ଅର୍ବାନ୍ ବ୍ୟାଙ୍କ ଜମାକାରୀଙ୍କ ଟଙ୍କା ଫେରସ୍ତ ରାୟ ପରେ ବବି’ଙ୍କ ବାରିପଦା ଗସ୍ତ

ଜନ୍ମ ଦିନରେ ବାରିପଦାକୁ ଭେଟି, କୁସୁମା ଭଳି ସଜେଇ ହେବ ବଡ଼ ପୋଖରୀ
ଗଡ଼ ସଜଡ଼ା ଚିନ୍ତା, ବିଭିନ୍ନ ବର୍ଗର ନାଗରିକ ସମାଜ ସହିତ ଆଲୋଚନା
ସାମାଜିକ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ବ

ବାରିପଦା : ଜନ୍ମଦିନ ଅବସରରେ ବିଜେଡି ସଂଗଠନ ସମ୍ପାଦକ ତଥା ପାୱାର୍ କରିଡରର ନିକଟତମ ପ୍ରଣବ ପ୍ରକାଶ ଦାସ(ବବି) ବାରିପଦା ଗସ୍ତରେ ଆସି ସାମାଜିକ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଛନ୍ତି। ମୟୂରଭଞ୍ଜରେ ଦଳୀୟ ପର୍ଯ୍ୟବେକ୍ଷକ ଥିବା ବବି ଏହି ଗସ୍ତ ଅବସରରେ ବାରିପଦା ସହରରେ ଥିବା ପ୍ରାଚୀନ ପୋଖରୀ ବଡ଼ପୋଖରୀର ପନରୁଦ୍ଧାର କରାଯିବା ସହିତ ଏହାକୁ ଯାଜପୁରର କୁସୁମା ପୋଖରୀ ଭଳି ସଜେଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ରାଜା ରାଜୁଡ଼ା ଅମଳର ଏହି ପୁରାତନ ପୋଖରୀ ଆଜିକା ଦିନରେ ଅବହେଳିତ ହୋଇପଡ଼ିରହିଛି। ତେବେ ଏହାର ସୌନ୍ଦର୍ଯ୍ୟକରଣ କରାଯିବା ସହିତ ଏହାକୁ ଏକ ପର୍ଯ୍ୟଟନକ୍ଷେତ୍ରରେ ପରିଣତ କରିବାକୁ ବିଭିନ୍ନ ସାମାଜିକ ସଂଗଠନ ତଥା ବରିଷ୍ଠ ନାଗରିକଙ୍କ ସହିତ ଆଲୋଚନା ଅବସରରେ ପ୍ରକାଶ କରିଛନ୍ତି।

ଜନ୍ମଦିନରେ ବାରିପଦାକୁ ଏହା ବବିଙ୍କର ଏକ ଭେଟି ବୋଲି ଚର୍ଚ୍ଚା ହେଉଛି। ସେହିପରି ବହୁଚର୍ଚ୍ଚିତ ବାରିପଦା ଅର୍ବାନ୍ ବ୍ୟାଙ୍କ ଜମାକାରୀଙ୍କ ଜମାରାଶି ଫେରସ୍ତ ନେଇ ହାଇକୋର୍ଟଙ୍କ ରାୟ ପରେ ବବିଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ବବହନ କରୁଛି। ଜମାକାରୀମାନେ ସେମାନଙ୍କର ଉପାର୍ଜିତ ଅର୍ଥ ଯେପରି ସହଜରେ ଫେରିପାଇପାରିବେ ସେନେଇ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଏବଂ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଜିଲ୍ଲାରେ ବିଜେଡିକୁ ତୃଣମୂଳସ୍ତରରୁ ମଜଭୁତ କରିବା ତଥା ବିଭିନ୍ନ ବର୍ଗର ନାଗରିକଙ୍କୁ ଦଳପ୍ରତି ଆକୃଷ୍ଟ କରିବାନେଇ ପର୍ଯ୍ୟବେକ୍ଷକ ଶ୍ରୀ ଦାସ ଆଜି ସାମାଜିକ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ବାରୋପ କରିଥିଲେ। ଏହି କ୍ରମରେ ଶ୍ରୀ ଦାସ ସ୍ଥାନୀୟ ସର୍କିଟ୍ ହାଉସ୍‌ରେ ପ୍ରଥମେ ଦଳୀୟ ନେତା ଏବଂ କର୍ମୀଙ୍କ ସହିତ ଆଲୋଚନା ପରେ ବାରିପଦା ପୌରପରିଷଦର ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ସଂଗଠନ ଓ ନାଗରିକଙ୍କ ସହିତ ବିଚାରବିମର୍ଷ କରିଥିଲେ। ୱାର୍ଡ ନଂ-୨୨ ରଘୁନାଥପୁର ଅଞ୍ଚଳରେ ଥିବା ଏକ ମନ୍ଦିରରେ ବରିଷ୍ଠ ନାଗରିକମାନଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ପାଲବଣୀରୁ ବାଲେଶ୍ବର ଗୋଲେଇ ପର୍ଯ୍ୟନ୍ତ ହେବାକୁ ଥିବା ଫ୍ଲାଏ ଓଭର ନିର୍ମାଣ କାରଣରୁ କ୍ଷତିଗ୍ରସ୍ତ ବ୍ୟବସାୟୀମାନଙ୍କ ସହିତ ଆଲୋଚନା କରିଥିଲେ। ସେମାନଙ୍କର ଥଇଥାନ ଆଦି ନେଇ ପ୍ରତିଶ୍ରୁତି ଦେଇଥିଲେ। ଅବସରପ୍ରାପ୍ତ ବହୁ ବରିଷ୍ଠ ସରକାରୀ କର୍ମଚାରୀ, ବ୍ୟାଙ୍କ ଅଧିକାରୀ ଆଦିଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

Sambad English

ସେହିପରି ବାରିପଦା ସହରର ପ୍ରମୁଖ ବ୍ୟବସାୟୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ବାରିପଦାର ବହୁଦିନର ପ୍ରମୁଖ ଦାବି ଆଡ଼ିବନ୍ଧ ନିର୍ମାଣ ନେଇ ବିଭାଗୀୟ ସଚିବଙ୍କ ସହିତ କଥା ହୋଇଥିଲେ ଶ୍ରୀ ଦାସ। ଆଗାମୀ ପୌରନିର୍ବାଚନକୁ ଦୃଷ୍ଟିରେ ରଖିଲେ ଅର୍ବାନ୍ ବ୍ୟାଙ୍କ ଜମାକାରୀଙ୍କୁ ସେମାନଙ୍କର ଜମାରାଶି ଫେରସ୍ତ ରାୟ ପରେ ବବି’ଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ବ ବହନ କରୁଛି। ଆଗାମୀ ପୌରନିର୍ବାଚନରେ ବିଜେଡିକୁ ବିପୁଳ ବିଜୟ ଦେବାକୁ କର୍ମୀଙ୍କୁ ଜନ୍ମଦିନର ଉପହାର ଭାବେ ମାଗିଥିଲେ ବବି। ସେହିପରି ଜିଲ୍ଲାରେ ଦଳକୁ ପୁଣି ଏକ ନମ୍ବର କରିବାକୁ ସେ ସମସ୍ତ ନେତାଙ୍କୁ ଏକାଠି ହୋଇ କାମ କରିବାକୁ ଆହ୍ବାନ କରିଥିଲେ। ପୂର୍ବରୁ ପର୍ଯ୍ୟବେକ୍ଷକଭାବେ ଦାୟିତ୍ୱ ନେବା ସମୟରେ ସିଧାସଳଖ ଲୋକଙ୍କ ସହିତ ଭେଟିବାକୁ କହିଥିବା ଶ୍ରୀ ଦାସ ଆଜି ବିଭିନ୍ନ ନାଗରିକ ସମାଜ ସହିତ ଆଲୋଚନା କରିବା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ବାରିପଦା ପୌରପରିଷଦର ସାମଗ୍ରୀକ ବିକାଶ ନିମନ୍ତେ ବିଜେଡି ଚିନ୍ତିତ ଥିବା ପରୋକ୍ଷରେ ବବି ସମସ୍ତଙ୍କୁ ଜଣାଇବାକୁ ଚାହୁଁଥିବା ପରିଲକ୍ଷିତ ହୋଇଛି। ଏହି ଅବସରରେ ଦଳୀୟ ଜିଲ୍ଲା ସଭାପତି ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ଏସ୍‌ଡିସି ଅଧ୍ୟକ୍ଷ ତଥା ଜିଲ୍ଲାକାର୍ଯ୍ୟକାରୀ ସଭାପତି ଦେବାଶିଷ ମାର୍ଣ୍ଡିଙ୍କ ସମେତ ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତା ପ୍ରମୁଖ ସାମିଲ ଥିଲେ। ଏହାପରେ ଶ୍ରୀ ଦାସ ରାଇରଙ୍ଗପୁର ଗସ୍ତରେ ଯାଇ ସହିଦ୍ ନୁଦୁରାମ ସୋରେନଙ୍କ ପରିବାରକୁ ଭେଟିଥିଲେ।

ଉଲ୍ଲେଖଯୋଗ୍ୟଯେ ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଜିଲ୍ଲାର ୯ ବିଧାନସଭା ଆସନ ମଧ୍ୟରୁ ୬ଟିରେ ବିଜେପି ନିକଟରୁ ପରାଜୟବରଣ କରିଛି। ମାତ୍ର ୩ ବିଧାନସଭା ଆସନ ଜିଣିଥିବାବେଳେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ମଧ୍ୟ ବିଜେପି ନିକଟରୁ ପରାସ୍ତ ହୋଇଛି। ମାତ୍ର ୨୦୧୪ ବିଧାନସଭା ନିର୍ବାଚନରେ ଜିଲ୍ଲାର ସମସ୍ତ ଆସନକୁ ବିଜେଡି ଦଖଲ କରିଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନରେ ଜିଲ୍ଲାରେ ଦଳ ଫେଲ୍ ମାରିବା ପରେ ସଂଗଠନ ଦାୟିତ୍ବ ସିଧାସଳଖ ବବି’ଙ୍କ କାନ୍ଧକୁ ଆସିଛି । ସାମାଜିକ ସମ୍ପର୍କ ମାଧ୍ୟମରେ ଜିଲ୍ଲାରେ ପୁନର୍ବାର ବିଜେଡିକୁ ଭୋଟରଙ୍କ ନିକଟବର୍ତ୍ତୀ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

ସମ୍ବନ୍ଧିତ ଖବର