ନିଜେ ଜଳି ବିଶ୍ୱକୁ ଆଲୋକିତ କରିଥିଲେ ପ୍ରାଣନାଥ: ରାଜ୍ୟପାଳ

ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକଙ୍କ ସ୍ମୃତି ସମାରୋହ

ଭୁବନେଶ୍ବର : ବିପ୍ଲବୀ ପ୍ରାଣନାଥ ପଟ୍ଟନାୟକଙ୍କ ୪୯ତମ ସ୍ମୃତି ସମାରୋହ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ସ୍ମୃତି ସମିତିର ସଭାପତି ତଥା ଶିକ୍ଷାବିତ୍ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଲେ, ପ୍ରାଣନାଥ ବାବୁ ଜଣେ ଜଳୁଥିବା ମହମବତି ଥିଲେ। ସେ ନିଜେ ଜଳି ବିଶ୍ବକୁ ଆଲୋକିତ କରିବା ପାଇଁ ଚେଷ୍ଟା କରୁଥିଲେ। କାର୍ଲ ମାର୍କ୍ସ, ମାହାତ୍ମା ଗାନ୍ଧୀ, ଲୋକନାୟକ ଜୟପ୍ରକାଶ ନାରାୟଣ, ରାମକୃଷ୍ଣ ପରମହଂସ, ଶ୍ରୀ ଅରବିନ୍ଦଙ୍କ ଭଳି ବ୍ୟକ୍ତିତ୍ବ ଥିଲା ପ୍ରାଣନାଥଙ୍କର। ସର୍ବଦା ତାଙ୍କର ହସ ହସ ମୁହଁ ରହିଥିଲା। ଏହା ତାଙ୍କ ବ୍ୟକ୍ତିତ୍ବକୁ ପରିପ୍ରକାଶ କରୁଥିଲା ବୋଲି ରାଜ୍ୟପାଳ କହିଥିଲେ।

ସମ୍ମାନିତ ଅତିଥି ତଥା ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଲେ, ପ୍ରାଣନାଥ ବାବୁଙ୍କ ସହ ତାଙ୍କ ପରିବାରର ସଂପର୍କ ରହିଥିଲା। ସେ ଅତ୍ୟନ୍ତ ସରଳ ବ୍ୟକ୍ତି ଥିଲେ। ସବୁବେଳେ ‌ଧୋତି, ସାର୍ଟ ଓ ଚପଲ ପରିଧାନ କରୁଥିଲେ। ତାଙ୍କ ସହିତ ଆଲୋଚନା କରିବା ବେଳେ ମନରେ ଏକ ନୂତନ ଉତ୍ସାହ ସୃଷ୍ଟି ହେଉଥିଲା। ଦାରିଦ୍ର୍ୟ ଦୂରୀକରଣ, ଶିକ୍ଷାର ପ୍ରସାର କ୍ଷେତ୍ରରେ ସେ ଯଥେଷ୍ଟ ଉଦ୍ୟମ କରିଥିଲେ। ତେଣୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜରେ ପରିବର୍ତନ ଆଣିପାରିଲେ ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ଦାସ ମତ ରଖିଥିଲେ।

‘ସମ୍ବାଦ’ ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ପ୍ରାଣନାଥଙ୍କ ପୁଣ୍ୟତିଥି ସତ୍‌ସଙ୍ଗ ସହିତ ତୁଳନୀୟ। ଚାଷୀ ମୂଲିଆଙ୍କଠାରୁ ଆରମ୍ଭ ସାମ୍ୟବାଦ ଓ ସର୍ବହରାଙ୍କ ପାଇଁ ସେ ସର୍ବଦା ଲଢ଼େଇ କରୁଥିଲେ। ରାଜନେତାମାନଙ୍କ ପାଇଁ ଦାରିଦ୍ର୍ୟ ଉଭୟ ସୁବିଧା ଓ ସଂଭାବନା କାରଣ ପାଲଟିଛି। ତେବେ ସେ ଯେଉଁ ବିଚାରଧାରାରେ ବିଶ୍ବାସ କରୁଥିଲେ, ସେହି ବିଚାରଧାରାର ବ୍ୟକ୍ତିମାନଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଏଭଳି ଏକ ସଂକଟ ସମୟରେ ଭିନ୍ନ ମତକୁ ପ୍ରଶୟ ଦେବା ପାଇଁ ଆଜିର କ୍ଷମତାସୀନ ବ୍ୟବସ୍ଥା ସଂକୋଚ କରୁଛି। ବିବିଧତା ଭିତରେ ଏକତା ବଞ୍ଚିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଭାରତର ଏକ ସ୍ବତନ୍ତ୍ର ବିଚାର ରହିଛି। ତେବେ ଏହି ବିଚାରକୁ ବଞ୍ଚାଇ ରଖିବାକୁ ହେଲେ ଯେଉଁ ମାନସିକତାର ଆବଶ୍ୟକତା ରହିଛି ସେଥିପାଇଁ ସମସ୍ତଙ୍କୁ ସଂକଳ୍ପ ନେବାକୁ ହେବ। ଏହା କରିପାରିଲେ ପ୍ରା‌ଣନାଥଙ୍କ ପ୍ରତି ଏହା ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ କହିଲେ, ଆରମ୍ଭରୁ ଗାନ୍ଧୀବାଦୀ ଥିବା ପ୍ରାଣନାଥ ପରବର୍ତୀ ସମୟରେ ବାମପନ୍ଥୀ ଚିନ୍ତାଧାରାରେ ନିଜକୁ ସାମିଲ କରିଥିଲେ। ନିଶା ଏବେ ବହୁ ଧନଜୀବନ ନଷ୍ଟ କରୁଛି। ଆଜି ଯଦି ପ୍ରାଣନାଥ ବାବୁ ବଞ୍ଚିଥାନ୍ତେ ତା’ ହେଲେ ସେ ନିଶା ବିରୋଧରେ ହେଉଥିବା ଆନ୍ଦୋଳନର ନେତୃତ୍ବ ନେଇଥାନ୍ତେ ବୋଲି ଶ୍ରୀ ନାୟକ କହିଥିଲେ।

ଏହି ଅବସରରେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଧିତ କରାଯାଇଥିଲା। ପରେ ଭାଓଲିନ୍ ବାଦକ ରାକେଶ ବିଶ୍ବାଳ ମଧ୍ୟ ସମ୍ବର୍ଧିତ ହୋଇଥିଲେ। ପ୍ରାରମ୍ଭରେ ସ୍ମୃତି ସମିତିର ସଂପାଦକ ଦିଲ୍ଲୀପ ହାଲି ସ୍ବାଗତ ଭାଷଣରେ ବିପ୍ଲବୀ ନେତା ପ୍ରାଣନାଥଙ୍କ ୫୦ବର୍ଷ ଶ୍ରାଦ୍ଧ ଉତ୍ସବରେ ସ୍ମାରକୀ ଡାକ ଟିକେଟ୍ ପ୍ରଚଳନ କରାଯିବ ବୋଲି କହିଥିଲେ। ଶ୍ରୀୟା ଟକିଜ୍‌ଠାରୁ ବୟନିକା ରାସ୍ତାକୁ ପ୍ରାଣନାଥ ମାର୍ଗ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରୀୟା ଛକରେ ବ୍ରୋଞ୍ଜ ପ୍ରତିମୂର୍ତି ନିର୍ମାଣ ହୋଇଥିବା ସଂପର୍କରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ।

ସମ୍ବନ୍ଧିତ ଖବର