ଭୁବନେଶ୍ବର/ନବରଙ୍ଗପୁର : ଘର ଭିତରେ ଟଙ୍କାର ପାହାଡ଼। ପେଟି ଭିତରେ ବିଡ଼ାବିଡ଼ା ନୋଟ୍। ଗଣିଗଣି ଭିଜିଲାନ୍ସ ଅଧିକାରୀ ହାଲିଆ, ତଥାପି ସରୁନି। ଯୁଆଡ଼େ ହାତ ମାରିଲେ ସିଆଡ଼ୁ ବାହାରିଲା ଟଙ୍କା। ଜଣେ ସରକାରୀ ଅଧିକାରୀଙ୍କ ଘରୁ ଏମିତି ଅପର୍ଯ୍ୟାପ୍ତ ଟଙ୍କା ମିଳିବା ରାଜ୍ୟବାସୀଙ୍କୁ ଚକିତ କରିଦେଇଛି। ଭିଜିଲାନ୍ସ ଜାଲରେ ପଡ଼ିଥିବା ଏହି ସରକାରୀ ଅଧିକାରୀ ହେଲେ ନବରଙ୍ଗପୁର ଜିଲ୍ଲାର କୁବେର ଅଫିସର୍ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ଜାଗାରେ ଚଢ଼ଉ ବେଳେ ପ୍ରଶାନ୍ତଙ୍କ କାନନବିହାର ଏଚ୍ଆଇଜି-୧୧୫ରେ ଥିବା ଘରୁ ୨କୋଟି ୩ଲକ୍ଷ ୫୦୦ ଟଙ୍କା ଜବତ କରାଯାଇଥିଲା। ଚଢ଼ଉ ବେଳେ ପ୍ରଶାନ୍ତ ୬ଟି ସିଲ୍ ପେଟି ଓ ଗୋଟିଏ ଆଟାଚି ଭର୍ତ୍ତି ଟଙ୍କା ପଡ଼ୋଶୀଙ୍କ ଛାତ ଉପରକୁ ଫିଙ୍ଗି ଦେଇଥିଲେ। ପଡ଼ୋଶୀ ମଧ୍ୟ ଏହି ଟଙ୍କା ପେଟି ଘରକୁ ନେଇ ଯାଇଥିଲେ। ଭିଜିଲାନ୍ସ ଅଧିକାରୀମାନେ ପଡ଼ୋଶୀଙ୍କ ଘର ଭିତରେ ପଶି ଟଙ୍କା ଜବତ କରିଥିଲେ। କୋଟି କୋଟି ଟଙ୍କା ଜବତ ହେବା ପ୍ରଚାର ହେବାପରେ ସ୍ଥାନୀୟ ବାସିନ୍ଦା ଦେଖିବା ଲାଗି ଘର ବାହାରକୁ ମଧ୍ୟ ଚାଲି ଆସିଥିଲେ। ଖାଲି ଭୁବନେଶ୍ବର ନୁହେଁ, ନବରଙ୍ଗପୁର ସରକାରୀ କ୍ବାର୍ଟର୍ସରୁ ଦୁଇଟି ପର୍ଯ୍ୟାୟରେ ୮୮ ଲକ୍ଷ ୯୩ ହଜାର ୩୦୦ ଟଙ୍କା ଜବତ କରାଯାଇଥିଲା। ସେହିପରି ଚଢ଼ଉ ଜାରି ରହିଥିବା ବେଳେ ସନ୍ଧ୍ୟାରେ ଆଉ ୧୦ ଲକ୍ଷ ୩୭ ହଜାର ଟଙ୍କା ଭୁବନେଶ୍ବର କାନନବିହାର ଘରୁ ଜବତ କରାଯାଇଛି। ଏହି ଟଙ୍କାକୁ ସେ ବହି ରୢାକ୍ ପଛପଟ କାନ୍ଥରେ ଲୁଚାଇ ରଖିଥିଲେ। ଏବେ ସୁଦ୍ଧା ୩କୋଟି ୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ଜବତ କରାଯାଇଛି। ଚଢ଼ଉ ଜାରି ରହିଥିବା ବେଳେ ନଗଦ ଟଙ୍କା ମିଳୁଥିବାରୁ ଭିଜିଲାନ୍ସ ଅଧିକାରୀମାନେ ମଧ୍ୟ ତାଜୁବ୍ ହୋଇଯାଇଛନ୍ତି।
ଚଢ଼ଉ ବେଳେ ପଡ଼ୋଶୀଙ୍କ ଛାତକୁ ଫିଙ୍ଗିଦେଲେ
ବହି ରୢାକ୍ ପଛପଟେ କାନ୍ଥରେ ଲୁଚାଇଥିଲେ ୧୦ ଲକ୍ଷ
ବେନାମୀ ଆକାଉଣ୍ଟରେ ରହିଛି ୨୧ ଲକ୍ଷ ଟଙ୍କା
୩୦ ଲକ୍ଷ ଟଙ୍କାର ଇନୋଭା କାର ବି ବେନାମୀ
ପ୍ରଶାନ୍ତଙ୍କ କାରନାମା ଏତିକିରେ ଶେଷ ହୋଇନାହିଁ, ତାଙ୍କର ଏକ ବେନାମୀ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଜବତ କରାଯାଇଛି। ଏହି ବ୍ୟାଙ୍କ ଆକାଉଣ୍ଟରେ ୨୦୧୯ରୁ ୨୧ ଲକ୍ଷ ଟଙ୍କା ଜମା ରହିଛି। ଦୁଇଟି କାର୍ ଠାବ କରାଯାଇଥିବା ବେଳେ ଇନୋଭା ବେନାମୀ ବୋଲି ଜଣାପଡ଼ିଛି। ଏହାର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି। ସେହିପରି ଘରୁ ବିପୁଳ ପରିମାଣର ବ୍ୟାଙ୍କ ଆକାଉଣ୍ଟ, ଏଟିଏମ୍ କାର୍ଡ, ଜମିବାଡ଼ି କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି। କୋଟି କୋଟି ଟଙ୍କା ମିଳିବା ପରେ ଭିଜିଲାନ୍ସ ଅଧିକାରୀ ପ୍ରଶାନ୍ତଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଛନ୍ତି। ଚଢ଼ଉ ସମୟରେ କାନନ ବିହାର ଘର ୧୯୪୨ ବର୍ଗ ଫୁଟରେ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ଏହାର ମୂଲ୍ୟ ହିସାବ ଚାଲିଥିବା ବେଳେ ଆନୁମାନିକ କୋଟିଏ ଟଙ୍କା ହେବ ବୋଲି କୁହାଯାଉଛି। ମୋଟ୍ ୫ଟି ପ୍ଲଟ୍ ଠାବ କରାଯାଇଥିବା ବେଳେ କେବଳ ଭୁବନେଶ୍ବର ଓ କଟକରେ ୪ଟି ରହିଛି। ନବରଙ୍ଗପୁର ଉମରକୋଟରେ ଗୋଟିଏ ଜମି ରହିଛି। ଦୁଇଟି ଚାରି ଚକିଆ ଓ ଗୋଟିଏ ଦୁଇ ଚକିଆ ଗାଡ଼ିର ମୂଲ୍ୟ ୩୭ ଲକ୍ଷ ଟଙ୍କା ଆକଳନ କରାଯାଇଛି। ଜବତ ସୁନା ଅଳଙ୍କାର ମୂଲ୍ୟ ୨୧ ଲକ୍ଷ ୩୫ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ବେନାମୀ ଓ ନିଜ ନାଁରେ ଥିବା ବ୍ୟାଙ୍କ ଜମା ୬୨ ଲକ୍ଷ ଟଙ୍କା ହୋଇଥିବା ବେଳେ ଦୁଇ ପିଲାଙ୍କ ପାଠ ପଢ଼ା ଖର୍ଚ୍ଚ ବାବଦରେ ୮୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ ସୁଦ୍ଧା ମିଳିଥିବା ସମ୍ପତ୍ତିର ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଆକଳନ ଜାରି ରହିଥିବାରୁ ସମ୍ପତ୍ତିର ମୂଲ୍ୟ ଆହୁରି ଅଧିକ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଶୁକ୍ରବାର ସକାଳେ ପ୍ରଶାନ୍ତଙ୍କର ନବରଙ୍ଗପୁରସ୍ଥିତ ସରକାରୀ ବାସଭବନ, ଭୁବନେଶ୍ବର କାନନବିହାର ଏଚଆଇଜି-୧୧୫ରେ ଥିବା ଦୁଇ ମହଲା କୋଠା, ନବରଙ୍ଗପୁରସ୍ଥିତ ଅଫିସ, ଭଦ୍ରକ ବହୁଦରଡ଼ାରେ ଥିବା ପୈତୃକ ଘର ସମେତ ୯ ଜାଗାରେ ଏକକାଳୀନ ଚଢ଼ଉ କରା ଯାଇଥିଲା। ବିପୁଳ ପରିମାଣର ଟଙ୍କା ଜବତ ହେବା ପରେ ଅନ୍ୟ ସମ୍ପତ୍ତି ସମ୍ପର୍କରେ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି। ସେହିପରି ବିପୁଳ ପରିମାଣର ଟଙ୍କା ମିଳିଥିବାରୁ ପ୍ରଥମେ ସେ ନେଇ ଭିଜିଲାନ୍ସ ଅଧିକାରୀମାନେ ସରଜମିନ୍ ତଦନ୍ତ ଆରମ୍ଭ କରିଛନ୍ତି। ବେଆଇନ କାରବାର ପାଇଁ ବାଲିମାଫିଆ, ଖଣି ମାଫିଆ, ଜଙ୍ଗଲ ମାଫିଆ ଓ ଉନ୍ନୟନ କାମ ବାବଦରେ ଠିକାଦାରଙ୍କଠାରୁ ଟଙ୍କା ଠୁଳ କରିଥିବା କୁହାଯାଉଛି। କିନ୍ତୁ ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ଚଢ଼ଉ ପାଇଁ ୯ଟି ଟିମ୍ ତିଆରି ହୋଇଥିଲା। ଦୁଇଜଣ ଅତିରିକ୍ତ ଏସ୍ପିଙ୍କ ନେତୃତ୍ବରେ ୭ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି। ଚଢ଼ଉ ବିଳମ୍ବିତ ରାତି କିମ୍ବା କାଲି ସକାଳ ପର୍ଯ୍ୟନ୍ତ ମଧ୍ୟ ଚାଲିବ ବୋଲି କୁହାଯାଉଛି।
୨୭ ବର୍ଷ ଚାକିରି, ୧୪ ମାସ ନିଲମ୍ବନ
୨୭ ବର୍ଷ ଚାକିରି କାଳରେ ପ୍ରଶାନ୍ତ ରାଉତ କୋଟି କୋଟି କଳା ଟଙ୍କା ଠୁଳ କରିଥିଲେ। ୧୯୯୬ ଜୁଲାଇ ୧ ତାରିଖରୁ ସେ ଓଏଏସ୍ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ବରଗଡ଼ ଜିଲ୍ଲାରେ ତହସିଲଦାର ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ। ଏହା ପରେ ଯାଜପୁର, କଟକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ରେ ବିଡିଓ ଭାବେ କାର୍ଯ୍ୟ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ବିଡିଓ ଥିବା ବେଳେ ୨୦୧୮ ନଭେମ୍ବର ୬ ତାରିଖରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଲାଞ୍ଚ ମାମଲାରେ ଗିରଫ ହେବା ପରେ ସେହି ଦିନ ଠାରୁ ୨୦୨୦ ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ନିଲମ୍ବିତ ହୋଇଥିଲେ। ଏହା ପରେ ତାଙ୍କୁ ନବରଙ୍ଗପୁର ଅତିରିକ୍ତ ଉପ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରା ଯାଇଥିଲା।
ଟଙ୍କା ପାଇଁ ଟ୍ରଙ୍କ କିଣିଲା ଭିଜିଲାନ୍ସ
କୋଟି କୋଟି ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀମାନେ ତାଜୁବ୍ ହୋଇ ଯାଇଥିଲେ। ଏକା ସାଙ୍ଗରେ ଏତେ ପରିମାଣର ଟଙ୍କା ନେବା ପାଇଁ ଟ୍ରଙ୍କ ଦରକାର ପଡ଼ିଥିଲା। ଭିଜିଲାନ୍ସ ଅଧିକାରୀ ବଜାରରୁ ଟ୍ରଙ୍କ କିଣିକି ଆଣିଥିଲେ। ଏହି ଟ୍ରଙ୍କରେ ଟଙ୍କା ରଖାଯାଇ ପ୍ରଶାନ୍ତଙ୍କ ଉପସ୍ଥିତିରେ ସିଲ୍ କରାଯାଇଥିଲା। ଏହାକୁ ବ୍ୟାଙ୍କରେ ଜମା କରାଯିବ ବୋଲି ଜଣାପଡ଼ିଛି।
ଭିଜିଲାନ୍ସ ଏଯାଏ ଜବତ କରିଥିବା ସର୍ବାଧିକ ଟଙ୍କା
୨୦୨୨ ଏପ୍ରିଲ ୭: ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରୁ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ଜବତ ହୋଇଥିଲା।୨୦୨୨ ମାର୍ଚ୍ଚ ୨୫: ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରୁ ନଗଦ ୧କୋଟି ୪୦ ଲକ୍ଷ ୧୮ ହଜାର ୭୦ ଟଙ୍କା ଜବତ ହୋଇଥିଲା।
୨୦୨୨ ଫେବ୍ରୁଆରି ୧୬: ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରସୂତି ବିଭାଗ ଡାକ୍ତର ସୁକାନ୍ତ ଜେନାଙ୍କ ଭୁବନେଶ୍ବରସ୍ଥିତ ଫ୍ଲାଟରୁ ୧ କୋଟି ୧୩ ଲକ୍ଷ ୧୬ ହଜାର ୭୨୦ ଟଙ୍କା ଜବତ ହୋଇଥିଲା।
୨୦୨୨ ଡିସେମ୍ବର ୨୦: ଇଡକଲ୍ ଯୁଗ୍ମ ମ୍ୟାନେଜର ଗୟା ସାନ୍ତରାଙ୍କ ଘରୁ ୧ କୋଟି ୬ ଲକ୍ଷ ୪୪ ହଜାର ୫୦୦ ଟଙ୍କା ଜବତ ହୋଇଥିଲା
୨୦୧୬ ଫେବ୍ରୁଆରି ୨୪: ଆଠଗଡ଼ର ପୂର୍ବତନ ଡିଏଫ୍ଓ ସୁଧାଂଶୁ ଶେଖର ମିଶ୍ରଙ୍କ କଟକସ୍ଥିତ ଘରୁ ୧ କୋଟି ୧ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଥିଲା।