ଦାୟିତ୍ବ ନେଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ : ଆଜି ଦିଲ୍ଲୀର ଉଦ୍ୟୋଗ ଭବନରେ କେନ୍ଦ୍ର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରତାପ ଷଡ଼ଙ୍ଗୀ ଦାୟିତ୍ବ ଗ୍ରହଣ କରିଛନ୍ତି। ମିଳିତ ଭାବେ କେନ୍ଦ୍ର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ମନ୍ତ୍ରୀ ନିତୀନ ଗଡକରିଙ୍କ ସହ ପ୍ରତାପ ଷଡ଼ଙ୍ଗୀ ଉଦ୍ୟୋଗ ଭବନ କାର୍ଯ୍ୟାଳୟରେ ଦାୟିତ୍ବ ‌େନଇଛନ୍ତି। । ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ବିଭାଗର ବରିଷ୍ଠ ଅଧିକାରୀମାନେ ଫୁଲତୋଡ଼ା ଦେଇ ସେମାନଙ୍କୁ ସ୍ବାଗତ କରିଥିଲେ।

ଦାୟିତ୍ବ ଗ୍ରହଣ କରିବା ପରେ ଆଜି ଦୁଇ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକରୀ ଓ ପ୍ରତାପ ଷଡ଼ଙ୍ଗୀ ଏମଏସ୍‌ଏମଇ ସେକ୍ଟରରେ କିପରି ରୋଜଗାରର ଅବସର ସୃଷ୍ଟି କରାଯାଇ ପାରିବ ଓ ଆମଦାନୀ ବୃଦ୍ଧି କରାଯାଇ ପାରିବ ସେନେଇ ଗୁରୁତ୍ବାରୋପ କରିଥିଲେ। ଦୁଇ କେନ୍ଦ୍ର ମନ୍ତ୍ରୀ ବିଭାଗର ସଚିବ ଡକ୍ଟର ଅରୁଣ କୁମାର ପଣ୍ଡା, କେଭିଆଇସି ଅଧ୍ୟକ୍ଷ ବିନୟ କୁମାର ସାକ୍‌ସେନା ତଥା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ। ଏମଏସ୍‌ଏମ୍‌ଇ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ସହ ବିଭିନ୍ନ ଯୋଜନା ଗୁଡ଼ିକୁ ତ୍ବରାନ୍ବିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସୂଚନାଯୋଗ୍ୟ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଅଦ୍ୟାବଧି ମନ୍ତ୍ରୀ ପ୍ରକୋଷ୍ଠ ଆବଣ୍ଟନ କରାଯାଇ ନାହିଁ। ଉଲ୍ଲେଖ‌େଯାଗ୍ୟ ଗତ ସପ୍ତାହରେ ପ୍ରତାପ ଷଡ଼ଙ୍ଗୀ ପଶୁ ପାଳନ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟ ପାଳନ ରାଷ୍ଟ୍ରମନ୍ତ୍ରୀ ରୂପେ ଦିଲ୍ଲୀର କୃଷି ଭବନରେ ଦାୟିତ୍ବ ଗ୍ରହଣ କରିଥିଲେ।

ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେବା ଦାବିରେ ଦିଲ୍ଲୀରେ ଧାରଣା
ନୂଆଦିଲ୍ଲୀ କେନ୍ଦ୍ର ପଶୁପାଳନ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟପାଳନ ଏବଂ ଲଘୁ, କ୍ଷୁଦ୍ର, ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ତାଙ୍କର ଅପରାଧିକ କାର୍ଯ୍ୟାକଳାପରେ ସଂପୃକ୍ତି ଅଭିଯୋଗ ନେଇ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେବାପାଇଁ ଆଜି ତିନୋଟି ସଂସ୍ଥା ପକ୍ଷରୁ ଦିଲ୍ଲୀର ଜନ୍ତରମନ୍ତରରେ ଦାବି କରାଯାଇଛି। ଅଲ୍‌ ଇଣ୍ଡିଆ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ଫ୍ରଣ୍ଟ୍‌, ଶୂନ୍ୟ ଟ୍ରଷ୍ଟ୍‌, ବହୁଜନ ୟୁଥ୍ ବ୍ରିଗେଡ୍ ସଂସ୍ଥା ଦ୍ବାରା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଇସ୍ତଫା ଦାବି କରାଯାଇଥିଲା। ଗ୍ରାହମ ଷ୍ଟେନସ୍ ହତ୍ୟାକାଣ୍ଡରେ ପ୍ରତାପ ଷଡ଼ଙ୍ଗୀଙ୍କ ସଂପୃକ୍ତି ଥିବା ନେଇ ସଂସ୍ଥାମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ଅପରାଧିକ ମାମଲାରେ ସଂପୃକ୍ତି ଥିବା ନେତାମାନଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ ଦାବି କରାଯିବା ସହ ଆଗାମୀ ଦିନରେ ଏହି ଅଭିଯାନକୁ ଜୋରଦାର୍ କରାଯିବ ବୋଲି ଅଲ୍‌ଇଣ୍ଡିଆ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ଫ୍ରଣ୍ଟ୍‌ର ଅଧ୍ୟକ୍ଷ ଫିଲିପ୍ କ୍ରୀଷ୍ଟ କହିଥିଲେ।

ସମ୍ବନ୍ଧିତ ଖବର