କୁନ୍ଦୁଲି ଗଣଦୁଷ୍କର୍ମ ମାମଲା:ପୁଲିସ ହାତ ଖାଲି, ବର୍ଷିଲେ ପ୍ରସାଦ

ଭୁବନେଶ୍ୱର: କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ୧୪ ଦିନ ବିତିଗଲାଣି। ହେଲେ ଏ ଯାଏଁ ଅଭିଯୁକ୍ତମାନେ ଧରାପଡ଼ିନାହାନ୍ତି। ଅପରାଧୀମାନଙ୍କୁ ଧରିବା ପରିବର୍ତେ ସେମାନଙ୍କୁ ଘଣ୍ଟ ଘୋଡ଼ାଉଛି ପୁଲିସ। ନାବାଳିକା ପୀଡ଼ିତା ସୁସ୍ଥ ହୋଇଥିଲେ ବି ତାଙ୍କୁ ପରାମର୍ଶ ଦେବା ଆଳରେ ପୁଲିସ ନଜରବନ୍ଦୀ କରି ରଖିଛି। ନଜରବନ୍ଦୀ ରଖି ତାଙ୍କୁ ମାନସିକ ଯାତନା ଦେଉଛି ମହିଳା ପୁଲିସ। ଏଭଳି ଗଣଦୁଷ୍କର୍ମ ନେଇ ସମସ୍ତ ସାକ୍ଷ୍ୟ ପ୍ରମାଣ ମହଜୁଦ୍‌ ଥିଲେ ବି ମାମଲାକୁ ଚାପି ଦେବାକୁ ପ୍ରୟାସ ଚାଲିଛି। ଆଜି ଏଭଳି ଅଭିଯୋଗ କରି ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ ସରକାରଙ୍କ ଉପରେ ବର୍ଷିଛନ୍ତି। ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରାନଗଲେ ନଭେମ୍ବର ୨ ତାରିଖରେ କଂଗ୍ରେସ ଦଳ ପକ୍ଷରୁ ରାଜଭବନ ଆଗରେ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତିି।

ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ପିସିସି ଅଧ୍ୟକ୍ଷ ଶ୍ରୀ ହରିଚନ୍ଦନ କୁନ୍ଦୁଲି ଗଣଦୁଷ୍କର୍ମ ସଂପର୍କରେ ବର୍ଣ୍ଣନା କରିଥିଲେ। ଏ ନେଇ ପୁଲିସର ପଦକ୍ଷେପ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆରମ୍ଭରୁ କୋରାପୁଟ ଜିଲ୍ଲା ବନ୍ଦ, ବିକ୍ଷୋଭ, ପଦଯାତ୍ରା କରାଯାଇଛି। ଗତ ୧୬ ତାରିଖରେ ସେ ଏବଂ ଅନ୍ୟ କଂଗ୍ରେସ ନେତାମାନେ ପୀଡ଼ିତା ରହୁଥିବା ହସ୍‌ପିଟାଲ୍‌କୁ ଯାଇ ତାଙ୍କୁ ସମବେଦନା ଜଣାଇଥିଲେ। ନବମ ଶ୍ରେଣୀ ଛାତ୍ରୀ ୧୪ ବର୍ଷ ବୟସର ପୀଡ଼ିତା ବାସ୍ତବରେ ନିର୍ଭୟା। ପୁଲିସ ତାଙ୍କୁ ଯାତନା ଦେଇ ବୟାନ ବଦଳାଇବାକୁ ଚାପ ପକାଉଥିବା ସତ୍ତ୍ୱେ ସେ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବେ ବୋଲି ସେମାନଙ୍କ ସମ୍ମୁଖରେ ଗଣମାଧ୍ୟମରେ କହିଛନ୍ତି। ସେ ଗଣଦୁଷ୍କର୍ମକାରୀମାନଙ୍କୁ ଜଣ ଜଣ କରି ଚିହ୍ନପାରିବେ ବୋଲି କହିଛନ୍ତିି। ଏହା ସତ୍ତ୍ୱେ କାହିଁକି ଅଭିଯୁକ୍ତକାରୀମାନଙ୍କୁ ଗିରଫ କରିବା ପରିବର୍ତେ ପୀଡ଼ିତାଙ୍କ ଆତ୍ମୀୟ ସ୍ୱଜନଙ୍କୁ ପୁଲିସ ଅଟକ ରଖୁଛି ବୋଲି ସେ ପ୍ରଶ୍ନ କରିଥିଲେ।

ଗଣଦୁଷ୍କର୍ମର ୧୪ ଦିନ ପରେ ବି ପୀଡ଼ିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ କାଗଜ ଭିତରେ ଚାପି ହୋଇଯାଇଛି। ପୀଡ଼ିତାଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ବାବଦରେ ୮.୨୫ ଲକ୍ଷ ଟଙ୍କା ଦେବାର ଆଇନଗତ ବ୍ୟବସ୍ଥା ଥିବା ବେଳେ ଏ ଯାଏଁ ଟଙ୍କାଏ ମିଳିନାହିଁ। କୁନ୍ଦୁଲି ଗଣଦୁଷ୍କର୍ମ ଏକମାତ୍ର ଘଟଣା ନୁହେଁ, ପ୍ରତିଦିନ ରାଜ୍ୟରେ ୫ଜଣ ଯୁବତୀ, ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ଇତିଶ୍ରୀ. ବେବିନା, ମାଧବୀଲତା ଭଳି ଘଟଣାର ଅପରାଧୀମାନେ ଖୋଲାଖୋଲି ବୁଲୁଛନ୍ତି। ଇତିଶ୍ରୀ ତଦନ୍ତରେ ହାତ ଟେକିଦେଇଛି ସିବିଆଇ। ଅପରାଧୀ ଧରାଇଦେଲେ ୧ ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରି ନିଜର ଅସହାୟତା ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଗୃହ ବିଭାଗ। ରାଜ୍ୟରେ ମହିଳାଙ୍କ ପ୍ରତି ଏଭଳି ଅତ୍ୟାଚାର, ଅସଦାଚରଣ, ଗଣଦୁଷ୍କର୍ମ ଘଟଣାମାନ ବଢ଼ିଚାଲିଥିଲେ ବି ସରକାର ଉଦାସୀନ ରହିଛନ୍ତିି ବୋଲି ପିସିସି ମୁଖ୍ୟ ଅଭିଯୋଗ କରିଛନ୍ତିି। ଆଗାମୀ ଦିନରେ ସରକାର କୁନ୍ଦୁଲି ଅପରାଧୀମାନଙ୍କୁ ଗିରଫ କରାନଗଲେ, ନଭେମ୍ବର ୨ ତାରିଖରେ ହେବାକୁ ଥିବା ଧାରଣା, ବିକ୍ଷୋଭ କାର୍ଯ୍ୟକ୍ରମକୁ ରାଜ୍ୟବ୍ୟାପୀ କରାଯିବ ବୋଲି ସେ କହିଛନ୍ତିି। ସାମ୍ବାଦିକ ସମ୍ମିଳନୀରେ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ଡ. ଲଲାଟେନ୍ଦୁ ମହାପାତ୍ର, ସୌଗତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର