ବିଧାୟକ ପ୍ରଣବ ପ୍ରକାଶ ଦାସ ବିଜେଡି ସାଂଗଠନିକ ମୁଖ୍ୟ

ଭୁବନେଶ୍ବର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦଳର ଯୁବ ନେତା ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଙ୍କୁ ଆନୁଗତ୍ୟ ଓ ପରିଶ୍ରମର ପୁରସ୍କାର ଦେଇଛନ୍ତି। ଶାସକ ବିଜେଡିର ସାଂଗଠନିକ ଦାୟିତ୍ୱ (ସାଂଗଠନିକ ସଂପାଦକ) ଆନୁଷ୍ଠାନିକ ଭାବେ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଉପରେ ନ୍ୟସ୍ତ କରାଯାଇଛି। ୨୬ ତାରିଖ ଦିନ ଅଷ୍ଟମ ଥର ସଭାପତି ଭାବେ ନିର୍ବାଚିତ ହେବା ପରେ ନବୀନଙ୍କର ଏହା ପ୍ରଥମ ସାଂଗଠନିକ ନିଯୁକ୍ତି।

ଆଜି ବିଜୁ ଜୟନ୍ତୀ ଅବସରରେ ନବୀନ ୨୦୧୪, ୨୦୧୯ ସାଧାରଣ ନିର୍ବାଚନ ଓ ବିଜେପୁର ତଥା ପାଟକୁରା ଉପ ନିର୍ବାଚନମାନଙ୍କରେ ବବିଙ୍କ ସାଂଗଠନିକ ଦକ୍ଷତାର ପ୍ରଶଂସା କରି ତାଙ୍କୁ ଦଳର ସମସ୍ତ ସଂଗଠନର ମୁଖିଆ ଭାବେ ଘୋଷଣା କରିଥିଲେ।

ଜନତାଦଳ ସଭାପତି ଅଶୋକ ଦାସଙ୍କ ପରଲୋକ ପରେ ତାଙ୍କ ପୁଅ ବବି ବିଜେଡିରେ ଯୋଗ ଦେଇଥିଲେ ଓ ୨୦୦୯ରେ ପ୍ରଥମେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ୨୦୧୨ ପରେ ତାଙ୍କର ରାଜନୈତିକ ଅଭ୍ୟୁଦୟ ହୋଇଥିଲା। ୨୦୧୬ ମସିହା ପରଠାରୁ ତୃତୀୟ ମହଲାରେ ତାଙ୍କର ଗୁରୁତ୍ବ ବଢିଥିବା ଦଳୀୟ ନେତାମାନେ ଉପଲବ୍ଧି କରିଥିଲେ। ପଞ୍ଚାୟତ ନିର୍ବାଚନରେ ସମସାମୟିକ ନେତାଙ୍କୁ ଧରି ବବି ମନ୍ତ୍ରୀ ପଦ ତ୍ୟାଗ କରିବା ସହିତ ସାଂଗଠନିକ ଦାୟିତ୍ବ ନେବା ଲାଗି ଆଗ୍ରହ ଦେଖାଇଥିଲେ। ହେଲେ ଅନ୍ୟମାନଙ୍କ ତୁଳନାରେ ସେ ନବୀନଙ୍କର ଅଧିକ ଘନିଷ୍ଠ ହେବାରେ ସକ୍ଷମ େହାଇଥିଲେ।

୨୦୨୦ ଫେବ୍ରୁଆରିରେ ଦଳର ସାଂଗଠନିକ ନିର୍ବାଚନ ଥିଲେ ହେଁ, ପରୀକ୍ଷାମୂଳକ ଭାବେ ନବୀନ ଦୁଇଟି ପଦବି ସୃଷ୍ଟି କରିଥିଲେ। ଗୋଟିଏ ସାଧାରଣ ସଂପାଦକ (ସଂଗଠନ) ଓ ଅନ୍ୟଟି ସାଧାରଣ ସଂପାଦକ (ମୁଖ୍ୟାଳୟ)। ଏହି ନିଯୁକ୍ତି ସହିତ ଦଳୀୟ ନେତାଙ୍କ ପ୍ରତିକ୍ରିୟା ପରଖିଥିଲେ ନବୀନ। ପରେ ଆଜି ନବୀନ ନିଜେ ତାଙ୍କୁ ସଂଗଠନର ସମ୍ପୂର୍ଣ୍ଣ ଦାୟିତ୍ବ ସମର୍ପିଛନ୍ତି। ଗତ କିଛିଦିନ ଧରି ବବିଙ୍କୁ କ୍ରାଇସିସ୍ ମ୍ୟାନେଜର ବା ସଙ୍କଟମୋଚକ ବୋଲି ଚିତ୍ରଣ କରାଯାଉଥିଲା।

ଉଲ୍ଲେଖଯୋଗ୍ୟ ଯେ ବିଜେପି ଢାଞ୍ଚାରେ ବିଜେଡି ଏବେ କ୍ୟାଡର ଭିତ୍ତିକ ଦଳ ଭାବେ ନିଜକୁ ଗଢିବାକୁ ଉଦ୍ୟମ କରୁଛି। ପ୍ରଥମ ଥର ପାଇଁ ଦଳରେ ଏଭଳି ପଦବି ସୃଷ୍ଟି କରାଯାଇଛି ଓ ଦଳୀୟ ନେତୃତ୍ବ ସବୁ କର୍ମୀଙ୍କ ଡାଟାବେସ୍ ପ୍ରସ୍ତୁତ କରିଛନ୍ତି।

ସମ୍ବନ୍ଧିତ ଖବର