ସମ୍ବଲପୁର/ରେଢ଼ାଖୋଲ: ଗୁରୁବାର ରାତି ପ୍ରାୟ ୧୨ଟା ୩୫ରେ ୫୫ ନମ୍ବର ଜାତୀୟ ରାଜପଥର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ବେଲଡ଼ିହ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା‌ରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ପିଏସ୍‌ଓ ରାଘବ ପ୍ରଧାନଙ୍କ ଗୋଡ଼ରେ ଆଘାତ ଲାଗିଛି। ତାଙ୍କ କାର୍‌ ଚାଳକ ଶେଖ୍ ଅବଦୁଲ୍ଲା ସୌଭାଗ୍ୟବଶତଃ ଏଥିରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଆଜି ଅପରାହ୍ନ ୪ଟାରେ ତାଙ୍କୁ ଜମାଦାରପାଲିସ୍ଥିତ ହୀରାକୁଦ ଏୟାରଷ୍ଟ୍ରିପ୍‌ରୁ ଭୁବନେଶ୍ବରକୁ ଏୟାର୍‌ ଲିଫଟ୍‌ କରି ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବିଜେଡିର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ବର ନବୀନ ନିବାସରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାତି ସାଢ଼େ ୮ଟା ପରେ ସେ (ଓଡି୧୭ ୱାଇ-୧୨୩୪) ଇନୋଭା କାର୍‌ ଯୋଗେ ତାଙ୍କ ବରଗଡ଼ସ୍ଥିତ ବାସଭବନକୁ ଫେରୁଥିଲେ। ରାଜପଥ ନିର୍ମାଣ କାମ ଚାଲିଥିବାରୁ ରେଢ଼ାଖୋଲ ଥାନା ବେଳଡ଼ିହ ନିକଟରେ ଗୋଟିଏ ପାର୍ଶ୍ବର ସଂକୁଚିତ ରାସ୍ତାରେ ଉଭୟ ପଟର ଯାନାବାହନ ଯାତାୟାତ କରୁଛି। ସମ୍ବଲପୁର ଦିଗରୁ ଆସୁଥିବା ଟ୍ୟାଙ୍କର ବୋଝେଇ ଟ୍ରକ୍‌(ଏମ୍‌ପି ୦୯ଏଚ୍‌ଜେ- ୭୪୫୧) ସହିତ ପ୍ରସନ୍ନଙ୍କ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା।

Advertisment

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ ସମ୍ମୁଖ ଭାଗ ଚୂର୍‌ମାର ହୋଇଯାଇଛି। ତେବେ, ବେଲୁନ୍‌ ବାହାରିବା ଯୋଗୁଁ କାର୍‌ ଚାଳକ ଶେଖ୍‌ ଅବଦୁଲ୍ଲା ଅଳ୍ପକେ ରକ୍ଷା ପାଇଥିଲେହେଁ ସମ୍ମୁଖରେ ବସିଥିବା ପିଏସ୍‌ଓ ରାଘବ ପ୍ରଧାନଙ୍କ ଗୋଡ଼ର ଖଞ୍ଜା ଏପଟେ ସେପଟ ହୋଇଯାଇଛି। ଗାଡ଼ିର ପଛପଟେ ବସିଥିବା ପ୍ରସନ୍ନଙ୍କ ମୁଣ୍ଡ ଓ ମୁହଁରେ ଜୋରଦାର ମାଡ଼ ହୋଇଛି। ସେ‌ ‌‌ଶୋଇଥିବାରୁ ସିଟ୍‌ ବେଲ୍‌ଟ ବାନ୍ଧି ନଥିଲେ। ସେହିସମୟରେ ରାସ୍ତାରେ ଯାଉଥିବା ରେଢ଼ା‌ଖୋଲର ଜଣେ ବ୍ୟକ୍ତି ଅଟକି ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ଏସ୍‌ଡିପିଓ, ଥାନା ଅଧିକାରୀ ତୁରନ୍ତ ଘଟଣାସ୍ଥଳ ଅଭିମୁଖେ ବାହାରିଥିଲେ। ଅପରପକ୍ଷରେ, ଅନୁଗୁଳ ପଟୁ ଆସୁଥିବା ଏକ ୧୦୮ ଆମ୍ବୁଲାନସ ଚାଳକ ସେଠାରେ ଅଟକି ଗୁରୁତର ପ୍ରସନ୍ନଙ୍କ ସମେତ ପିଏସ୍‌ଓ ରାଘବ, କାର୍‌ଚାଳକ ଅବଦୁଲ୍ଲାଙ୍କୁ ସେଠାରୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାକୁ ପହଞ୍ଚାଇଥିଲେ। ପ୍ରସନ୍ନଙ୍କ ସମେତ ପିଏସ୍‌ଓ ରାଘବଙ୍କୁ ଗୁରୁତର ଅବସ୍ଥାରେ ରାତି ୨ଟାରେ ସମ୍ବଲପୁର ବିକାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ରେଢ଼ାଖୋଲ ପୁଲିସ ଟ୍ୟାଙ୍କର ଚାଳକ ଉତ୍ତରପ୍ରଦେଶର ଧନଞ୍ଜୟକୁ ଅଟକ ରଖି ପଚରାଉଚୁରା କରୁଛି। ଇନୋଭା କାର୍‌ଚାଳକ ଅବୁଦୁଲ୍ଲାଙ୍କ କହିବା ଅନୁଯାୟୀ, ରାଜପଥ ନିର୍ମାଣ ଯୋଗୁଁ ଅଣଓସାରିଆ ରାସ୍ତାରେ ତାଙ୍କ ଗାଡ଼ି ଯାଉଥିବା ବେଳେ ଟ୍ୟାଙ୍କର ୭୦/୮୦ ଗତିରେ ଆସି ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା।

ବିକାଶ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଡାକ୍ତର ଦିଲୀପ ନନ୍ଦଙ୍କ କହିବା ଅନୁଯାୟୀ, ତାଙ୍କୁ ଖବର ମିଳିବା ପରେ ସବୁ ବିଭାଗର ଡାକ୍ତରଙ୍କୁ ଡକାଇ ଆଗୁଆ ପ୍ରସ୍ତୁତ ରଖିଥିଲେ। ଡାକ୍ତରଖାନାରେ ପହଂଚିବା ପରେ ତୁରନ୍ତ ଚିକିତ୍ସା ସେବା ଆରମ୍ଭ ହୋଇଥିଲା। ତାଙ୍କ କପାଳରେ ପ୍ରାୟ ଅଧ ଇଞ୍ଚ ଗଭୀରର ଆଘାତ ଲାଗିଛି। ସେଠାରେ ପ୍ରାୟ ୩୦ଟି ଷ୍ଟିଚ୍‌ ପଡ଼ିଥିବା ବେଳେ ନାକରେ ୪ଟି ଏବଂ ଓଠରେ ୨ଟି ଷ୍ଟିଚ୍ ପଡ଼ିଛି। ଆଖିରେ ଆଘାତ ଲାଗିଥିଲେ ବି ସେ ଦେଖିପାରିବା ସହିତ ସ୍ବାଭାବିକ କଥାବାର୍ତ୍ତା କରୁଛନ୍ତି। ଆଜି ଦିନ ପ୍ରାୟ ୧୧ଟାରେ ଡାକ୍ତର ସମୂହଙ୍କ ଏକ ବୈଠକ ବସି ପ୍ରସନ୍ନଙ୍କ ସ୍ବାସ୍ଥ୍ୟାବସ୍ଥାର ସମୀକ୍ଷା କରାଯାଇଥିଲା। ସେ ବିପଦମୁକ୍ତ ଥିଲେ ବି ପରିବାର ଲୋକଙ୍କ ଆଗ୍ରହକ୍ରମେ ଅପରାହ୍ନ ପ୍ରାୟ ୪ଟାରେ ଏୟାର ଲିଫ୍‌ଟ କରାଯାଇଥିଲା ବୋଲି ଡାକ୍ତର ନନ୍ଦ କହିଛନ୍ତି। ଦୁର୍ଘଟଣା ଖବର ମିଳିବା ପରେ ପୁଲିସ ପ୍ରଶାସନ ତତ୍ପର ହୋଇଉଠିଥିଲା। ରାତି ୨ଟାରେ ଡିଆଇଜି ହିମାଂଶୁ ଲାଲ ବିକାଶ ହସ୍ପିଟାଲରେ ପହଂଚିଥିବା ବେଳେ ଆଜି ସକାଳେ ଆର୍‌ଡିସି ଶ୍ରୀକାନ୍ତ ପୃଷ୍ଟି, ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଏସ୍‌ପି ମୁକେଶ ଭାମୁ ମଧ୍ୟ ପହଂଚି ଥିଲେ। ଅପରପକ୍ଷରେ ରେଂଗାଲି ବିଧାୟକ ନାଉରୀ ନାୟକ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା, ବିଜେଡି ରାଜ୍ୟ ସାଧାରଣ ସଂପାଦକ ସିଦ୍ଧାର୍ଥ ଦାସ, ବିଜେଡି ପ୍ରବକ୍ତା ସଂଜୟ ବାବୁ, ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲ, ପୂର୍ବତନ ଏସ୍‌ଡିଏ ଅଧ୍ୟକ୍ଷ ଜୟବ୍ରତ ଦେ’, ଡ. ପ୍ରମୋଦ ରଥ, ହୀରାଲାଲ ବେହେରା, ମନୋଜ ମହାପାତ୍ର, ଦାମୋଦର କର, ଅଶୋକ ସେନାପତିଙ୍କଠାରୁ ଆରମ୍ଭକରି ପଶ୍ଚିମ ଓଡ଼ିଶାର ବହୁନେତା, ଦଳମତ ନିର୍ବିଶେଷରେ ବହୁବ୍ୟକ୍ତି ପହଂଚି ଥିଲେ। ପ୍ରସନ୍ନଙ୍କ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ସହିତ ଦୀପଦାନ କରାଯାଇଛି।