ପ୍ରମୋଦ ଶତପଥୀଙ୍କ ସ୍ମୃତିସଭା : ‘ସମ୍ବାଦ’ ଜଣେ କର୍ତବ୍ୟନିଷ୍ଠ କର୍ମଚାରୀଙ୍କୁ ହରାଇଲା

ଭୁବନେଶ୍ୱର : ‘ସମ୍ବାଦ’ର ବରିଷ୍ଠ କର୍ମଚାରୀ ପ୍ରମୋଦ କୁମାର ଶତପଥୀଙ୍କ ବିୟୋଗରେ ଏକ ସ୍ମୃତିସଭା ସମ୍ବାଦ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ସ୍ବର୍ଗତ ଶତପଥୀଙ୍କ ସ୍ମୃତିଚାରଣ କରି କହିଲେ, ନିକଟରେ ବିଜୟ ପଟ୍ଟନାୟକଙ୍କୁ ହରାଇ ମୁଁ ଡାହାଣ ହାତ ହରାଇଥିବା ବେଳେ ବିଜୟ ବାବୁଙ୍କ ଡାହାଣ ହାତ ପ୍ରମୋଦ ବାବୁଙ୍କୁ ସମ୍ବାଦ ହରାଇଲା। ନିଉଜ୍‌ ପ୍ରିଣ୍ଟ୍‌ର ଷ୍ଟକ୍‌ ବାବଦରେ ଟିକିନିଖି ହିସାବ ତାଙ୍କ ମୁହଁରେ ଥିଲା। କାର୍ଯ୍ୟଦକ୍ଷତା, କର୍ତବ୍ୟନିଷ୍ଠ ଓ ନିର୍ଭରଯୋଗ୍ୟ ବ୍ୟକ୍ତି ଭାବେ ସେ ସର୍ବଦା ମନେ ରହିବେ। କାହାର ବିୟୋଗଜନିତ ଶୂନ୍ୟସ୍ଥାନ ଅପୂରଣୀୟ ବୋଲି ସାଧାରଣତଃ ମୁଁ ଗ୍ରହଣ କରେନାହିଁ। ତେବେ ପ୍ରମୋଦ ବାବୁଙ୍କ ନିଷ୍ଠା ଓ କାର୍ଯ୍ୟଦକ୍ଷତା ମୋତେ ଏତେ ପ୍ରଭାବିତ କରିଥିଲା ଯେ ତାଙ୍କ ସ୍ଥାନ ସତରେ କେହି ପୂରଣ କରିପାରିବା ନେଇ ମନରେ ସନ୍ଦେହ ହେଉଥିବା ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ।

ଆୟୋଜିତ ଏହି ସ୍ମୃତିସଭାରେ ‘ସମ୍ବାଦ’ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ‘ସମ୍ବାଦ ଗ୍ରୁପ୍‌’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ, ‘ସମ୍ବାଦ’ର ପ୍ରକାଶକ କମଳାକାନ୍ତ ମହାପାତ୍ର, ‘ଆମ ଓଡ଼ିଶା’ର ସମ୍ପାଦକ ସ୍ବରାଜ ମିଶ୍ର, ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ, ଉପ ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ବିତ୍ତ ପରାମର୍ଶଦାତା ପ୍ରହ୍ଲାଦ ଦାଶ ପ୍ରମୁଖ ସ୍ବର୍ଗତ ଶତପଥୀଙ୍କ କର୍ତବ୍ୟ ପରାୟଣ, ଦାୟିତ୍ବ ସମ୍ପନ୍ନ ମନୋଭାବ, ସରଳ ଜୀବନ ବାବଦରେ ମତ ବ୍ୟକ୍ତ କରିବା ସହ କର୍ମମୟ ଜୀବନରେ ତାଙ୍କ ସହ ଜଡ଼ିତ କିଛି ମୁହୂର୍ତର ସ୍ମୃତିଚାରଣ କରିଥିଲେ। ସମ୍ବାଦ ଗ୍ରୁପ୍‌ ଡିଜିଟାଲ୍‌ ଓ ରେଡିଓ ଚକ୍‌ଲେଟ୍‌ର ମାର୍କେଟିଂ ମୁଖ୍ୟ ଲିଙ୍ଗରାଜ ଲେଙ୍କା, ଧୃତିକାମ ମହାନ୍ତି, ସଞ୍ଜୟ ଗୌରଙ୍କ ସମେତ ସମ୍ବାଦର କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର

Comments are closed.