କଂଗ୍ରେସ ଛାଡିଲେ ପ୍ରଶାନ୍ତ ସେଠୀ, ଜର୍ଜଙ୍କ ସହ ବିଜେଡିରେ ସାମିଲ ନେଇ ଚର୍ଚ୍ଚା

ରାଉରକେଲା: କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ। ସେ ତାଙ୍କର ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇଦେଇଛନ୍ତି। ଇସ୍ତଫା ପତ୍ରରେ ବ୍ୟକ୍ତିଗତ ସମସ୍ୟାରୁ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିବା ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। କଂଗ୍ରେସ ଦଳରେ ଦୀର୍ଘ ୪ ବର୍ଷ ଧରି ନିଃସ୍ବାର୍ଥପର ଭାବେ କାର୍ଯ୍ୟ କରିଆସୁଥିଲେ। ମାତ୍ର ଏବେ ତାଙ୍କର କେତେକ ବ୍ୟକ୍ତିଗତ ସମସ୍ୟରୁ ଦଳରେ ରହି କାର୍ଯ୍ୟ କରିବା ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି।

ଆଗାମୀ ଦିନରେ ବିଜେଡିରେ ମିଶିବାକୁ ଯାଉଥିବା ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ସେଠୀ କିଛି ଉତ୍ତର ରଖି ନାହାନ୍ତି। ପ୍ରଶାନ୍ତଙ୍କ ସହ ତାଙ୍କର ସହଯୋଗୀ ତଥା କଂଗ୍ରେସର ରାଜ୍ୟ ସାମାଜିକ ଗଣମାଧ୍ୟମ ସମ୍ପାଦକ ବିଶ୍ବରଞ୍ଜନ ରାଉତ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାକ ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି। ସେ ଗତ ୨୦୧୬ରେ କଂଗ୍ରେସରେ ସାମିଲ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ପ୍ରଶାନ୍ତ ସେଠୀ କଂଗ୍ରେସରେ ‌ଯୋଗ ଦେବା ପୂର୍ବରୁ ବିଜେଡି ଜଣେ ସକ୍ରିୟ କର୍ମୀ ଥିଲେ। ବିଜୁ ଶ୍ରମିକ ସାମ୍ମୁଖରେ ଜଣେ ସକ୍ରିୟ କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ଗତ ୨୦୧୯ ବିଧାନସଭା ନିର୍ବାଚନରେ ରଘୁନାଥପାଲୀ ଆସନରୁ ବିଜେଡି ଟିକେଟ ଆଶାୟୀ ଥିଲେ। ମାତ୍ର ତାଙ୍କୁ ବିଜେଡ଼ିରୁ ଟିକେଟ ମିଳି ନଥିଲା। ଶେଷ ମୂହୂର୍ତ୍ତରେ ବିଜେଡି ଛାଡି ୨୦୧୯ ମାର୍ଚ୍ଚରେ କଂଗ୍ରେସରେ ସାମିଲ ହୋଇଥିଲେ। ତାଙ୍କୁ ରଘୁନାଥପାଲୀ ଆସନ ପାଇଁ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଟିକେଟ ମିଳିଥିଲା।

ବିଜେଡିର ସୁବ୍ରତ ତରାଇଙ୍କୁ ଟକ୍କର ଦେଇଥିଲେ। ହେଲେ ତାଙ୍କୁ ପରାଜୟ ହେବାକୁ ପଡିଥିଲା। ଏବେ କଂଗ୍ରେସରୁ ଇସ୍ତଫା ଦେବା ପରେ ପ୍ରଶାନ୍ତ ପୁଣି ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋରଧରିଛି। ଖୁବ୍‌ ଶୀଘ୍ର ସେ ଓ ପୂର୍ବରୁ କଂଗ୍ରେସ ଛାଡି ଥିବା ବୀରମିତ୍ରପୁର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିଜେଡିରେ ସାମିଲ ହେବାକୁ ଯାଉଥିବା ଶୁଣିବାକୁ ମିଳୁଛି। ଜର୍ଜ ତିର୍କୀ କୁଆଡେ ବିଜେଡିର ବୀରମିତ୍ରପୁର ଓ ପ୍ରଶାନ୍ତ ରଘୁନାଥପାଲୀ ବିଧାନସଭା ଆସନରୁ ବିଧାୟକ ପ୍ରାର୍ଥୀ ହେବାକୁ କୁଆଡେ ଆଶା ରଖିଥିବା ରାଜନୈତିକ ମହଲରେ ଶୁଣିବାକୁ ମିଳୁଛି। ଆଗାମୀ ଦିନରେ ଦୁଇ ନେତା ବିଜେଡିରେ ମିଶିବା ପରେ ଦଳର ହାଇକମାଣ୍ଡ ବିଧାନସଭା ଆସନ ପାଇଁ ଦୁହିଁଙ୍କୁ ଟିକେଟ ଦେଉଛି କି ନାହିଁ , ତା‘ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର