ବହୁତ ଉନ୍ନତ। ମୁଁ ଯେଉଁ ସ୍ବର୍ଣ୍ଣ ପଦକ ପାଇଛି, ତାହା ଭିନ୍ନକ୍ଷମ ଭାଇ ଭଉଣୀଙ୍କର। ଏବେ ସରକାର କ୍ରୀଡ଼ାକୁ ବହୁତ ଗୁରୁତ୍ବ ଦେଉଛନ୍ତି। ରାଜ୍ୟ ସରକାର ଭିନ୍ନକ୍ଷମ କ୍ରୀଡ଼ାବିତ୍‌ଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ୩୯ଟି ଇନ୍‌ଡୋର ଷ୍ଟିଡିୟମ୍‌ ହେବାକୁ ଯାଉଛି। ପାରା ଅଥଲେଟ୍‌ଙ୍କୁ ଚାକିରି ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଭିନ୍ନକ୍ଷମଙ୍କ ସଂଘର୍ଷର ସମୟ ସରିଯାଇଛି। ପାରା ଅଥଲେଟ୍‌ର ବିକାଶ ପାଇଁ ସବୁ ଷ୍ଟାଡିୟମ୍‌ରେ ହୁଇଲ୍‌ ଚେୟାରରେ ଯିବା ଆସିବାର ବ୍ୟବସ୍ଥା କରିବା, ସବୁ ଷ୍ଟାଡିୟମ୍‌ରେ ଆଥଲେଟ୍‌ଙ୍କ ପରି ପାରା ଆଥଲେଟ୍‌ଙ୍କୁ ମଧ୍ୟ ଖେଳିବାକୁ ସୁଯୋଗ ଦେବାର ଆବଶ୍ୟକତା ରହିଛି।

ଜନ୍ମ ସ୍ଥାନ ନେଇ ବିହାର ଓ ଓଡ଼ିଶା ମଧ୍ୟ‌ରେ ଚାଲିଥିବା ଦ୍ବନ୍ଦ୍ବରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଶ୍ରୀ ଭଗତ। ଶ୍ରୀମତୀ ପଟ୍ଟନାୟକଙ୍କ ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ବାପା, ମା’ ବିହାରର। ମାତ୍ର ମୁଁ ବରଗଡ଼ ଜିଲ୍ଲାର ଅତାବିରା ଗାଁରେ ସ୍କୁଲ ଶିକ୍ଷା ଗ୍ରହଣ କରିବା ସହ ସେଠାରେ କଲେଜ ଶିକ୍ଷା ଗ୍ରହଣ କରିଛନ୍ତି। ମୋର ଜନ୍ମ ଓ କର୍ମ ଭୂମି ସବୁ କିଛି ଓଡ଼ିଶା। ଏବେ କ’ଣ ପାଇଁ ବିହାର ଲେଖାଯାଉଛି ତାହା ଜାଣିପାରୁ ନାହିଁ। ସାଙ୍ଗ, ସାଥୀ, ବନ୍ଧୁ, ପରିଜନ, ବାପା, ମା, ଗୁରୁଙ୍କ ପ୍ରେରଣା ଯୋଗୁଁ ଆଜି ଶୀର୍ଷରେ ପହଞ୍ଚିପାରିଛି। ସଚିନ୍‌ ତେନ୍ଦୁଲକରଙ୍କ ପ୍ରେରଣା ମୋତେ ଆଗକୁ ବଢ଼ିବାରେ ସହାୟକ ହୋଇଛି। ୨୦୦ତମ ଟେଷ୍ଟର ପିନ୍ଧିଥିବା ଟି-ସାର୍ଟକୁ ସେ ମୋତେ ପ୍ରଦାନ କରିଛନ୍ତି, ଯାହା ମୋ ପାଇଁ ଏକ ସ୍ବତନ୍ତ୍ର ଉପହାର। ତାହାକୁ ଏବେ ବନ୍ଧେଇ କରି ସବୁ ପଦକ ମଝିରେ ରଖିଥିବା ସେ ସୂଚନା ଦେଇଛନ୍ତି।

ଏହି ଅବସରରେ ତନୟା ପଟ୍ଟନାୟକ କହିଲେ ଯେ କରୋନାରେ ଆମେ ଆମର ଅନେକ ବନ୍ଧୁଙ୍କୁ ହରାଇଛୁ। ଦେଶର ପ୍ରତିଟି ପରିବାରକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ପ୍ରଭାବିତ କରିଛି। ଏତେ ନିରାଶା ମଧ୍ୟରେ କିଛି ବ୍ୟକ୍ତି ଓ ଘଟଣା ଆମମାନଙ୍କ ପାଇଁ ସାନ୍ତ୍ବନା, ଭରସା ଓ ଆଶାର ଆଲୋକ ଆଣିଛନ୍ତି। ଯେପରିକି ସମ୍ବଲପୁର ଜୁଜୁମରାର ଇସାକ୍‌ ମୁଣ୍ଡାଙ୍କ ୟୁଟ୍ୟୁବ୍‌ ଚାନେଲ୍‌ର ଅଦ୍‌ଭୂତ ସଫଳତା, ୟୁପିଏସ୍‌ସି ପରୀକ୍ଷାରେ ଗରିବ ଛାତ୍ରଛାତ୍ରୀଙ୍କ ପ୍ରେରଣାଦାୟୀ କହାଣୀ, ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ କର୍ମୀଙ୍କ ଟିକାକରଣ, ପାରାଲିମ୍ପିକ୍‌ସରେ ଓଡ଼ିଶାର ପ୍ରମୋଦ ଭଗତଙ୍କ ସଫଳତା ପ୍ରମାଣ କରିଛି ଯେ ପ୍ରବଳ ଇଚ୍ଛା ଶକ୍ତି ଆଗରେ ଅନ୍ୟ ସବୁ କିଛି ହାର ମାନିଥାଏ।

‘ସମ୍ବାଦ’ ସମ୍ପାଦକଙ୍କୁ କୃତଜ୍ଞତା ଜଣାଇଲେ ପ୍ରମୋଦ
ଭୁବନେଶ୍ବର : ସୋମବାର ଦିନ ‘କନକ ନ୍ୟୁଜ୍‌’ର ଦ୍ବାଦଶ ବାର୍ଷିକ ଉତ୍ସବରେ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେବା ଅବସରରେ ପାରାଲିମ୍ପିକ୍ସ ସ୍ବର୍ଣ୍ଣପଦକ ବିଜେତା ପ୍ରମୋଦ ଭଗତ ନିଜର ସଂଘର୍ଷର କାହାଣୀ ବର୍ଣ୍ଣନା କରିବା ସହ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ। ପ୍ରମୋଦ କହିଥିଲେ ଯେ ସଂଘର୍ଷ ସମୟରେ ଯିଏ ସହାୟତାର ହାତ ବଢ଼ାଇଥାନ୍ତି ସେ ସବୁବେଳେ ସ୍ବତନ୍ତ୍ର। ମୋର ସଂର୍ଘଷ ଜାରି ରହିଥିବା ସମୟରେ ସୌମ୍ୟବାବୁ ମୋତେ ମାନସିକ ସ୍ତରରେ ସାହସ ଦେବା ସହ ଆର୍ଥିକ ଭାବେ ମଧ୍ୟ ସହାୟତା କରିଥିଲେ। ତାହାକୁ ମୁଁ କେବେ ବି ଭୁଲିପାରିବି ନାହିଁ। ସେଥିପାଇଁ ସେ ସବୁବେଳେ ମୋ ପାଇଁ ସ୍ବତନ୍ତ୍ର। ପ୍ରମୋଦଙ୍କୁ ସମ୍ବର୍ଦ୍ଧନା ଦେବା ଅବସରରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ସିଇଓ (ଟେଲଭିଜନ) ରତିକାନ୍ତ ଶତପଥୀ, କନକ ନ୍ୟୁଜ୍‌ ସମ୍ପାଦକ ମନୋରଞ୍ଜନ ମିଶ୍ର, ସହଯୋଗୀ ସମ୍ପାଦକ ସ୍ବୟଂପ୍ରକାଶ ମିଶ୍ର, ସେଲ୍‌ସ ହେଡ୍‌ (କନକ ନ୍ୟୁଜ୍) ଅମିତ ପାଣି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର