କୋର୍ଟରେ ହାଜର ହେଲେ ପ୍ରତାପ ଷଡ଼ଙ୍ଗୀ

ଭୁବ‌ନେଶ୍ୱର : ଦୁଇଟି ପୁରୁଣା ଆପରାଧିକ ମାମଲାରେ ଛନ୍ଦି ହୋଇପଡ଼ିଥିବା ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ଭୁବନେଶ୍ୱରର ଦୁଇଟି କୋର୍ଟ‌ରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି। ଲୋକପ୍ରତିନିଧିଙ୍କ ପାଇଁ ସ୍ବତନ୍ତ୍ର କୋର୍ଟ ତଥା ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌(୩)ଙ୍କ କୋର୍ଟରେ ଗୋଟିଏ ମାମଲାରେ ସେ ହାଜର ହୋଇଥିବା ବେଳେ ଅନ୍ୟଏକ ମାମଲାରେ ସେ ‌ଜେଏମ୍‌ଏଫସି କୋର୍ଟରେ ହାଜର ହୋଇଥିଲେ। ସୂଚନା ମୁତାବକ, ୨୦୦୪ ମସିହାରେ ବାଲେଶ୍ବର ଜିଲ୍ଲା ଗୋପୀନାଥପୁରରେ ଏକ ଗୋଷ୍ଠୀ ପୋଡ଼ାଜଳା କରିଥିଲେ। ଏଥିରେ ଆଦିବାସୀମାନଙ୍କ ଠାକୁର ମୂର୍ତ୍ତି ପୋଡ଼ି ଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏତଲାରେ ଶ୍ରୀ ଷଡ଼ଙ୍ଗୀଙ୍କ ନାମ ରହିଥିଲା। ସେହିଭଳି ୨୦୧୧ ମସିହାରେ ଏକ ମନ୍ଦିର ଟ୍ରଷ୍ଟ କାର୍ଯ୍ୟକ୍ରମରେ ସେ ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇଥିବା ନେଇ ନୀଳଗିରି ଥାନାରେ ଏତଲା ହୋଇଥିଲା। ଏହି ଦୁଇ ଏତଲାକୁ ଆଧାର କରି ବାଲେଶ୍ବର କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। ଏବେ ଅଧିକୃତ କୋର୍ଟରେ ଲୋକପ୍ରତିନିଧିଙ୍କ ମାମଲାର ଶୁଣାଣି ହେବା ପାଇଁ ନିଷ୍ପତ୍ତି ହେବାରୁ ଭୁବନେଶ୍ବର ଏଡିଜେ-୩ କୋର୍ଟକୁ ଉଭୟ ମାମଲା ସ୍ଥାନାନ୍ତର ହୋଇଛି। ଏହି ମାମଲାରେ ଅନ୍ୟ ଦୁଇଜଣ ଅଭିଯୁକ୍ତ କୋର୍ଟରେ ହାଜର ହୋଇ ସାରିଥିବା ବେଳେ କେବଳ ଶ୍ରୀ ଷଡ଼ଙ୍ଗୀଙ୍କୁ ହିଁ ହାଜର ହେବାର ଥିଲା। ତାଙ୍କୁ ଦୁଇଥର ହାଜର ହେବା ପାଇଁ ନୋଟିସ ହୋଇଥିଲା। ହେଲେ ସେ ସମୟ ମାଗିଥିଲେ।

ସମ୍ବନ୍ଧିତ ଖବର