ଭୁବନେଶ୍ବର: ଓଡ଼ିଶା ଭାରତର କ୍ରୀଡ଼ା ରାଜଧାନୀ ଦାବିଦାର। ସରକାର କ୍ରୀଡ଼ା ପାଇଁ ଉନ୍ନତି ମୂଳକ କାର୍ଯ୍ୟ କରିବା ସହ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରୁଛନ୍ତି। ଏପରିକି ରାଜ୍ୟ ସରକାରଙ୍କ ପୂର୍ବରୁ ଥିବା କ୍ରୀଡ଼ା ପ୍ରୋ‌ତ୍ସାହନ ଦେଖି ଅନ୍ୟ ରାଜ୍ୟର ଖେଳାଳି ଓଡ଼ିଶା ଆସିଛନ୍ତି। ଠିକ୍ ଏମିତି ସମୟରେ ରାଜ୍ୟ ସରକାରଙ୍କର ଗୋଟିଏ ନିଷ୍ପତ୍ତିକୁ ନେଇ କ୍ଷୁବ୍ଧ ହୋଇଛନ୍ତି ପାରା ଅଲିମ୍ପିକ୍‌ ସ୍ବର୍ଣ୍ଣ ଏବଂ ୫ ଥର ବିଶ୍ବ ବିଜେତା ପ୍ରମୋଦ ଭଗତ।

Advertisment

ନିକଟ‌ରେ ରାଜ୍ୟ ସରକାର ଆଣିଥିବା ପୁରସ୍କାର ନିୟମ ହିଁ ତାଙ୍କ ଅସନ୍ତୋଷର କାରଣ। ନୂଆ ନିଷ୍ପତ୍ତି ଅନୁଯାୟୀ, ଜଣେ ଖେଳାଳି ଜୀବନସାରା ଅତିବେଶୀରେ ୯ କୋଟି ଟଙ୍କାର ପୁରସ୍କାର ପାଇ ପାରିବ। ଏଥିସହ ଜଣେ ଖେଳାଳି ପୂର୍ବରୁ ଯଦି ଗୋଟିଏ ପ୍ରତିଯୋଗିତାରେ ବଡ଼ ପଦକ ଜିତିଛି ତା ପର ଥର ଏହାଠୁ ନିମ୍ନ ପଦକ ପାଇଲେ ତାଙ୍କୁ ଆଉ କୌଣସି ପୁରସ୍କାର ରାଶି ରାଜ୍ୟ ସରକାର ଦେବେନି। ଏହାକୁ ଗ୍ରହଣ କରିପାରୁନାହାନ୍ତି ପ୍ରମୋଦ। ଏପରିକି ଆବଶ୍ୟକ ପଡ଼ିଲେ ଅନ୍ୟ ରାଜ୍ୟରୁ ପ୍ରତିନିଧିତ୍ବ କରିବେ ବୋଲି ପ୍ରମୋଦ ମନସ୍ଥ କରିଛନ୍ତି। ବିଶ୍ବ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ଏସ୍‌ଏଲ୍‌-୩ ପୁରୁଷ ଏକକରେ ସ୍ବର୍ଣ୍ଣ ଜିତି ହ୍ୟାଟ୍ରିକ୍‌ (୨୦୧୯, ୨୦୨୨, ୨୦୨୪) ଅର୍ଜନ କରିଥିବା ପ୍ରମୋଦ ପୁଣି ଥରେ ଅଲିମ୍ପିକ୍‌ ସ୍ବର୍ଣ୍ଣ ଜିତିବାର ଆଶା ରଖିଛନ୍ତି। ହେଲେ ଏହି ପଦକ ଓଡ଼ିଶାକୁ ନୁହେଁ ଅନ୍ୟ ରାଜ୍ୟକୁ ଯାଇପାରେ। ମୋଟ ୫ ଥର ବିଶ୍ବ ବିଜେତା ହୋଇ ପ୍ରମୋଦ ଶୁକ୍ରବାର ଭୁବନେଶ୍ବର ଫେରିଛନ୍ତି। ‘ସମ୍ବାଦ’ ସହ କଥା ହେଲା‌ ବେଳେ ସେ କହିଛନ୍ତି, ‘ପୁଣି ଥରେ ଅଲିମ୍ପିକ୍‌ରେ ସ୍ବର୍ଣ୍ଣ ଜିତିବା ନେଇ ଦୃଢ଼ ଆଶା ରଖିଛି। କାରଣ ଅଲିମ୍ପିକ୍‌ ପରଠୁ ବିଶ୍ବର ଏକ ନମ୍ବର ଇଂଲଣ୍ଡର ଡାନିଏଲ ‌ବେଥେଲଙ୍କଠୁ ୪/୫ ଥର ହାରିଥିଲି। ଏବେ ବିଶ୍ବ ପ୍ରତିଯୋଗିତା ଫାଇନାଲ୍‌ରେ ତାଙ୍କୁ ହରାଇ କୀର୍ତ୍ତିମାନ ଭରା ହ୍ୟାଟ୍ରିକ୍‌ ସ୍ବର୍ଣ୍ଣ ଜିତିଛି। ଏଥିସହ ମୋର ପ୍ରେରଣା ଲାନ୍‌ ଡିନ୍‌ (୫ ବିଶ୍ବ ସ୍ବର୍ଣ୍ଣ)ଙ୍କ ନାମରେ ଥିବା ବିଶ୍ବ ସ୍ବର୍ଣ୍ଣ କୀର୍ତ୍ତିମାନ ସହ ସମକକ୍ଷ ହୋଇପାରିଛି। ଏହି ସଫଳତା ପ୍ୟାରିସ୍‌ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ଆଶାକୁ ଆହୁରି ଦୃଢ଼ କରିଛି। ପୁଣେରେ ଅଲିମ୍ପିଆନ୍‌ ନିଖିଳ କାନିତକରଙ୍କ ବ୍ୟାଡ୍‌ମିଣ୍ଟନ ଏକାଡେମିରେ ପ୍ରସ୍ତୁତି ଚଳାଇଛି। ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ଚଲାଇଥିବାରୁ ଆଶା ବଢ଼ିଛି। ଏପ୍ରିଲ୍‌ରେ ପ୍ୟାରିସ୍‌ ଯାଇ ସେଠାକାର ପରିବେଶ ଓ ଖାଦ୍ୟପେୟ ସହ ପରିଚିତ ହେବାର ଯୋଜନା ରଖିଛି। ଯାହା ମୋତେ ପାରାଲିମ୍ପିକ୍ସରେ ସହଯୋଗ କରିବ।’’

ସେ ଆହୁରି କହିଛନ୍ତି ଯେ ମୂଳରୁ କେନ୍ଦ୍ର ସରକାରଙ୍କଠାରୁ ସବୁ ସହଯୋଗ ‌ପାଉ ଥିବାରୁ ରାଜ୍ୟ ସରକାରଙ୍କୁ କେବେ ସହଯୋଗ ମାଗିନି। ରାଜ୍ୟ ସରକାର ମୋତେ ମଝିରେ ମଝିରେ ପୁରସ୍କାର ରାଶି ସହ ‌ସମ୍ବର୍ଦ୍ଧିତ କରି ଆଗକୁ ବଢ଼ିବାରେ ଉତ୍ସାହିତ କରିଛନ୍ତି। ହେ‌ଲେ ରାଜ୍ୟ ସରକାର ଏବେ ଯେଉଁ ପୁରସ୍କାର ରାଶି ସୀମାର ନୂଆ ନିୟମ ଆଣିଛନ୍ତି ତାହାକୁ ନେଇ ମୁଁ ଦୁଃଖିତ। ଏହି ନିୟମ ରାଜ୍ୟ ବାହାରକୁ ଯିବାକୁ ମୋତେ ବାଧ୍ୟ କରିପାରେ। ଜଣେ ଖେଳାଳି ସବୁବେଳେ ଜିତିବା ପାଇଁ ଖେଳେ। ରାଜ୍ୟ ସରକାର କରିଥିବା ନିୟମ ଖେଳାଳିଙ୍କୁ ନିଶ୍ଚିତ ହତୋତ୍ସାହିତ କରିବ। ବ୍ୟକ୍ତିଗତ ଭାବେ ମୁଁ ଅଲିମ୍ପିକ୍ସ, ବିଶ୍ବ ଓ ଏସିଆଡ୍‌ ସବୁ ଜିତି ସାରିଛି। ସରକାରଙ୍କ ସର୍ବୋଚ୍ଚ ସୀମା ମଧ୍ୟ ଅତିକ୍ରମ କରିସାରିଛି। ଏବେ ମୋତ‌େ ତ କିଛି ମିଳିବନି, କ’ଣ ପାଇଁ ଓଡ଼ିଶାରୁ ପ୍ରତିନିଧିତ୍ବ କରିବି। ଏଥି ନେଇ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ସଚିବଙ୍କୁ ଚିଠି ଲେଖିଛି। ମୁଁ ବିଶ୍ବ ପ୍ରତ‌ିଯୋଗିତାରେ ସ୍ବର୍ଣ୍ଣ ଜିତି ଫେରିଛି। ଏଥିପାଇଁ ଶନିବାର ମୋତେ ସରକାରଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯିବା କାର୍ଯ୍ୟକ୍ରମ ରହିଛି। ଏଠାରେ କ’ଣ ହେଉଛି ଦେଖୁଛି। ଯଦି କିଛି ନହୁଏ, ତାହେଲେ ଅଲିମ୍ପିକ୍ସର ମାସେ-ଦୁଇ ମାସ ପୂର୍ବରୁ ଅନ୍ୟ ରାଜ୍ୟକୁ ପ୍ରତିନିଧିତ୍ବ କରିବି ବୋଲି କ୍ଷୋଭର ସହ କହିଛନ୍ତି ଓଡ଼ିଶା ପାଇଁ ଅନେକ ଗୌରବ ଆଣିଥିବା ପ୍ରମୋଦ।