କଟକ: ବାଲେଶ୍ବର ଜିଲ୍ଲା ବାହାନଗା ଠାରେ ୨ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାର ସାମ୍ନା କରି ପ୍ରାୟ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ବଡ଼ଡାକ୍ତରଖାନା ସମେତ ବାଲେଶ୍ବର ମେଡିକାଲ କଲେଜ, ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ଅନ୍ୟ ଡାକ୍ତରଖାନାଗୁଡ଼ିକରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ଏସସିବି ମେଡିକାଲ ପରିଦର୍ଶନ କରିଛନ୍ତି। ସେ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସରକାରୀସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। ପରିସ୍ଥିତିକୁ ନଜରରେ ରଖି ବେଡ଼ ସଂଖ୍ୟା ମଧ୍ୟ ବଢ଼ା ଯିବ ବୋଲି କହିଛନ୍ତି। ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ଯେ ଆଉ ମୃତକଙ୍କ ସଂଖ୍ୟା ନ ବଢ଼ୁ।

ସେହିପରି ଏସସିବି ମେଡିକାଲରେ ଆହତଙ୍କୁ ଭେଟିବା ପରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରତିକ୍ରିୟା ଦେଇଛନ୍ତି। ଏହି ଘଟଣା ଦେଖିଲା ପରେ ଲାଗୁଛି ଆଜିକା ଯୁଗର ଟ୍ରେନ ଯାତ୍ରା ବି ସୁରକ୍ଷିତ ନୁହେଁ। ଏସିଡ ସିଷ୍ଟମ୍ ଅର୍ଥାତ୍ ଆଣ୍ଟି କଲିସନ୍ ଡିଭାଇସ୍ ଥିଲେ ସମାନ ଟ୍ରାକ୍‌ରେ ଆଉ କିଛି ଟ୍ରେନ ଥିଲେ ତାହା ଆଗରୁ ସତର୍କ କରାଇ ଟ୍ରେନର ଗତିକୁ ଧୀର କରାଇବ। କେନ୍ଦ୍ର ସରକାରଙ୍କୁ ନିବେଦନ ରହିବ ଅଟୋମେଶନ ଯୁଗରେ ଏଭଳି ତ୍ରୁଟି କେମିତି ନ ହେବ ସେ ନେଇ ନଜର ଦେବେ। ଏହି ଘଟଣା ନିହାତି ତଦନ୍ତ ସାପେକ୍ଷ ବୋଲି କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।