ବାଣପୁର : ୨୦୨୨ରେ ବାଣପୁର ବ୍ଲକ୍‌ ସମ୍ମୁଖରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ସମର୍ଥକ ଓ ପୁଲିସଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ଓ ବିଜେପି କର୍ମୀଙ୍କ ଆକ୍ରମଣରେ ଲହୁଲୁହାଣ ହେବା ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଏହା ପରେ ବିଜେଡି ନିଜ ଭାବମୂର୍ତ୍ତିକୁ ବଞ୍ଚାଇବାକୁ ଯାଇ ବାହୁବଳୀ ବିଧାୟକଙ୍କୁ ଦଳ ନିଲମ୍ବନ କରିଥିଲା। ଉଚ୍ଚ ନ୍ୟାୟାଳୟ ବିଧାୟକଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରବେଶ ଉପରେ ଏକ ବର୍ଷ ପାଇଁ ରୋକ୍‌ ଲଗାଇଥିଲେ।

Advertisment

ଶ୍ରୀ ଜଗଦ୍ଦେବଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଚିଲିକାରେ ତାଙ୍କର ବିରୋଧୀ ପୂର୍ବତନ ବିଧାୟକ ରଘୁନାଥ ସାହୁ, ବାଣପୁର ଏନ୍‌ଏସି ଅଧ୍ୟକ୍ଷ ମିଟୁ ନାୟକ ସକ୍ରିୟ ହୋଇଥିଲେ। ତେବେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ଜଗଦ୍ଦେବଙ୍କୁ ଚିଲିକା ନିର୍ବାଚନ ମଣ୍ଡଳୀ ସୀମା ମନା କରାଯାଇଥିଲା। କିନ୍ତୁ ବିଧାୟକ ଚିଲିକାରେ ନିଜର ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଜ ପତ୍ନୀ ସ୍ୱାଗତିକା ଜଗଦ୍ଦେବଙ୍କୁ ଦଳୀୟ ସଂଗଠନରେ ଆଗକୁ ଆଣିଥିଲେ। ବିଧାୟକ ଶ୍ରୀ ଜଗଦ୍ଦେବ ନିଜ ବଡ଼ପୋଖରିଆ ଓ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କ ସମର୍ଥକମାନଙ୍କୁ ନେଇ ଚିଲିକା ବିଜେଡିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ଉଚ୍ଚ ନ୍ୟାୟାଳୟର ସମୟସୀମା ଚଳିତ ମାସ ୨୩ ତାରିଖରେ ପୂରିଯାଇଛି।

ଏଣୁ ଆଜି ଶକ୍ତି ପ୍ରଦର୍ଶନ ପାଇଁ ନିଜ ସମର୍ଥକଙ୍କ ସହିତ ବାଲୁଗାଁ ମାମୁ-ଭଣଜା ପାହାଡ଼ଠାରୁ ବାଇକ୍‌ ପଟୁଆର, ପାଇକ ଆଖଡ଼ା ଓ ସମର୍ଥକଙ୍କ ସହ ବାଣପୁରର ଇଷ୍ଟ ଦେବୀ ମା’ଭଗବତୀଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଥିଲା ଶ୍ରୀ ଜଗଦ୍ଦେବଙ୍କର। ନିଜର ସାମର୍ଥ୍ୟ ଦେଖାଇ ବିଜେଡି ସୁପ୍ରିମୋଙ୍କୁ ନିଜ ନିଲମ୍ବନ ଆଦେଶକୁ ଫେରାଇବା ପାଇଁ ଚାପ ସୃଷ୍ଟି କରିବା ସହ ପୁନର୍ବାର ଦଳୀୟ ଟିକେଟ୍‌ ହାସଲ ପାଇଁ ବିଧାୟକ ଉଦ୍ୟମ କରୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଥିଲା। ଏପରିକି ବାଲୁଗାଁସ୍ଥିତ ବିଧାୟକଙ୍କ କାର୍ଯ୍ୟାଳୟରେ ୨୪ ତାରିଖ ଦିନ ସମର୍ଥକଙ୍କୁ ମେଳି କରାଯାଇ ବିଧାୟକଙ୍କ ମୁକ୍ତି ଦିବସ ପାଳନ ଯୋଜନା ହୋଇଥିଲା। ଏପରିକି ରସଗୋଲା ବଣ୍ଟାଯିବାର ବନ୍ଦୋବସ୍ତ କରାଯାଇଥିଲା। ଏ ସମ୍ପର୍କରେ ଖବରପାଇ ଦଳୀୟ ଉଚ୍ଚ କର୍ତ୍ତୃପକ୍ଷ ଚିଲିକାର ସମସ୍ତ ବିଜେଡି ନେତାଙ୍କୁ ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ କଡ଼ା ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଭୟରେ ବିଧାୟକଙ୍କ ପ୍ରତିନିଧି ଜୟନ୍ତ ସ୍ୱାଇଁଙ୍କ ତତ୍ତ୍ବାବଧାନରେ ବିଧାୟକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ କୌଣସି ଜଣେ ହେଲେ ଆଗଧାଡ଼ିର ନେତା କିମ୍ବା କର୍ମୀ ଏଥିରେ ଯୋଗ ଦେଇନାହାନ୍ତି। ଏପରିକି ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ଗୋପୀନାଥ ମହାରଣା ଓ ସରପଞ୍ଚ ମନୋଜ ପ୍ରଧାନ ଅନୁପସ୍ଥିତ ଥିଲେ। ଦଳୀୟ କର୍ମୀଙ୍କୁ ଦଳର ପ୍ରଭାବଶାଳୀ ମହଲର ନିର୍ଦ୍ଦେଶ ଯୋଗୁ ବାହୁବଳୀ ବିଧାୟକଙ୍କୁ ସମର୍ଥନ ନ ମିଳିବାରୁ ଏହା ଫସର ଫାଟିବା ଜାଣି ଆଜିର କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି।