ସମ୍ବଲପୁର: ବିଜେଡିର ସମ୍ବଲପୁର ସଙ୍ଗଠନ ଏବଂ କର୍ମକର୍ତ୍ତାଙ୍କ ସୁବିଧା-ଅସୁବିଧା ଦାୟିତ୍ବ ମୋର। ସମ୍ବଲପୁର ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ବିଜେଡି କର୍ମୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଥିବା ପ୍ରଣବ ପ୍ରକାଶ ଦାସ ଓରଫ ବବି କିନ୍ତୁ ନିର୍ବାଚନ ପରଠାରୁ ଆଉ ଥରୁଟିଏ ମଧ୍ୟ ସମ୍ବଲପୁରକୁ ଆସିନାହାନ୍ତି। ଏପରିକି କୌଣସି ଦଳୀୟ ସମସ୍ୟା ନେଇ ସମ୍ବଲପୁର ବିଜେଡି କର୍ମକର୍ତ୍ତାମାନେ ଭୁବନେଶ୍ବର ଶଙ୍ଖ ଭବନକୁ ଗଲେ ମଧ୍ୟ ପ୍ରଣବ ପ୍ରକାଶଙ୍କୁ ଭେଟି ପାରୁନଥିବା ଅଭିଯୋଗ ହେଉଛି। 

Advertisment

ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶଙ୍କ ବାପା ସ୍ବର୍ଗତ ଅଶୋକ ଦାସ ଦିନେ ସମ୍ବଲପୁର ଜିଏମ୍‌ କଲେଜର ଛାତ୍ର ଥିଲେ। କେବଳ ଏହି ଗୋଟିଏ ପୃଷ୍ଠଭୂମି ବ୍ୟତୀତ ସମ୍ବଲପୁର ସହିତ ପ୍ରଣବଙ୍କର କେବେ କୌଣସି ସମ୍ପର୍କ ରହିନାହିଁ। ଏପରିକି ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ଷାଧିକ ସମୟ ଧରି ଏଠାରେ ତାଙ୍କର କୌଣସି ସାଙ୍ଗଠନିକ ପ୍ରସ୍ତୁତି ମଧ୍ୟ ନଥିଲା। ଏହା ସତ୍ତ୍ବେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଲଢ଼ି ୩୯.୪୭ ପ୍ରତିଶତ ଅର୍ଥାତ୍‌ ୪.୭୧ ଲକ୍ଷ ଭୋଟ ପାଇଲେ। ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀଙ୍କ ବ୍ୟତୀତ ବହୁଧା ବିଭକ୍ତ ସମ୍ବଲପୁର ବିଜେଡି ଗୋଷ୍ଠୀର ସମସ୍ତଙ୍କଠାରୁ ସେ ସମର୍ଥନ ବି ପାଇଲେ। ମେ ୧୯ ତାରିଖ ରାତିରୁ ସମ୍ବଲପୁର ଛାଡ଼ିବା ପରଠାରୁ ଦଳୀୟ ଅଥବା କୌଣସି ରାଜନୈତିକ କାର୍ଯ୍ୟକଳାପ ନେଇ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରେ ଆଉ ତାଙ୍କର ପାଦ ପଡ଼ିନାହିଁ। ଏମିତିକି ୨୫ ତାରିଖ ଭୋଟ୍‌ ଗ୍ରହଣ ଏବଂ ଜୁନ ୪ ତାରିଖ ଫଳାଫଳ ଘୋଷଣା ଦିନ ମଧ୍ୟ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୌଣସି ନିର୍ବାଚନ କ୍ଷେତ୍ରରେ ସେ ଉପସ୍ଥିତ ନଥିଲେ। ନିର୍ବାଚନ ପରେ କେବଳ ରେଙ୍ଗାଲି ବିଧାୟକଙ୍କ ପାରିବାରିକ ଉତ୍ସବରେ ଯୋଗଦାନ ପାଇଁ ଥରୁଟିଏ ଆସିଥିଲେ। ଏହି ଅବସରରେ ସମ୍ବଲପୁର ବିଜେଡିର ଦୁର୍ବଳ ସାଙ୍ଗଠନିକ ସ୍ଥିତି ବାବଦରେ ଅବଗତ ହୋଇ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାକୁ ସଜାଡ଼ିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।

ବିଜେଡି ଅଫିସ୍‌ ଗୃହରେ ତାଲା ଝୁଲୁଛି
ସବୁ ଗୋଷ୍ଠୀର ସମର୍ଥନ ପାଇ ବି ନିରାଶ କଲେ

ଅନ୍ୟପକ୍ଷରେ ରାଜ୍ୟ ସଭାପତିଙ୍କ ନିଷ୍ପତ୍ତି ଅନୁସାରେ ବିଭିନ୍ନ ଜିଲ୍ଲାରେ ମୋହନ ସରକାରଙ୍କ ବିରୋଧରେ ପ୍ରତିବାଦ କାର୍ଯ୍ୟକ୍ରମ ଏବଂ ଜନସମ୍ପର୍କ ପଦଯାତ୍ରା ହୋଇଥିଲା। କିନ୍ତୁ ସମ୍ବଲପୁରରେ ହେଲାନାହିଁ। ସଭ୍ୟପଦ ସଂଗ୍ରହ ଅଭିଯାନ ଏକପାଖିଆ ହୋଇ ରହିଲା। ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଅନୁସାରେ, ସମ୍ବଲପୁରରେ ଆଜି ପର୍ଯ୍ୟନ୍ତ ବିଜେଡିର ସ୍ବତନ୍ତ୍ର ଦଳୀୟ କାର୍ଯ୍ୟାଳୟଟିଏ ନାହିଁ। ବଡ଼ ନେତାଙ୍କ ବାସଭବନରେ କାର୍ଯ୍ୟାଳୟ ଚାଲେ। ଏହାକୁ ଗ୍ରହଣ କରିପାରି ନପାରି ପ୍ରଣବ ନିର୍ବାଚନ ବେଳେ ଅମ୍ବିରାନଗରରେ ବିଜେଡି ପାଇଁ କାର୍ଯ୍ୟାଳୟ ଖୋଲିଲେ। ଏଣିକି ଅମ୍ବିରାନଗର କାର୍ଯ୍ୟାଳୟରେ ବିଜେଡି ପରିଚାଳିତ ହେବ ବୋଲି ଘୋଷଣା କଲେ। କିନ୍ତୁ ନିର୍ବାଚନ ପରଠାରୁ ଅମ୍ବିରାନଗର କାର୍ଯ୍ୟାଳୟ ଅବ୍ୟବହୃତ ଅବସ୍ଥାରେ ରହିଛି। ରାଜ୍ୟ ସ୍ତରରେ ବିଜେଡିର କୌଣସି ସାଙ୍ଗଠନିକ କାର୍ଯ୍ୟକ୍ରମ ଏଠାରେ ହୋଇନାହିଁ। ବରଂ ଅସମର୍ଥିତ ସୂତ୍ର ଅନୁସାରେ, ଏହାକୁ ବିକ୍ରି ପାଇଁ ଯୋଜନା କରାଯାଉଛି। ତେବେ ପ୍ରଣବ ପ୍ରକାଶ ଜଣେ ମାତ୍ର ନୁହନ୍ତି, ୨୦୧୪ ମସିହାରେ ସାଂସଦ ହୋଇଥିବା ନଗେନ୍ଦ୍ର ପ୍ରଧାନ ଏବଂ ୨୦୧୯ ମସିହାର ସାଂସଦ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ କେହି ମଧ୍ୟ ନିର୍ବାଚନ ପରେ ଆଉ ସମ୍ବଲପୁର ବିଜେଡିର ସାଙ୍ଗଠନିକ ଅଭିବୃଦ୍ଧିରେ ମୁଣ୍ଡ ପୂରାଇ ନାହାନ୍ତି। ଉଭୟ ନଗେନ୍ଦ୍ର ଏବଂ ନଳିନୀ ଅନୁଗୁଳ ଜିଲ୍ଲା ରାଜନୀତିରେ ବ୍ୟସ୍ତ ରହିଥିଲେ।