ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନୂତନ ନିର୍ଦେଶକ ଭାବେ ପ୍ରସନ୍ନ ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭୁବନେଶ୍ୱରରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଜେନେରାଲ ମ୍ୟାନେଜର(ଆଡମିନ୍) ଭାବେ ଦିଲ୍ଲୀର କର୍ପୋରେଟ୍ ମୁଖ୍ୟାଳୟରେ କାର୍ଯ୍ୟରତ ଥିଲେ। ଇଞ୍ଜିନିୟରିଂ ଗ୍ରାଜୁଏଟ୍ ଶ୍ରୀ ପ୍ରଧାନଙ୍କର ଏୟାର ଟ୍ରାଫିକ୍ ମ୍ୟାନେଜମେଣ୍ଟ, ଆଭିଏସନ ଇକୋନୋମିକ୍ସ, ଆଇସିଏଏ ମାନକ ଓ ପରାମର୍ଶିତ ଅଭ୍ୟାସ କ୍ଷେତ୍ରରେ ଅଭିଜ୍ଞତା ରହିଛି। ସମସ୍ତ ଭାରତୀୟ ବିମାନବନ୍ଦର ଓ ଏୟାର ସ୍ପେସ୍‌ରେ ବିମାନବନ୍ଦର ସୂଚନା ପରିଚାଳନା ବ୍ୟବସ୍ଥାର ବିକାଶରେ ସେ ସହଯୋଗ କରି ଆସିଛନ୍ତି। ନରେଶ ଚନ୍ଦ୍ର କମିଟି, ଅଜୟ ପ୍ରସାଦ କମିଟି, ଅଶୋକ ଚାୱଲା କମିଟି ପରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ବିଭିନ୍ନ କମିଟିର ଅଂଶ ହୋଇ ସେ ଦେଶରେ ବିମାନ ଚଳାଚଳ ରୋଡ୍‌ ମ୍ୟାପ୍‌ର ବିସ୍ତାର ପାଇଁ ବିଶେଷ ଅବଦାନ ଦେଇଛନ୍ତି।

Advertisment

ଏହାବ୍ୟତୀତ ନୂଆଦିଲ୍ଲୀ, ଗୌହାଟି, ଖଜୁରାହୋ ଭଳି ବିଭିନ୍ନ ବିମାନବନ୍ଦରରେ ମଧ୍ୟ କାର୍ଯ୍ୟ କରିଛନ୍ତି। ଶ୍ରୀ ପ୍ରଧାନ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରଫେସନାଲ୍(ଆଇଏପି) କାର୍ଯ୍ୟକ୍ରମକୁ ସଫଳତାର ସହ ଶେଷ କରିଛନ୍ତି, ଯାହାର ନାମକରଣ ବିମାନବନ୍ଦର ପରିଷଦ ଇଣ୍ଟରନ୍ୟାସନାଲ୍(ଏସିଆଇ) ଓ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଙ୍ଗଠନ(ଆଇସିଏଓ) ଦ୍ବାରା ବିମାନବନ୍ଦର ପରିଚା‌ଳନା କ୍ଷେତ୍ରରେ ପାରଦର୍ଶିତା ପାଇଁ ମାନ୍ୟତା ହାସଲ କରିଛି। ନିର୍ଦ୍ଦେଶକ ଭାବେ ଶ୍ରୀ ପ୍ରଧାନଙ୍କୁ ବିମାନବନ୍ଦର ପରିଚାଳନା, ନବୀକରଣ ଓ ବିକାଶ ଦାୟିତ୍ୱ ଦିଆଯାଇଛି। ଏହି ବିମାନବନ୍ଦରରେ ଯାତ୍ରୀ ସୁବିଧା ଯୋଗାଇବା, ଏୟାରସାଇଡ୍‌ର ଦକ୍ଷତା ବୃଦ୍ଧି ସହ ଅନ୍ୟାନ୍ୟ ସହଯୋଗୀ ଭିତ୍ତିଭୂମି ଓ ସେବା ପରିଚାଳନା ଦାୟିତ୍ୱ ମଧ୍ୟ ନ୍ୟସ୍ତ ହୋଇଛି।