ପୁଲଓ୍ୱାମା ଆକ୍ରମଣକୁ ବର୍ଷେ, ଆଜି ବି ସହିଦ ପ୍ରସନ୍ନଙ୍କୁ ଝୁରୁଛି ଜଗତସିଂହପୁର ଜିଲ୍ଲାର ପାରିଶିଖର ଗାଁ

ଜଗତସିଂହପୁର : ଚାହୁଁ ଚାହୁଁ ଗୋଟିଏ ବର୍ଷ ପୂରଣ ହେଲା  ଜମ୍ମୁ-କଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ। ଏଥିରେ ସହିଦ ହୋଇଥିବା ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ୍ ପାରିଶିଖର ଗାଁର ପ୍ରସନ୍ନ ସାହୁଙ୍କୁ ଆଜି ବି ଗାଁ ଝୁରୁଛି । ଗାଁର ସୁଯୋଗ୍ୟ ସନ୍ତାନଙ୍କୁ ହରାଇ ଗାଁ ମାଟିଠାରୁ ଗାଁ ଶଶ୍ମାନ ସବୁଠି ସହିଦଙ୍କ ଛାପ ଦେଖିବାକୁ ମିଳିଛି । ଶଶ୍ମାନରେ ସହିଦଙ୍କ ପାଉଁଶ ହୁଏତ ମାଟିରେ ମିଶିଯାଇଛି, କିନ୍ତୁ ଦେଶ ପାଇଁ ସେ କରିଯାଇଥିବା କୀର୍ତ୍ତିକୁ ମନେ ପକାଇ ଜିଲ୍ଲାବାସୀ ଗର୍ବରେ ମୁଣ୍ଡ ଟେକି ବାଟ ଚାଲୁଛନ୍ତି। ଏହା ଭିତରେ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନ ଥିବାରୁ ଅସନ୍ତୁଷ୍ଟ  ଅଛନ୍ତି ପରିବାର ଲୋକ।
ସହିଦ ପ୍ରସନ୍ନ କୁମାର ସାହୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଶିଖର ପଞ୍ଚାୟତର ପାରିଶିଖର ଗ୍ରାମ ଓ୍ୱାର୍ଡ ନମ୍ବର ୪ରେ ଜନ୍ମ ଗ୍ରହଣ କରିଥିଲେ ।ବାପା କାଶୀନାଥ ସାହୁ ଏବଂ ମା ଲଳିତା ଦେବୀ ଦୁଇଜଣ ଆରପାରିରେ। ସ୍ତ୍ରୀ ମିନାଲତା ସାହୁ(୪୧) ଗୃହିଣୀ, ଝିଅ ରୁନି ସାହୁ କାକଟପୁର ମଙ୍ଗଳା ମହାବିଦ୍ୟାଳୟର ଯୁକ୍ତ ତିନି ତୃତୀୟ ବର୍ଷ ବାଣିଜ୍ୟ ଛାତ୍ରୀ, ପୁଅ ଜଗନ ସାହୁ(୧୭) ନିମାପଡ଼ା ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ।

ପ୍ରସନ୍ନ ହେଉଛନ୍ତି ଘରର ସାନ ପୁଅ। ତାଙ୍କ ବଡ଼ ଭାଇ ଗାଣ୍ଡୁଆ ସାହୁ, ମଝିଆଁ ଭାଇ ବିପିନ ସାହୁ ଗାଁରେ ଚାଷ ବାସ କରି ଚଳନ୍ତି। ଦୁଇ ଭଉଣୀ ପ୍ରାପ୍ତି ଓ ଶାନ୍ତି ବିବାହ କରି ସାରିଛନ୍ତି। ତେବେ ପିଲାଦିନେ ଅନେକ ଅଭାବ ଅନାଟନ ଭିତରେ ପ୍ରସନ୍ନ ପାଠ ପଢ଼ି ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲେ। ବାପା ଓ ବଡ଼ ଭାଇମାନେ ଚାଷ ସହ ଦେବୀ ନଦୀରୁ ମାଛ ମାରି ପରିବାର ପ୍ରତିପୋଷଣ କରନ୍ତି। ଯେତେ କଷ୍ଟ ହେଲେ ବି ପ୍ରସନ୍ନ ସବୁ ଦୁଃଖକୁ ନିଜ ଭିତରେ ଚାପି ରଖି ଆଗକୁ ବଢ଼ିଥିଲେ। ମହାଦେବ ବଟ ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ସାରି ନିକଟରେ ଥିବା ଅଙ୍ଗେଶ୍ୱରପଡ଼ା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ପାଠ ପଢ଼ିଥିଲେ। ଏହାପରେ ପୁରୀ ଜିଲ୍ଲା କୋରୁଆଳପାଞ୍ଚଣା ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ। ସ୍କୁଲ୍ ପାଠ ସରିବା ପରେ କାକଟପୁର କଲେଜରେ ଯୁକ୍ତଦୁୁଇ ପଢ଼ିଥିଲେ। ଏହି ସମୟରେ .ସେ ନିଜେ ପଢ଼ିବା ସହ ପରିବାର ପ୍ରତିପୋଷଣ କରିବା ପାଇଁ ଏକ ବିଦ୍ୟାଳୟରେ ପାଠ ପଢ଼ାଉଥିଲେ।

କଲେଜରେ ପାଠ ପଢ଼ିବା ସମୟରେ ହିଁ ୧୯୯୫ ମସିହାରେ ତାଙ୍କର ସିଆରପିଏଫରେ ଚାକିରି ହୋଇ ଯାଇଥିଲା। ପ୍ରଥମେ ସେ ଭୁବନେଶ୍ୱରରେ ଥିବା ସିଆରପିଏଫ୍ ୟୁନିଟରେ କାମ କରିଥିଲେ। ୧୯୯୯ ମସିହାରେ ରାମ ମନ୍ଦିର-ବାବ୍ରି ମସଜିଦକୁ ନେଇ ଉତ୍ତେଜନା ଦେଖା ଦେବା ବେଳେ ସେ ଦାୟିତ୍ୱ ତୁଲାଇଥିଲେ। ତେବେ ଚାକିରି ଜୀବନ ଭିତରେ ୧୯୯୯ ମସିହାରେ କେବଳ ପରିବାରକୁ ନେଇ ପାଖରେ ରଖିଥିଲେ । କିନ୍ତୁ ଏହା ବ୍ୟତୀତ ସବୁ ସମୟରେ ପରିବାର ସହ ଦୂରେଇ ରହି ଦେଶ ମା’ର ସେବା କରି ଆସିଥିଲେ।

୨୦୧୮ ନଭେମ୍ବର ମାସରେ ପ୍ରସନ୍ନ ଗାଁକୁ ଆସିଥିଲେ। ଗାଁ ମନ୍ଦିରରେ ପୁଅର ଷୋଳ ପୂଜା କରାଇ ପୁଣି ଫେରି ଯାଇଥିଲେ । କିନ୍ତୁ କିଏ ଜାଣିଥିଲା ଯେ ତାଙ୍କର ଏହି ଯାତ୍ରା ଥିଲା ଶେଷ ଯାତ୍ରା । ୨୦୧୯ ମସିହା ଫେବ୍ରୁଆରି ୧୪ ତାରିଖ ଦିନ ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ପ୍ରସନ୍ନ କୁମାର ସାହୁ ସହିଦ ହୋଇଥିବା ନେଇ ଖବର ମିଳିଥିଲା। ଏହାପରେ ପରିବାର ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ସ୍ତ୍ରୀ ଏ ଘଟଣା ଶୁଣି ବେହୋସ ହୋଇଯାଇଥିବା ବେଳେ ଝିଅ ଓ ପୁଅ ଏକ ପ୍ରକାର ମୂକ ପାଲଟି ଯାଇଥିଲେ। ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା ।

ସହିଦଙ୍କ ଘରେ ସ୍ଥାନୀୟ ଜନସାଧାରଣ ତଥା ରାଜନେତାମାନେ ପହଞ୍ଚି ପରିବାରକୁ ସମବେଦନା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ପରିବାରକୁ ସାନ୍ତ୍ବନା ଦେଇଥିଲେ । ସବୁଠାରୁ ବଡ଼ କଥା ହେଲା ଯେତେବେଳେ ସହିଦ ପ୍ରସନ୍ନ କୁମାର ସାହୁଙ୍କ ମର ଶରୀର ଭୁବନେଶ୍ୱର ବିମାନବନ୍ଦରରୁ ତାଙ୍କ ଗାଁ ପାରିଶିଖରକୁ ଆସିଥିଲା। ସେତେବେଳେ ଭୁବନେଶ୍ୱରରୁ ପାରିଶିଖର ପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ରାସ୍ତା କଡ଼ରେ ଛିଡ଼ା ହୋଇ ତାଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଗାଁ ମଶାଣିରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା

 

ସମ୍ବନ୍ଧିତ ଖବର