ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିବା ଜଣାଯାଇଛି। ଏନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ଓକିଲ ମାନସ ଚାନ୍ଦ ସୂଚନା ଦେଇଛନ୍ତି। ଏହି ଜାମିନରେ କୁହାଯାଇଛି ଯେ ପ୍ରଶାନ୍ତ ଜଗଦ୍ଦେବ ବର୍ଷେ ଯାଏଁ ନିର୍ବାଚନ ମଣ୍ଡଳୀକୁ ଯାଇ ପାରିବେ ନାହିଁ । ଯଦି ଯିବେ, ତେବେ ଜିଲ୍ଲାପାଳଙ୍କ ଅନୁମତି ନେଇ ଯିବେ। କିନ୍ତୁ ସାଙ୍ଗରେ ୫ରୁ ଅଧିକ ଲୋକଙ୍କୁ ନେଇ ଯାଇପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇଛି।
ଉଲ୍ଲେଖଯୋଗ୍ୟ, ଆବେଦନ ମାମଲାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜବାବୀ ସତ୍ୟପାଠ ଦାଖଲ କରାଯାଇଥିଲା। ଏଥିରେ ଜାମିନ ଆବେଦନ ପାଇଁ ଅଭିଯୋଗକାରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଏସ୍ଏଲ୍ପିକୁ ଅଧିକ ଜରିମାନା ସହିତ ଖାରଜ ପାଇଁ ରାଜ୍ୟ ସରକାର କହିଥିଲେ।
ଉଲ୍ଲେଖଯୋଗ୍ୟ, ବାଣପୁର ବ୍ଲକ୍ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇଦେବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରଥମେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଦିଆଯାଇଥିଲା ଏବଂ ସେ ଅନ୍ତରୀଣ ଜାମିନରେ ଆସିଥିଲେ। ଏହା ପରେ ହାଇକୋର୍ଟ ତାଙ୍କର ନିୟମିତ ଜାମିନ ଆବେଦନକୁ ଖାରଜ କରିବା ସହିତ ବାଣପୁର ତଳକୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ୍ କରି ସୁପ୍ରିମକୋର୍ଟରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଦ୍ବାରା ଏସ୍ଏଲ୍ପି ଦାଖଲ କରାଯାଇଥିଲା।

ରାଜ୍ୟ ସରକାରଙ୍କ ଦ୍ବାରା ପିଟିସନ୍ରେ କୁହାଯାଇଥିଲା ଯେ ଆବେଦନକାରୀ କୌଣସି ଆଶ୍ବସ୍ତି ପାଇବା ପାଇଁ ହକଦାର୍ ନୁହନ୍ତି। ଆବେଦନକାରୀଙ୍କ ଅନିୟନ୍ତ୍ରିତ ଆଚରଣ ଯୋଗୁ ୨୦ ଜଣ ଲୋକ ଆହତ ହୋଇଥିଲେ ଓ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥି ସହିତ ସେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଚାଲିଥିବା ପଞ୍ଚାୟତ ସମିତି ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିଥିଲେ। ତେବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ପୁଲିସ ତାଙ୍କୁ ଗିରଫ କରିଥବା ଯୁକ୍ତିକୁ ରାଜ୍ୟ ସରକାର ଦାଖଲ କରିଥିବା ଜବାବୀ ସତ୍ୟପାଠରେ ଖଣ୍ଡନ କରିଛନ୍ତି। ବରଂ କୁହାଯାଇଛି ଯେ ଗୋଟିଏ ଡାକ୍ତରୀ ଦଳ ଅଭିଯୁକ୍ତ ସୁସ୍ଥ ଏବଂ ସେ ତାଙ୍କର ବ୍ୟକ୍ତିଗତ କାର୍ଯ୍ୟ କରିପାରିବେ ବୋଲି ମତପ୍ରକାଶ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ନିଜକୁ ପୀଡ଼ିତ ବୋଲି ଯୁକ୍ତି ଦେଖାଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସହାନୁଭୂତି ହାସଲ ପାଇଁ ଯେଉଁ ଚେଷ୍ଟା କରିଛନ୍ତି ସେଥିପାଇଁ ସେ ହକଦାର୍ ନୁହନ୍ତି ବୋଲି ସତ୍ୟପାଠରେ କୁହାଯାଇଛି। ସେହିଭଳି ହିଂସାକାରୀଙ୍କ ଠାରୁ ପୁଲିସ ଅଭିଯୁକ୍ତଙ୍କୁ ରକ୍ଷା ପାଇଁ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗକୁ ସତ୍ୟପାଠରେ ଖଣ୍ଡନ କରାଯାଇଛି। ବରଂ ପୁଲିସର ହସ୍ତକ୍ଷେପ ଯୋଗୁ ତାଙ୍କୁ ଉଦ୍ଧାର କରାଯାଇଛି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଥିଲେ।

 

 

ସମ୍ବନ୍ଧିତ ଖବର