ଭୁବନେଶ୍ୱର: ମାଛ, ପକ୍ଷୀ, ଧୀବରଙ୍କ ଇଲାକା ଚିଲିକା ନିର୍ବାଚନ ମଣ୍ଡଳୀରେ ବାହୁବଳୀ ନାମରେ ବେଶ ଚର୍ଚିତ ଥିଲେ ପ୍ରଶାନ୍ତ ଜଗଦେବ | ଅଭିଯୋଗ ହୁଏ ଉନ୍ନତିମୂଳକ କାମ ଅପେକ୍ଷା କର୍ମୀଙ୍କୁ ଆକ୍ରମଣ, ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ସହ ଗୁଣ୍ଡାଗର୍ଦ୍ଦି ଆଦିରେ ସଂପୃକ୍ତ ଥିଲେ ପ୍ରଶାନ୍ତ। ଏହି କାରଣରୁ ବିଜେଡିରୁ ଗତ ସେପ୍ଟେମ୍ବର ମାସରେ ନିଲମ୍ବିତ କରାଯାଇଥିଲେ ବି ଦଳୀୟ କାର୍ଯ୍ୟାଳୟକୁ ସେ ନିୟମିତ ଆସୁଥିଲେ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ | ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଅନ୍ୟ ଦଳରୁ କର୍ମୀଙ୍କୁ ଆଣି ବିଜେଡିରେ ମିଶାଇବା ହେଉ ବା ଚିଲିକା ନିର୍ବାଚନମଣ୍ଡଳୀରେ କିଭଳି ପଞ୍ଚାୟତ ନିର୍ବାଚନରେ କଳବଳ ଲଗାଇ ଜିତିହେବ ସେହି କାମରେ ବେଶ୍ ସକ୍ରିୟ ଥିଲେ ପ୍ରଶାନ୍ତ | ଜାନୁୟାରି ୧୮, ୨୦୨୨ରେ ପ୍ରଶାନ୍ତ ଜଗଦେଵଙ୍କ ତତ୍ତ୍ବାବଧାନରେ ଦଳୀୟ କାର୍ଯ୍ୟାଳୟରେ ଅନୁହୋଇଥିଲା ଏକ ମିଶ୍ରଣ ପର୍ବ | ଏହି ଅବସରରେ ପ୍ରଶାନ୍ତ ଜଗଦେଵ ତାଙ୍କ ସମର୍ଥକ ସହ ବିଜେଡି କାର୍ଯ୍ୟାଳୟକୁ ଆସିଥିଲେ। ତାଙ୍କ ଉପସ୍ଥିତିରେ ଚିଲିକା ବ୍ଲକ ଅଧକ୍ଷ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ | ତେବେ ପ୍ରଶ୍ନ ଉଠିବା ସ୍ୱାଭାବିକ ନିଲମ୍ବନ ସତ୍ତ୍ୱେ କିଭଳି ସେ ପାର୍ଟି ଅଫିସକୁ ଆସିପାରୁଥିଲେ | ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଭିଡ ଉପରେ ଗାଡି ଚଢ଼ାଇଦେଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଏଥିରେ ୧୫ ବିଜେପି କର୍ମୀ ଓ ଆଇଆଇସିଙ୍କ ସମେତ ୯ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଏଥିସହ ୨ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଆଉ ଲୋକଙ୍କ ଆକ୍ରମଣରେ ପ୍ରଶାନ୍ତଙ୍କ ମୁଣ୍ଡ ମଧ୍ୟ ଫାଟିଛି |
ଗୁଣ୍ଡାଗର୍ଦ୍ଦିରେ ଅଛି ରେକର୍ଡ ପରେ ରେକର୍ଡ
ଆଜିର ଘଟଣା ପ୍ରଶାନ୍ତଙ୍କ ପାଇଁ ନୂଆ ନୁହେଁ | ଗତ ସେପ୍ଟେମ୍ବର ମାସରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅଫିସ ଆଗରେ ବିଜେପି ମଣ୍ଡଳ ସଭାପତି ଓ ଜଣେ ସାମ୍ବାଦିକଙ୍କୁ ମାଡ଼ ମାରି ଆତଙ୍କ ସୃଷ୍ଟି କରିଥିଲେ ପ୍ରଶାନ୍ତ | ଆଉ ଏହି ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରି ଦଳର ଭାବମୂର୍ତ୍ତି ରକ୍ଷା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହା ପରେ ସେ ଗିରଫ ହୋଇଥିଲେ ଓ ପରେ ଜାମିନରେ ଆସିଥିଲେ | ଆଜି ମଧ୍ୟ ତାଙ୍କର ଏପରି କାଣ୍ଡକୁ ବିଜେଡି ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି।
ବୋଲଗଡ଼ରେ ମହିଳା ତହସିଲଦାରଙ୍କୁ ମାଡ଼ ମାରିବା, ପୁରୀ ଏସ୍ପିଙ୍କୁ ଧକ୍କା ମାରିବା, ବୌଦ୍ଧ ମନମୁଣ୍ଡାରେ କଳାପତାକା ଦେଖାଉଥିବା ବିଜେପି କର୍ମୀଙ୍କୁ ମାଡ଼ ମାରିବା ଭଳି ଅଭିଯୋଗ ରହିଛି ବିଧାୟକଙ୍କ ବିରୋଧରେ। ଏପରିକି ନିଜ ଦଳର କର୍ମୀଙ୍କୁ ମାଡ଼ ମାରିବା ଘଟଣା ମଧ୍ୟ ପୂର୍ବରୁ ଆଲୋଡ଼ନ ସୃଷ୍ଟି କରିଛି। କିନ୍ତୁ ତାଙ୍କ ବିରୋଧରେ ପୂର୍ବରୁ ଦଳ ପକ୍ଷରୁ କେବେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। କିନ୍ତୁ ବାଲୁଗାଁ ଘଟଣା ପରେ ତାଙ୍କୁ ଦଳରୁ ସସ୍ପେଣ୍ଡ କରାଯାଇଥିଲା | ତଥାପି ବି ନାମକୁ ମାତ୍ର ସସ୍ପେଣ୍ଡରେ ଥିଲେ ବି ଦଳୀୟ କାର୍ଯ୍ୟକ୍ରମରେ ବେଶ ସକ୍ରିୟ ରହୁଥିଲେ ଏହି ତଥାକଥିତ ବାହୁବଳୀ ବିଧାୟକ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/prashant.jpg)