ବାଲିପାଟଣା: ଜୟଦେବ ନିର୍ବାଚନ ମଣ୍ଡଳୀରେ ଥିବା ଖୋର୍ଦ୍ଧା ଜିଲ୍ଲାର ସମସ୍ତ ୬ ଜିଲ୍ଲା ପରିଷଦ ଜୋନ୍ରେ ବିଜେଡି ବିଜୟୀ ହୋଇଛି। ଦଳୀୟ ଗୋଷ୍ଠୀ କନ୍ଦଳ ସତ୍ତ୍ବେ ବିଜେଡି ପ୍ରାର୍ଥୀମାନଙ୍କୁ ସ୍ପଷ୍ଟ ବହୁମତ ମିଳିଛି। ୨୧ ନମ୍ବର ଜୋନ୍ରେ ବିଜେପି ଜିତିବ ବୋଲି ଆଶା କରାଯାଉଥିଲା। ଗତଥର ଏହି ଆସନଟି ବିଜେପି ଦଖଲରେ ଥିଲା ଓ ଏଥର ବିଜେପି ଜଣେ ଲଢ଼ୁଆ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିଲା। ମାତ୍ର ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜୟଯାତ୍ରା ଆଗରେ ବିଜେପିର ଆଶା ଓ ବିଶ୍ବାସ ଧୂଳିସାତ୍ ହୋଇଯାଇଛି।
ବାଲିପାଟଣା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ତଥା ସ୍ଥାନୀୟ ଅଞ୍ଚଳର ଜଣାଶୁଣା ଟାଣୁଆ ନେତା ପ୍ରଶାନ୍ତ ଆଦିତ୍ୟ ଶେଷରେ ଏହି ଜୋନ୍ରେ ପରାଜୟର ସ୍ବାଦ ଚାଖିଛନ୍ତି। ବିଜେଡି ପ୍ରାର୍ଥୀ ପବିତ୍ର ମୋହନ ପଟେଲ ବିପୁଳ ୪୭୫୪ ଭୋଟ୍ ବ୍ୟବଧାନରେ ପ୍ରଶାନ୍ତଙ୍କୁ ହରାଇଛନ୍ତି। ପବିତ୍ର ମୋହନ ୯୫୮୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ପ୍ରଶାନ୍ତ ଆଦିତ୍ୟ ୪୮୨୧ ଖଣ୍ଡ ଭୋଟ୍ ପାଇଛନ୍ତି।
ସୂଚନାଯୋଗ୍ୟ ପ୍ରଶାନ୍ତ ଆଦିତ୍ୟ ବିଜେଡି ନେତା କମଳ ପାତ୍ର ଓରଫ୍ ଚନ୍ଦନଙ୍କ ମୁଖ୍ୟ ସହଯୋଗୀ ଥିଲେ। ଚନ୍ଦନଙ୍କ ସହଯୋଗରେ ସେ ଓ ତାଙ୍କ ସ୍ତ୍ରୀ ବାଲିପାଟଣା ବ୍ଲକ୍ର ଅଧ୍ୟକ୍ଷ ହୋଇଥିଲେ। କିନ୍ତୁ ପ୍ରଶାନ୍ତ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିବା ପରେ ଚନ୍ଦନଙ୍କ ବିରୋଧୀ ହୋଇଯାଇଥିଲେ। ଏଥର ପଞ୍ଚାୟତ ନିର୍ବାଚନ ଆରମ୍ଭରୁ ବିଜେଡିରେ ଗୋଷ୍ଠୀ କନ୍ଦଳ ଖୋଲାଖୋଲି ଭାବେ ପଦାକୁ ଆସିଯାଇଥିଲା। ବିଧାୟକ ଅରବିନ୍ଦ ଢାଲିଙ୍କ ବିନା ପରାମର୍ଶରେ ଚନ୍ଦନ ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ କରିଥିଲେ ଓ ଦଳୀୟ ଟିକେଟ୍ ହାତେଇଥିଲେ।
ତେଣୁ ବିଧାୟକଙ୍କ ସମର୍ଥକମାନେ ଅସନ୍ତୁଷ୍ଟ ବିଜେଡି ଭାବେ ନିର୍ବାଚନ ମଇଦାନରେ ପ୍ରାର୍ଥୀ ଦେଇଥିଲେ। ତେଣୁ ପ୍ରଶାନ୍ତ ଆଦିତ୍ୟଙ୍କ ପାଇଁ ୨୧ ନମ୍ବର ଜୋନ୍ ଜିତିବା ସହଜ ଥିଲା ବୋଲି ଚର୍ଚ୍ଚା ହେଉଥିଲା। ଏମିତିକି ଏହି ଜୋନ୍ର ଫଳାଫଳ ଉପରେ ସମଗ୍ର ବ୍ଲକ୍ ନଜର ରଖିଥିଲା। ମାତ୍ର ଚନ୍ଦନଙ୍କ ରଣକୌଶଳ ଆଗରେ ପ୍ରଶାନ୍ତ ହାର୍ ମାନିବାକୁ ବାଧ୍ୟ ହୋଇଛନ୍ତି।
ସୂଚନାଯୋଗ୍ୟ, ୨୧ ନମ୍ଵର ଜୋନ୍ର ଆମଣାକୁଦ ପଞ୍ଚାୟତରେ ବିଜୟଲକ୍ଷ୍ମୀ ବେହେରା ସମିତି ସଭ୍ୟ ଓ ମିନତୀ ମିଶ୍ର ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି। ଭାପୁର ପଞ୍ଚାୟତରେ ସନାତନ ବୈଶାଖ ଓ ଲିଲିପ୍ରିୟା ସାହୁ ଯଥାକ୍ରମେ ସଭିତି ସଭ୍ୟ ଓ ସରପଞ୍ଚ ନିର୍ବାଚିତ ହୋଇଛନ୍ତି। ଦେଉଳିଧରପୁର ପଞ୍ଚାୟତରେ ସୌଭାଗ୍ୟଲକ୍ଷ୍ମୀ ଶୁଭଦର୍ଶିନୀ ଓ ଲକ୍ଷ୍ମୀଧର ଭୋଇ ଯଥାକ୍ରମେ ସମିତି ସଭ୍ୟ ଓ ସରପଞ୍ଚ ଭାବେ ବିଜୟୀ ହୋଇଛନ୍ତି। ଗୁଆପୁର ପଞ୍ଚାୟତରେ ସବିତା ସେନାପତି ଓ କୁନି ସେନାପତି ସମିତି ସଭ୍ୟ ଓ ସରପଞ୍ଚ ଭାବେ ଜିତିଛନ୍ତି। ନରିଶୋ ପଞ୍ଚାୟତରେ ଝିଲି ଭୋଇ ଓ କୁନିକବିତା କାଣ୍ଡି ସମିତି ସଭ୍ୟ ଓ ସରପଞ୍ଚ ଭାବେ ବିଜୟ ହାସଲ କରିଛନ୍ତି।