ପ୍ରଶାନ୍ତ ଜଗଦ୍ଦେବଙ୍କ କାର୍ଯ୍ୟକୁ ଚାରିଆଡ଼ୁ ନିନ୍ଦା

ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଏନ୍‌ଏସ୍‌ଏରେ ଗିରଫ କରାଯାଉ: କଂଗ୍ରେସ

ବାଣପୁର ଘଟଣା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ: ଧର୍ମେନ୍ଦ୍ର
ଏଭଳି ବର୍ବର କାର୍ଯ୍ୟକୁ ଦୃଢ ଭାବେ ନିନ୍ଦା କରୁଛୁ: ବିଜେଡି
ଅମାନବୀୟ ଘଟଣାକୁ ବର୍ଣ୍ଣନା କରିବାକୁ ଭାଷା ନାହିଁ: ନିରଞ୍ଜନ

ଭୁବନେଶ୍ବର : ବାଣପୁର ବ୍ଲକ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯେଉଁଭଳି ଗାଡ଼ି ମଡ଼ାଇଦେଲେ ଏବଂ ୨୦ରୁ ଅଧିକ ଲୋକ ଆହତ ହେଲେ ତାହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। କେବଳ ବିରୋଧୀ ବିଜେପି ଓ କଂଗ୍ରେସ ନୁହେଁ ଶାସକ ବିଜେଡି ମଧ୍ୟ ନିଜ ଦଳର ବିଧାୟକଙ୍କ ଔଦ୍ଧତ୍ବକୁ ନିନ୍ଦା କରିଛି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି କହିଛନ୍ତି ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଠାରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ନିର୍ବାଚିତ ପ୍ରତିନିଧି ପ୍ରଶାନ୍ତ ଜଗଦ୍ଦେବ ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡ଼ି ଚଢ଼ାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ। ଜଣେ ବିଧାୟକ ଅମାନୁଷିକ ଭାବରେ ସର୍ବସାଧାରଣରେ ଜନତା ଓ ପୁଲିସ କର୍ମଚାରୀଙ୍କ ଉପରେ ନିଜେ ଗାଡ଼ି ଚଲାଇ ଚଢ଼ାଇବା ସମ୍ଭବତଃ ଓଡ଼ିଶାରେ ପ୍ରଥମ। ଏହି ଘଟଣାକୁ ଯେତେ କଡ଼ା ଶବ୍ଦରେ କହିଲେ ବି କମ୍ ହେବ। ରାଜ୍ୟ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ- ଏହା ସ୍ଲୋଗାନ ବଦଳରେ ପ୍ରତିବଦ୍ଧତା ହେବା ଜରୁରି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହାସହ ଏହି ଘଟଣାରେ ଆହତ ଓ ସଙ୍କଟାପନ୍ନ ଥିବା ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚିଲିକାରେ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣାକୁ ଉତ୍ତର ପ୍ରଦେଶର ‘ଲଖମିପୁର ଖେରି’ ଘଟଣା ସହିତ ତୁଳନା କରିଛନ୍ତି। ଟ୍ବିଟରେ ଏହାର ଏକ ଭିଡିଓକୁ ସେୟାର କରିବା ସହିତ ଶ୍ରୀ ପଟ୍ଟନାୟକ ଲେଖିଛନ୍ତି ଯେ ଓଡ଼ିଶାର ସାଧାରଣ ଲୋକଙ୍କୁ ବିଜେଡି କିଭଳି ବ୍ୟବହାର କରୁଛି ତାହା ଏହି ଘଟଣାରୁ ଅନୁମେୟ। ଏଭଳି ନିନ୍ଦନୀୟ ଓ ଅମାନବୀୟ ଘଟଣାକୁ ବର୍ଣ୍ଣନା କରିବା ଲାଗି ଭାଷା ନାହିଁ ବୋଲି ସେ କହିଛନ୍ତି।
ବିଧାୟକଙ୍କ ଏହି ବର୍ବରୋଚିତ କାଣ୍ଡକୁ ବି ନିଜ ଦଳ ବିଜେଡି ବିରୋଧ କରିଛି। ଆଜି ବାଣପୁରରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଘଟାଇଥିବା ବର୍ବର କାର୍ଯ୍ୟକୁ ବିଜେଡି ଦୃଢ ଭାବେ ନିନ୍ଦା କରୁଛି ବୋଲି ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। ସେ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଏପରି ହିଂସାତ୍ମକ କାର୍ଯ୍ୟ ଆଶ୍ଚର୍ଯ୍ୟକର ଏବଂ ଦୁର୍ଭାଗ୍ୟଜନକ। ଆମେ ନିଶ୍ଚିତ ଯେ ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଏବଂ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତାଙ୍କର ଏପରି କାର୍ଯ୍ୟ ପାଇଁ ପୂର୍ବରୁ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ଏହି ଘଟଣାରେ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଆମେ ପ୍ରାର୍ଥନା କରୁଛୁ।

ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଏନ୍‌ଏସ୍‌ଏରେ ଗିରଫ କରାଯାଉ: କଂଗ୍ରେସ

ଭୁବନେଶ୍ବର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ସାଧାରଣ ଜନତାଙ୍କ ଉପରେ ଗାଡ଼ି ଚଢ଼ାଇ ମାରିବାକୁ ଉଦ୍ୟମ କରିବା ଓଡ଼ିଶା ରାଜନୈତିକ ଇତିହାସରେ ଏକ କଳଙ୍କିତ ଘଟଣା। ବିଧାୟକ ଗାଡ଼ି ଚଢ଼ାଇବା ଫଳରେ ୭ଜଣ ପୁଲିସ କର୍ମଚାରୀଙ୍କ ସହିତ ୧୫ରୁ ଅଧିକ ଜନତା ଆହତ ହୋଇଛନ୍ତି। କେବଳ ଏହି ଘଟଣା ନୁହେଁ, ବିଧାୟକ ଜଗଦେବ ଲଗାତାର ଭାବେ ତାଙ୍କ ଗୁଣ୍ଡାଗିରି କରି ଚାଲିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କୁ ବହିଷ୍କାର କରିବା ସହିତ ଜାତୀୟ ନିରାପତା ଆଇନ(ଏନ୍‌ଏସ୍‌ଏ)ରେ ଗିରଫ କରିବା ଲାଗି ଦାବି କରିଛି କଂଗ୍ରେସ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ ଓ ପଦ୍ମାକର ଗୁରୁ କହିଲେ, ସ୍ବାଧୀନତା ସଂଗ୍ରାମୀ କୃତିବାସ ପାଟ୍ଟଶାଣୀ, ପଣ୍ଡିତ ଗୋଦାବରିଶ ମିଶ୍ରଙ୍କ ଜନ୍ମମାଟିରେ ଏଭଳି ଘୃଣ୍ୟ, ନିନ୍ଦନୀୟ ଓ ଅମାନବୀୟ ଘଟଣା କେବଳ ଓଡ଼ିଶା ନୁହେଁ, ଦେଶକୁ ସ୍ତବ୍ଧ କରିଛି। ପଞ୍ଚାୟତ ନିର୍ବାଚନ ସମୟରେ ଯେଉଁ ହିଂସାର ବାତାବରଣ ସମଗ୍ର ରାଜ୍ୟବାସୀ ଦେଖିଥିଲେ ସମାନ କଥାର ପୁନରାବୃତ୍ତି ଆଜି ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ସମୟରେ ଦେଖିବାକୁ ମିଳିଛି। ରାଜ୍ୟ ନିର୍ବାଚନ କମିସନର ଓ ପୁଲିସ ଡିଜି ଧୃତରାଷ୍ଟ୍ରଙ୍କ ଭଳି ବ୍ୟବହାର ନ କରି ଅପରାଧୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

୨୦୧୯ ସାଧାରଣ ନିର୍ବାଚନ ସମୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଘସିପୁରା ବିଧାୟକଙ୍କ ପୁଅ ଓ ତାଙ୍କ ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ ମୌନବ୍ରତ ଧାରଣ କରିଥିଲେ। ଏବେ ଚିଲିକା ବିଧାୟକଙ୍କ ଅମାନୁଷିକ କାର୍ଯ୍ୟକଳାପକୁ ନେଇ ମୁଖ୍ୟମନ୍ତ୍ରୀ ନିରବ ରହିବା ରାଜ୍ୟବାସୀଙ୍କୁ ବିସ୍ମିତ କରୁଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର