ପାଠ୍ୟକ୍ରମରେ ପରିବେଶ ବିଜ୍ଞାନ ସାମିଲ୍‌ ହେଉ

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଦାବି ପତ୍ର ଦେଲା ପ୍ରେରଣା, ନାରୀ ଶକ୍ତି ସଂଗଠନ

ଭୁବନେଶ୍ବର : ବର୍ତ୍ତମାନ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି, ଅଦିନିଆ ଝଡ଼, ଅତି ବୃଷ୍ଟି, ଅନାବୃଷ୍ଟି ଭଳି ସମସ୍ୟା ବିଶ୍ବବାସୀଙ୍କ ଆଗରେ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏହାର ମୁକାବିଲା ପାଇଁ ଜନ‌ସଚେତନତା ସୃଷ୍ଟି କରିବା, ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା, ଜଙ୍ଗଲ ସୁରକ୍ଷା ଓ ବ୍ୟାପକ ବୃକ୍ଷରୋପଣ ପାଇଁ ପରିବେଶ ବିଜ୍ଞାନୀମାନେ ପରାମର୍ଶ ଦେଇଛନ୍ତି। ଏପରି ସଙ୍କଟଜନକ ସ୍ଥିତିରେ ପ୍ରତ୍ୟେକ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମରେ ପରିବେଶ ବିଜ୍ଞାନକୁ ସାମିଲ୍‌ କରିବାକୁ ସାମାଜିକ ଅନୁଷ୍ଠାନ ‌ପ୍ରେରଣା ଓ ନାରୀ ଶକ୍ତି ସଂଗଠନ ପକ୍ଷରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ମାଧ୍ୟମରେ ଦାବି ପତ୍ର ପ୍ରଦାନ କରାଯାଇଛି।

ଏହି ଦାବିପତ୍ରରେ ଦର୍ଶାଯାଇଛି ଯେ ଫିଲିପାଇନ୍ସ ଭଳି ଦେଶରେ ଜଣେ ଡିଗ୍ରିଧାରୀ ଛାତ୍ର କି ଛାତ୍ରୀ ଅଧ୍ୟୟନ ସମୟରେ ୧୦ଟି ଗଛ ଲଗାଇ ତା’ର ଯତ୍ନ ନନେଲେ ସେ ଡିଗ୍ରି ପ୍ରମାଣପତ୍ର ପାଇପାରିବେ ନାହିଁ। ଅନୁରୂପ ଭାବେ ଆମ ଦେଶର ପାଠ୍ୟକ୍ରମରେ ପରିବେଶ ଶିକ୍ଷାକୁ ବାଧ୍ୟତାମୂଳକ କରିବା ସହ ବୃକ୍ଷରୋପଣ ଓ ଜଙ୍ଗଲ ସୁରକ୍ଷା କରିବା ପାଇଁ ପ୍ରତି ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟରେ ଗ୍ରିନ୍ ଆର୍ମି ଶାଖା ଖୋଲାଯାଉ।

ଆଜି ପ୍ରେରଣା ଗ୍ରିନ୍ ଆର୍ମିର ଚିଫ୍ କମାଣ୍ଡାଣ୍ଟ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ପରିବେଶବିତ୍ ଅଶୋକ କୁମାର ସାରଦା, ନାରୀ ଶକ୍ତି ସଂଗଠନର ସମ୍ପାଦିକ ନମିତା ପାଲ, ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟଶିଳ୍ପୀ ଅଭିପ୍ସା ଭଞ୍ଜ, ଡାକ୍ତର କସ୍ତୁରୀ ପଟ୍ଟନାୟକ, ସାମ୍ବାଦିକ ସ୍ନୋପିତା ପଟ୍ଟନାୟକ, ସାମାଜିକ କର୍ମୀ ହିମାଂଶୁ ଶେଖର ସାହୁ, କୃଷ୍ଣଚନ୍ଦ୍ର ପାଲ ପ୍ରମୁଖ ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର