ପ୍ରମୋଦିନୀ ହତ୍ୟା: ଥାନା ଅଧିକାରୀଙ୍କ ବିରୋଧରେ ତଦନ୍ତ ବାଟବଣା ଉଦ୍ୟମ ଅଭିଯୋଗ

ହତ୍ୟାକାଣ୍ଡରେ ଜଣେ ନୁହେଁ ଏକାଧିକ ସମ୍ପୃ୍କ୍ତ : ରମା

ବ୍ରହ୍ମପୁର/ଚିକିଟି : ପୁଲିସ ଉପସ୍ଥିତିରେ ଦେଖାଳି ଗାଁର କଣ୍ଟେଇଯୋଡ଼ି ନଦୀ କୂଳରେ ପ୍ରମୋଦିନୀଙ୍କୁ ହତ୍ୟା କରିବା ଦିନର ଡେମୋ ଦେଖାଇଛି ଅଭିଯୁକ୍ତ ପ୍ରକାଶ ବେହେରା। ଅନ୍ୟପକ୍ଷରେ ଏହି ହତ୍ୟାକାଣ୍ଡରେ ଜଣେ ନୁହେଁ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥାଇପାରେ। ସବୁ ଅଭିଯୁକ୍ତଙ୍କୁ ପୁଲିସ ଧରୁ ବୋଲି ମୃତା ପ୍ରମୋଦିନୀଙ୍କ ମାଆ ରମା ନାଇକ ଦାବି କରିଛନ୍ତି। ଏ ଘଟଣା ପଛରେ ରାଜନୈତିକ ଚାପର ଗନ୍ଧ ମିଳୁଥିବା ଅଭିଯୋଗ କରିଛନ୍ତି ବିଜେପି ନେତା ଶ୍ରୀକାନ୍ତ ପାଢ଼ୀ। ଏଣୁ କେସ୍‌କୁ ବାଟବଣା କରିବାକୁ ଥାନା ଅଧିକାରୀ ଉଦ୍ୟମ କରିଥିବା ଗୁରୁତର ଅଭିଯୋଗ ଆଣି ତାଙ୍କୁ ବରଖାସ୍ତ ସହ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି। ନିରପେକ୍ଷ ସଂସ୍ଥା ଦ୍ବାରା ଏହି ଘଟଣାର ତଦନ୍ତ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।

ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଦେଖାଳି ଗାଁର ପ୍ରମୋଦିନୀ ନାଇକ ହତ୍ୟା ଘଟଣାର ଅଭିଯୁକ୍ତ ପ୍ରକାଶ ବେହେରାକୁ କେ.ନୂଆଗାଁ ପୁଲିସ ଆଜି ଦିନିକିଆ ରିମାଣ୍ଡରେ ଆଣିଥିଲା। ଅଭିଯୁକ୍ତଙ୍କୁ ଦେଖାଳି ଗାଁକୁ ନିଆ ଯାଇଥିଲା। ସେଠାରେ ଅଭିଯୁକ୍ତ କିଭଳି ହତ୍ୟାକାଣ୍ଡ ଭିଆଇଥିଲା ତାହା ପୁଲିସ ସମ୍ମୁଖରେ ଦେଖାଇଥିଲା। ଦେଖାଳି ଗାଁର ପ୍ରମୋଦିନୀଙ୍କ ଘର ଠାରୁ କଣ୍ଟେଇଯୋଡ଼ି ନଦୀକୁ ଯିବାକୁ ଥିବା ରାସ୍ତା ଦେଇ ଅଭିଯୁକ୍ତ ଯାଇଥିଲେ। ନଦୀ ପଠାରେ ଲୁଚିକରି ଦେଖିବା ସ୍ଥଳ ଓ କିଭିଳି ହତ୍ୟା କରିଥିଲା ସେ ସବୁ ଡେମୋ ପ୍ରଦର୍ଶନ କରିଥିଲା ଅଭିଯୁକ୍ତ। ଏହି ଡେମୋ ବେଳେ ବ୍ରହ୍ମପୁର ଏସ୍‌ପି ପିନାକ୍‌ ମିଶ୍ର, ଅତିରିକ୍ତ ଏସ୍‌ପି ପ୍ରଶାନ୍ତ ମିଶ୍ର, ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ, କେ.ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ବେହେରା, ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠୀ ଓ ଜରଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଗାଁରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା। ପ୍ରାୟ ୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ଥିଲେ।

ଅନ୍ୟପକ୍ଷରେ ପ୍ରମୋଦିନୀ ହତ୍ୟା ଘଟଣାର ଖୁଲାସା ପରେ ତାଙ୍କ ମାଆ ରମା ନାଇକ ଏବଂ ବିଜେପି ନେତା ଶ୍ରୀକାନ୍ତ ପାଢୀ ସ୍ଥାନୀୟ ଗୋସାଇଁ ନୂଆଗାଁ ଠା‌ରେ ଏକ ସାମ୍ବାଦିକ ସମ୍ମଳନୀ କରି ଗୁରୁତର ଅଭିଯୋଗ ଆଣିଛନ୍ତି। ରମା କହିଛନ୍ତି, ପୁଲିସର ତଦନ୍ତ ଉପରେ ସେ ସନ୍ତୁଷ୍ଟ। କିନ୍ତୁ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦେଲେ ଯାଇ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ। ମୋ ଝିଅକୁ ଯେଉଁ ଭଳି ଭାବେ ହତ୍ୟା କରାଯାଇଛି ଏଥିରେ ଜଣେ ‌କେବଳ ସମ୍ପୃକ୍ତ, ଏହା ମୋର ବିଶ୍ବାସ ହେଉନାହିଁ। ଏଥିରେ ଆହୁରି ଦୁଇରୁ ତିନିଜଣ ସମ୍ପୃକ୍ତ ଥାଇ ପାରନ୍ତି। ପୁଲିସ ସବୁ ଦୋଷୀଙ୍କୁ ଧରୁ। କିନ୍ତୁ କେ.ନୂଆଗାଁ ଥାନା ଅଧିକାରୀଙ୍କ ଉପରେ ଭରସା ନାହିଁ। ପ୍ରକାଶକୁ ପୂର୍ବରୁ ୨ଥର ଆଣି ପଚରାଉଚରା କରି ଛାଡ଼ିଛନ୍ତି। ପ୍ରକାଶର ପରିବାର ବିଜେଡି ସହ ଅଛନ୍ତି। ଦଳିତ(ଛୋଟ ଜାତି) ଝିଅ ତାକୁ କିଏ କାହିଁକି ମାରିବ କହି ଥାନା ଅଧିକାରୀ ମୋତେ ଅପମାନିତ ମଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ବିଜେପି ନେତା ତଥା ଆଇନଜୀବୀ ଶ୍ରୀକାନ୍ତ ପାଢ଼ୀ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି, ପ୍ରମୋଦିନୀ ହତ୍ୟା ଘଟଣାରେ କେ.ନୂଆଗାଁ ଥାନାରେ ମେ ୧୦ ତାରିଖରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ଏହାର ଦିନକ ପରେ ପୁଲିସକୁ ଶବ ବ୍ୟବଛେଦ ରିପୋର୍ଟ ମିଳିଥିଲା। ଉକ୍ତ ରିପୋର୍ଟରେ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ଜଣା ପଡ଼ୁଥିଲା। କିନ୍ତୁ ପୁଲିସ ସେହିଦିନ ହତ୍ୟା ମକଦ୍ଦମା ରୁଜୁ କଲାନାହିଁ। ପ୍ରମୋଦିନୀଙ୍କ ମୃତ୍ୟୁର ୨୮ ଦିନ ପରେ ଅର୍ଥାତ ୮ ଜୁନରେ ଏହାକୁ ହତ୍ୟା ମାମଲାରେ ରୂପାନ୍ତର କରିଥିଲା। ଯେଉଁ ଦିନ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ସେହିଦିନ ହତ୍ୟା ମକଦ୍ଦମା ରୁଜୁ କରାଯାଇ ତଦନ୍ତ କରାଗଲା ନାହିଁ କାହିଁକି ବୋଲି ଶ୍ରୀ ପାଢୀ ପ୍ରଶ୍ନ କରିଛନ୍ତି। କେ.ନୂଆଗାଁ ଥାନା ଅଧିକାରୀ ପ୍ରଥମ ଦିନରୁ ହିଁ ଏହି ମାମଲାକୁ ଗୁରୁତ୍ବ ଦେଇ ନ ଥିଲେ। ତଦନ୍ତ ବେଳେ ସନ୍ଧାନୀ କୁକୁର କାହିଁକି ଅଣାଗଲା ନାହିଁ। ଘଟଣା ସ୍ଥଳରେ ପୁରୁଷ ଲୋକଙ୍କ ଚପଲ ପଡ଼ିଥିଲା। ସନ୍ଧାନୀ କୁକୁର ଆଣି ତଦନ୍ତ କରିଥିଲେ ପୁଲିସକୁ ସ‌ଙ୍ଗେ ସଙ୍ଗେ କିଛି ସୁରାକ୍‌ ମିଳି ଯିବାର ସମ୍ଭାବନା ରହିଥିଲା। ଗତ ଅକ୍ଟୋବର ୯ ତାରିଖରେ ପ୍ରମୋଦିନୀଙ୍କୁ ନ୍ୟାୟ ଦାବିରେ ଦେଖାଳିରେ ବିଜୁ ଛାତ୍ର ଜନତା ଦଳ ଦ୍ବାରା ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଉକ୍ତ ଶୋଭାଯାତ୍ରାରେ ବର୍ତ୍ତମାନ ଧରା ପଡ଼ିଥିବା ଅଭିଯୁକ୍ତ ଏବଂ ତାଙ୍କ ଭାଇ ସଞ୍ଜୟ ବେହେରା ଥିବ‌ା କୁହାଯାଉଛି। ଅଭିଯୁକ୍ତଙ୍କ ଭାଇ ବିଜେଡିରେ ରହିଛନ୍ତି। ‌ତେଣୁ ଏହି ଘଟଣାକୁ ଚାପିଦେବା ଲାଗି ରାଜ‌ୈନତିକ ଚାପ ରହିଥିଲା ବୋଲି ଶ୍ରୀ ପାଢ଼ୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ଚାପିବାରେ ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ଓ ବ୍ଲକ ଅଧ୍ୟକ୍ଷଙ୍କ ପରୋକ୍ଷରେ ହାତ ରହିଥିବା ସେ ଅଭିଯୋଗ କରିଛନ୍ତି।

ପ୍ରମୋଦିନୀ ଗାଧୋଉଥିବା ବେଳେ ଲୁଚିଛପି ପ୍ରକାଶ ଦେଖୁଥିଲା। ଏ ସଂକ୍ରାନ୍ତରେ ପ୍ରମୋଦିନୀ ତାଙ୍କ ମାମୁ ପୁଅ ଭାଇଙ୍କୁ ମେସେଜ୍‌ ପଠାଇଥିଲେ। ଏଥିସହ ପ୍ରମୋଦିନୀଙ୍କ ମାଆ ପ୍ରକାଶଙ୍କୁ ଗାଳି ଗୁଲଜ କରିଥିଲେ। ଏ ସଂକ୍ରାନ୍ତରେ ପ୍ରମୋଦିନୀଙ୍କ ମାଆ ବହୁ ପୂର୍ବରୁ ଥାନା ଅଧିକାରୀଙ୍କୁ ଜଣାଇଥିଲେ। ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ଦୁଇ ଥର ଆଣି ପଚରାଉଚରା ପରେ ଛାଡ଼ିଥିଲେ କାହିଁକି। କେ.ନୂଆଗାଁ ଥାନା ଅଧିକାରୀ ପ୍ରଥମରୁ ଏହି କେସ୍‌କୁ ବାଟବଣା କରିବାକୁ ଉଦ୍ୟମ କରି ଆସିଛନ୍ତି। ତେଣୁ ଥାନା ଅଧିକାରୀଙ୍କୁ ବରଖାସ୍ତ କରିବା ସହ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ନିରପେକ୍ଷ ତଦନ୍ତକାରୀ ସଂସ୍ଥାକୁ ଏହି କେସ୍‌ର ତଦନ୍ତ ଭାର ଦିଆଯାଉ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଣେ ଜଜ୍‌ଙ୍କ ତତ୍ତ୍ବାବଧାନରେ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଗତ ମେ ୧୦ତାରିଖରେ ଦେଖାଳି ଗାଁ ପ୍ରମୋଦିନୀ ନାଇକ କଣ୍ଟେଇଯୋଡ଼ି ନଦୀରେ ଗାଧୋଉଥିବା ବେଳେ ତାଙ୍କ ହତ୍ୟା କରାଯାଇଥିଲା। ଦୀର୍ଘ ୭ମାସ ପରେ ବ୍ରହ୍ମପୁର ଏହି ଘଟଣା ଉପରୁ ପରଦା ହଟାଇଥିଲା। ଏହି କେସ୍‌ରେ ଗତକାଲି ଦେଖାଳି ଗାଁର ପ୍ରକାଶ ବେହେରାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର