ମୁହଁ ଖୋଲିଲେ ପ୍ରସାଦ ହରିଚନ୍ଦନ : ମୁଁ ରାଜନୀତିରେ ଥିଲି, ଅଛି ଓ ରହିବି; କିନ୍ତୁ ୨୦୨୪ରେ ନିର୍ବାଚନ ଲଢ଼ିବି ନାହିଁ

୩ବର୍ଷ ନୁହେଁ, ୩୩ବର୍ଷ ହେଲା ଘରୁ ବାହାରି ନାହିଁ; ମୋ ଘର କଂଗ୍ରେସ ଭବନ

ପୁରୀ: କିଏ ନିର୍ବାଚନ ଲଢ଼ିବ ସେ ନେଇ ଟିକେଟ ପିସିସି ସଭାପତି ଦିଅନ୍ତି। ନିର୍ବାଚନ ପରିଚାଳନା କରିବା ଦାୟିତ୍ଵ ହେଉଛି ପିସିସିଙ୍କର। ସେଥିରେ ତାଙ୍କର କୌଣସି ଭୂମିକା ନାହିଁ। ପଞ୍ଚାୟତ ନିର୍ବାଚନ ଲାଗି କଂଗ୍ରେସ ଭବନର ଜଣେ କର୍ମୀଙ୍କୁ ଟିକେଟ ଦେଇ ମୋ ପାଖକୁ ପଠା ଯାଇଥିଲେ ବି ମୁଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ବୁଝୁ ନଥିବାରୁ ଟିକେ ନେବାକୁ ମନା କରିଥିଲି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିପିସି ସଭାପତି ପ୍ରସାଦ ହରିଚନ୍ଦନ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସତ୍ୟବାଦୀ ନିର୍ବାଚନମଣ୍ଡଳୀର ୬ ଜିଲ୍ଲା ପରିଷଦ ଜୋନ୍‌ରୁ କଂଗ୍ରେସ ଜଣେ ବି ପ୍ରାର୍ଥୀ ଦେଇ ନଥିବା ଘଟଣାରେ ତାଙ୍କର କୌଣସି ଭୂମିକା ନଥିବା କଥା କହିଛନ୍ତି ସେ।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀ କଂଗ୍ରେସ ଶୂନ୍ୟ ହୋଇପଡ଼ିବା ଘଟଣା କେବଳ ଜିଲ୍ଲା ରାଜନୀତିରେ ଚହଳ ପକାଇନି, ରାଜ୍ୟ ରାଜନୀତିରେ ବି ଝଡ଼ ସୃଷ୍ଟି କରିଛି।  ଏହି ଘଟଣାରେ କଂଗ୍ରେସ ଦଳର ଜିଲ୍ଲା ନେତୃତ୍ବଙ୍କୁ ଶକ୍ତ ଧକ୍କା ଲାଗିଛି। ଏଥିପାଇଁ ପ୍ରସାଦଙ୍କୁ ଦାୟୀ କରାଯାଉଛି ଯେହେତୁ ପ୍ରସାଦଙ୍କ ଉପରେ ନିର୍ବାଚନମଣ୍ଡଳୀ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା, ସେ ଜାଣିଶୁଣି ନିର୍ବାଚନମଣ୍ଡଳୀକୁ କଂଗ୍ରେସ ଶୂନ୍ୟ କରି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ପ୍ରସାଦ ସତରେ କଂଗ୍ରେସରେ ଅଛନ୍ତି ନା ଅନ୍ୟ କେଉଁ ଦଳରେ ପାଦ ଦେଇ ସାରିଲେଣି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟୀକରଣ ଦେଇଛନ୍ତି ପ୍ରସାଦ ହରିଚନ୍ଦନ।

ଏ ବିଷୟରେ କହୁଥିବା ସମୟରେ ଭାବବିହ୍ବଳ ହୋଇ ପ୍ରସାଦ ହରିଚନ୍ଦନ କହିଥିଲେ ଯେ, କିଛି ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ଯେ, ପ୍ରସାଦ ବିଜେଡି ଯିବେ ଓ ସେଥପାଇଁ ସତ୍ୟବାଦୀକୁ କଂଗ୍ରେସ ଶୂନ୍ୟ କରିଦେଲେ। ଏହା ସହ ମୁଁ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ମୁଁ ଆଶା କରୁଥିଲି ଯେ, ଏହି ଖବର ସମ୍ପର୍କରେ ପିସିସି ସ୍ପଷ୍ଟୀକରଣ ରଖିବ। କିନ୍ତୁ ରଖି ନାହାନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ମୁଁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲି। ମୁଁ ସତ୍ୟବାଦୀରୁ ନିର୍ବାଚନ ନ ଲଢ଼େ ବୋଲି ପିସିସି ସଭାପତି ଚାହୁଁଥିଲେ । କିନ୍ତୁ ମୁଁ ପ୍ରଭାରୀଙ୍କୁ ନିର୍ବାଚନ ଲଢ଼ିବିନି ବୋଲି କହିବା ପରେ ବି ଅତର୍କିତ ଭାବେ ମୋ ନାଁ ଘୋଷଣା କରାଗଲା, ଯାହାଦ୍ୱାରା ପରାସ୍ତ ହେଲି। ମୁଁ ରାଜନୀତିରେ ଥିଲି, ଅଛି ଓ ରହିବି। ଦୁଃଖର କଥା, କଂଗ୍ରେସର ଲଢେଇ ବିଜେପି ଓ ବିଜେଡି ସହ ହେବା କଥା କିନ୍ତୁ ଏଠି କଂଗ୍ରେସର ଲଢେଇ କଂଗ୍ରେସ ସହ ହେଉଛି। ଏଭଳି ସ୍ଥିତିରେ କଂଗ୍ରେସ ନିଜ ନିଜ ଭିତରେ ନ ଲଢ଼ି ଏକଜୁଟ ହୋଇ ଲଢ଼ିବା ଦରକାର।

ସେ ଆହୁରି ମଧ୍ୟ କହିଥିଲେ ଯେ, ଦାୟିତ୍ବ ଦିଆଯାଏ ନହେଲେ ନିଆଯାଏ, କାହା ଉପରେ ଲଦି ଦିଆଯାଏନି। ଆମେ ସବୁବେଳେ ସେଠାରୁ ଜିତୁଥିଲୁ। ଏଥର କିନ୍ତୁ ଜିଲ୍ଲା ସଭାପତି କି ବ୍ଲକ ସଭାପତି ଦିଆଗଲାନି। ମୁଁ ରାଜନୀତିରେ ଥିଲି, ଅଛି ଓ ରହିବି। ଯେଉଁମାନେ ମୁଁ ଅସ୍ତ୍ର ତ୍ୟାଗ କରିଥିବା କଥା କହୁଛନ୍ତି ତାହା ଭୁଲ। ମୁଁ ସେଭଳି କରିନାହିଁ। ମୋର ସେ ବୟସ ହୋଇନି ଯେ ପିତାମହଙ୍କ ଭଳି ଶ୍ରୀଖଣ୍ଡିଙ୍କୁ ଦେଖି ଅସ୍ତ୍ର ତ୍ୟାଗ କରିବି। କଂଗ୍ରେସରେ ଲୋକଙ୍କୁ ବ୍ୟୁହ ଭଳି ସଜେଇ ଦିଆଯାଇଛି। କିଛି ଲୋକ ମୁଁ ବିଜେଡିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା କରଛନ୍ତି। ମୁଁ ସେମାନଙ୍କୁ ଚ୍ୟାଲେଞ୍ଜ କରୁଛି କି ସେମାନେ ଏହାର ପ୍ରମାଣ ଦିଅନ୍ତୁ। ଯେଉଁମାନେ ବେପାରରେ ଅଛନ୍ତି ସେମାନେ ‘ଡିଲ୍’ କରିବେ। ମୋ ପାଖରେ ବହୁ ଦସ୍ତାବିଜ ଅଛି। ନିର୍ବାଚନ ପରେ ସେମାନଙ୍କ ଗୁମର ଖୋଲିବି। ମୁଁ ୩ବର୍ଷ ନୁହେଁ, ୩୩ବର୍ଷ ହେଲା ଘରୁ ବାହାରି ନାହିଁ। ଆଉ ମୋ ଘର ହେଉଛି କଂଗ୍ରେସ ଭବନ। ୨୦୦୨ରୁ ମତେ ଅନ୍ୟ ଦଳକୁ ନେବା ପାଇଁ ଚେଷ୍ଟା ହୋଇଥିଲେ ବି ମୁଁ କଂଗ୍ରେସ ସହ ଅଛି ବୋଲି ସେ କହିଛନ୍ତି। ଏହା ସହ ୨୦୨୪ ‌ସେ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର