ଭୁବନେଶ୍ୱର: ଶେଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ସରିଥିବାବେଳେ ବାଲାଟ୍ ବକ୍ସ ସିଲ୍ ହୋଇଛି | ଆଜି ବିଧାନସଭାରେ ସମୁଦାୟ ୧୪୭ ଜଣ ବିଧାୟକଙ୍କ ମଧ୍ୟରୁ ୧୪୫ ଜଣ ବିଧାୟକ ଭୋଟ ଦେଇଛନ୍ତି | ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଥମେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଭୋଟ୍ ଦେଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଧାୟକମାନେ ଭୋଟ ଦେଇଥିଲେ | ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଚାଲୁ ରହିଥିଲା | ତେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଅସୁସ୍ଥତା ଯୋଗୁ ଦିଲ୍ଲୀରେ ଥିବାରୁ ସେ ହସପିଟାଲରୁ ସଂସଦ ଭବନ ଆସି ଭୋଟ୍ ଦେଇଛନ୍ତି |
ସେହିପରି ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଭୋଟ ଦେବାକୁ ଆସି ନଥିବା ଜଣାଯାଇଛି | ସମୟ ଗଡିଯିବା ସତ୍ତ୍ୱେ ପ୍ରଶାନ୍ତ ଭୋଟ ଦେବାକୁ ଆସିନଥିବାରୁ ବାଲଟ ବକ୍ସ ସିଲ କରାଯାଇଛି | ସୂଚନା ଥାଉ କି ଓଡ଼ିଶାରେ ଜଣେ ବିଧାୟକ ଭୋଟ ମୂଲ୍ୟ ହେଉଛି ୧୪୯ ଓ ସାଂସଦଙ୍କ ଭୋଟ ମୂଲ୍ୟ ହେଉଛି ୭୦୦। ସମୁଦାୟ ବିଜେଡି ବିଧାୟକଙ୍କ ଭୋଟ ମୂଲ୍ୟ ୧୬୬୮୮, ବିଜେଡି ସାଂସଦଙ୍କ ମୂଲ୍ୟ ୧୪,୭୦୦। ବିଜେଡି ସମୁଦାୟ ଭୋଟ ମୂଲ୍ୟ ୩୧, ୪୮୮।
ବିଜେପିର ୨୨ବିଧାୟକ ଥିବା ବେଳେ ସେମାନଙ୍କର ଭୋଟ ମୂଲ୍ୟ ୩୨୭୮, ଏବଂ ୯ ଜଣ ସାଂସଦଙ୍କ ଭୋଟ ମୂଲ୍ୟ ୬୩୦୦। ସମୁଦାୟ ଓଡ଼ିଶା ବିଜେପିର ଭୋଟ ମୂଲ୍ୟ ୯୫୭୮। କଂଗ୍ରେସର ୯ ଜଣ ବିଧାୟକ ଥିବାବେଳେ ସେମାନଙ୍କ ଭୋଟ ମୂଲ୍ୟ ୧୩୪୧ଏବଂ ଜଣେ ସାଂସଦଙ୍କ ଭୋଟ ମୂଲ୍ୟ ୭୦୦। ସମୁଦାୟ କଂଗ୍ରେସ ଭୋଟ ମୂଲ୍ୟ ହେଉଛି ୨୦୪୧।