କେନ୍ଦ୍ରାପଡ଼ା ଯୌନ ଶୋଷଣ ମାମଲା : ପ୍ରମୋଦ ସାହୁଙ୍କୁ ଜାମିନ

କଟକ/କେନ୍ଦ୍ରାପଡ଼ା : ଯୌନ ଶୋଷଣ ଅପରାଧରେ ଗିରଫ ହେଇ ଜେଲ୍‌ରେ ଥିବା କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିର ପୂର୍ବତନ ସଭାପତି ପ୍ରମୋଦ ସାହୁଙ୍କୁ ହାଇକୋର୍ଟ ଆଜି ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ନିମ୍ନ ଅଦାଲତ ଆବଶ୍ୟକ ସର୍ତ୍ତ ରଖି ଶ୍ରୀ ସାହୁଙ୍କୁ ଜାମିନରେ ଛାଡିବେ ବୋଲି ନିର୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, କେନ୍ଦ୍ରାପଡ଼ା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟିରେ କାର୍ଯ୍ୟରତ ଜଣେ ଅଧସ୍ତନ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ, ଅସଦାଚରଣ, ହତ୍ୟା ଧମକ ଅଭିଯୋଗ ସଭାପତି ଶ୍ରୀ ସାହୁଙ୍କ ବିରୋଧରେ ଆସିଥିଲା। କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ ଗତ ମାସ ୪ ତାରିଖରେ ଅଭିଯୁକ୍ତ ଶ୍ରୀ ସାହୁଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଶ୍ରୀ ସାହୁ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍ କୋର୍ଟରେ ଜାମିନ ଆବେଦନ କରିଥିଲେ ହେଁ, ଅଦାଲତ ଏହାକୁ ଖାରଜ ‌କରିଦେବାରୁ ତାଙ୍କୁ ବାରିମୂଳସ୍ଥିତ ସବ୍‌ଜେଲକୁ ପଠାଇ ଦିଆଯାଇଥିଲା। ଏହାପରେ ସେ ଦୌରାଜଜ୍‌ ଅଦାଲତରେ ଜାମିନ ଆବେଦନ କରିଥିଲେ। ଦୌରାଜଜ୍‌ ଗତ ୭ ତାରିଖରେ ଜାମିନ ଆବେଦନ ଖାରଜ କରିଥିଲେ। ଏବେ ହାଇକୋର୍ଟ ଜାମିନ ପ୍ରଦାନ କରିବା ପରେ ଶ୍ରୀ ସାହୁଙ୍କ ଆଶ୍ବସ୍ତି ମିଳିଛି।

ସମ୍ବନ୍ଧିତ ଖବର