କଟକ: ଆଇନଜୀବୀ ପ୍ରସନ୍ନ କୁମାର ପାଢୀଙ୍କୁ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ଅଫ୍ ଇଣ୍ଡିଆ (ଏଏସ୍‌ଜି) ଭାବେ ନିଯୁକ୍ତି ମିଳିଛି। ଓଡ଼ିଶା ହାଇକୋର୍ଟ ପାଇଁ ଏଏସଜି ଭାବେ ଶ୍ରୀ ପାଢୀଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ହାଇକୋର୍ଟ ସହିତ ଦେଶର ଆଉ କେତେକ ହାଇକୋର୍ଟ ପାଇଁ ଏଏସ୍‌ଜି ନିଯୁକ୍ତି ସଂକ୍ରାନ୍ତରେ ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଶ୍ରୀ ପାଢୀ ୧୯୯୨ରେ ଆଇନଜୀବୀ ପେସାରେ ଯୋଗ ଦେଇଥିଲେ। ସେ ହାଇକୋର୍ଟର ଜଣେ ସୁନାମଧନ୍ୟ ଆଇନଜୀବୀ ଭାବେ ଜଣାଶୁଣା।

Advertisment

୧୯୯୯ରୁ ୨୦୦୯ ପର୍ଯ୍ୟନ୍ତ ସେ ଆଡିସିନାଲ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଷ୍ଟାଣ୍ଡିଂ କାଉନସିଲ ଭାବେ କାର୍ଯ୍ୟ କରିଥିଲେ। ଏଥି ସହିତ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ହାଇକୋର୍ଟରେ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଆଡଭୋକେଟ ଜେନେରାଲ କାର୍ଯ୍ୟାଳୟ ଅଧିନରେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ତାଙ୍କୁ ନିଯୁକ୍ତି ମିଳିଥିଲା। ଏଥି ସହିତ ଇପିଏଫ୍, ଏୟାରପୋର୍ଟ ଅଥରିଟି, ଏମସିଏଲ ଭଳି ସରକାରୀ ଅନୁଷ୍ଠାନର ସେ ଥିଲେ ପ୍ୟାନେଲ ଆଇନଜୀବୀ। ୨୦୧୭ରେ ସେଣ୍ଟ୍ରାଲ ଏକ୍ସାଇଜ, କଷ୍ଟମ୍ସ ଆଣ୍ଡ୍ ଜିଏସଟି ପକ୍ଷରୁ ହାଇକୋର୍ଟରେ ମାମଲା ପରିଚାଳନା ପାଇଁ ତାଙ୍କୁ ସିନିୟର ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତି ମିଳିଥିଲା।