ପୁଣି ଚିଲିକା ବିଧାୟକ-ଜିଲ୍ଲା ଯୁବ ବିଜେପି ସଭାପତି ମୁହାଁମୁହିଁ

ସାଂସ୍କୃତିକ ଅନୁଷ୍ଠାନରେ ରାଜନୈତିକ ବୈଠକକୁ କେନ୍ଦ୍ର କରି ଗଣ୍ଡଗୋଳ

ବାଣପୁର: ବାଣପୁର ଗମ୍ଭାରୀମୁଣ୍ଡାରେ ଏକ ସାଂସ୍କୃତିକ ଅନୁଷ୍ଠାନରେ ବିଜେପିର କର୍ମକର୍ତ୍ତାଙ୍କ ବୈଠକ ଚାଲୁଥିବା ଓ ଏହାକୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନେତୃତ୍ୱରେ ବିରୋଧ କରିବାକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି । ସୂଚନାନୁସାରେ, ଆଜି ଅପରାହ୍ଣରେ ଗମ୍ଭାରୀମୁଣ୍ଡା ପଂଚାୟତର ପଲ୍ଲୀ ସାଂସ୍କୃତିକ କଳା ପରିଷଦର ଗୃହରେ ବିଜେପିର ସ୍ଥାନୀୟ କର୍ମକର୍ତ୍ତା ଓ କର୍ମୀମାନେ ବୈଠକ କରୁଥିଲେ ।

ଏହି ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜର ସମର୍ଥକଙ୍କ ସହ ପହଂଚି ସଭାକୁ ବନ୍ଦ କରିବାକୁ କହିଥିଲେ । ଏହାକୁ ବିଜେପିର କର୍ମକର୍ତ୍ତା ବିରୋଧ କରିଥିଲେ । ଏହି ସମୟରେ ଅନୁଷ୍ଠାନର ସଭାପତି ତଥା ଯୁବ ବିଜେପିର ଜିଲ୍ଲା ସଭାପତି ଦୁଷ୍ମନ୍ତ ହରିଚନ୍ଦନ ନିଜର ସମର୍ଥକଙ୍କ ସହ ସେଠାରେ ପହଂଚି, ଏହାଦ୍ୱାରା କୌଣସି ନିର୍ବାଚନ ନିୟମର ଭଂଗ ହେଉନାହିଁ, ଏଣୁ ବନ୍ଦ କରାଯିବନାହିଁ ବୋଲି ଅଡ଼ି ରହିଥିଲେ । ଫଳରେ ଚିଲିକା ବିଧାୟକ ଓ ହରିଚନ୍ଦନଙ୍କ ମଧ୍ୟରେ କଥା କଟାକଟି ଓ ପରେ ହାତାହାତି ଯାଏଁ ବଢ଼ିଥିଲା ।

ସୂଚନା ପାଇ ବାଣପୁର ତହସିଲଦାର, ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ, ବାଣପୁର ଥାନା ଅଧିକାରୀ ସଦଳବଳେ ସେଠାରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ତେବେ ଏହା ପଂଜୀକୃତ ସାଂସ୍କୃତିକ ଅନୁଷ୍ଠାନ ହୋଇଥିବାରୁ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଅନୁଷ୍ଠାନ ଗୃହରେ କୌଣସି ରାଜନୈତିକ ସଭାସମିତି କରିବାକୁ ତହସିଲଦାର ବାରଣ କରିଥିଲେ ।

ତେବେ ଘଟଣାକୁ ନେଇ ସେଠାରେ ଦୁଇ ରାଜନୈତିକ ଦଳ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପୁଲିସ ମୁତୟନ କରାଯାଇଛି । ଏନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଂଜନ ବାରିକ କହିଛନ୍ତି ଯେ ବିବାଦ ସୃଷ୍ଟି ହୋଇଥିଲା । ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୁଲିସ ଘଟଣାର ସମାଧାନ କରିଛି । ତେବେ ଏନେଇ ଉଭୟ ପକ୍ଷରୁ ଥାନାରେ କୌଣସି ଲିଖିତ ଅଭିଯୋଗ ଦିଆଯାଇନାହିଁ । ସୂଚନାଯୋଗ୍ୟ, ବାଣପୁରରେ ୫ ଦିନ ପୂର୍ବେ ନିର୍ବାଚନ ପ୍ରଚାରକୁ ନେଇ ବିଜେପି ଓ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ମହିଳା ଗୁରୁତର ଆହତ ହୋଇଥିଲେ ।

ସମ୍ବନ୍ଧିତ ଖବର