ଯୁବ କଂଗ୍ରେସ ଶୋଭାଯାତ୍ରା ଅଟକାଇଲା ପୁଲିସ
ଶିଶୁଭବନ ଛକରେ କୁଶ ପୁତ୍ତଳିକା ଦାହ

ଭୁବନେଶ୍ବର : ମାହାଙ୍ଗା ଡବଲ ମର୍ଡର ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ବୋଲି ଆରୋପ କରିଛି ଭୁବନେଶ୍ବର ଜିଲ୍ଲା ଯୁବ କଂ‌ଗ୍ରେସ। ତେଣୁ ତାଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ଯୁବ କଂଗ୍ରେସ ପକ୍ଷରୁ ତାଙ୍କ ସରକାରୀ ବାସଭବନ ଘେରାଉ କରିବାକୁ ଯୋଜନା କରାଯାଇଥିଲା। ମାତ୍ର ଯୁବ କଂଗ୍ରେସର ବାଇକ୍‌ ଶୋଭାଯାତ୍ରାକୁ ପୁଲିସ ବାଟରେ ଅଟକାଇବାରୁ ଶିଶୁଭବନ ଛକରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।

Advertisment

ସଭାପତି ରଂଜିତ ପାତ୍ରଙ୍କ ନେତୃତ୍ୱରେ ଆଜି କଂଗ୍ରେସ ଭବନରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ବାହାରିଥିଲା। ବିକ୍ଷୋଭକାରୀମାନେ ସରକାରୀ ବାସଭବନ ଘେରାଉ ପାଇଁ ଅଗ୍ରସର ହେଉଥିଲା ବେଳେ ପୁଲିସ ସେମାନଙ୍କୁ ଶିଶୁଭବନ ଛକରେ ଅଟକାଇ ଗିରଫ କରିଥିଲା। ତେଣୁ ଶିଶୁଭବନ ଛକରେ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଶ୍ରୀ ପାତ୍ରଙ୍କ କହିଛନ୍ତି ଯେ ମାହାଙ୍ଗା ଡବଲ ମର୍ଡର କେସ୍‌ରେ ମୁଖ୍ୟ ଷଡ୍‌ଯନ୍ତ୍ରକାରୀ ହେଉଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ମୁଖ୍ୟମନ୍ତ୍ରୀ ତାଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଥିଲେ। ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତିର ପର୍ଦ୍ଦାଫାସ୍‌ ଯୋଗୁ ମନ୍ତ୍ରୀ ପରୋକ୍ଷରେ ଏହି ହତ୍ୟାକାଣ୍ଡ କରାଇଥିଲେ। ପ୍ରମାଣ ନଷ୍ଟ ପାଇଁ ମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କୁ ସଡ଼କ ଦୁର୍ଘଟଣା ମାଧ୍ୟମରେ ହତ୍ୟା କରାଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିବା ସହ ତାଙ୍କ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ପାତ୍ର ଦାବି କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ, ପ୍ରଦେଶ ଯୁବ କଂଗ୍ରେସ ମୁଖପାତ୍ର ଅଜୟ କୁମାର ସାହୁ, ସାଧାରଣ ସଂପାଦକ ଗୋପନ ମାର୍ଥା, ସ୍ୱାଗତ କର, ବାଦଲ ମହାନ୍ତି, ଲିଙ୍ଗରାଜ ସାହୁ, ସଂକୁନା କହଁର, ବଟକୃଷ୍ଣ ରାଉତରାୟ, ବାବୁ ଜେନା, ଅବିନାଶ ନନ୍ଦ, କାର୍ତ୍ତିକ କାଣ୍ଡି, ସୂର୍ଯ୍ୟକାନ୍ତ ସାହୁ, ସାମସନ୍ ଦାସ, ପ୍ରତ୍ୟୁଷ ରଂଜନ ପ୍ରଧାନ, ମହେନ୍ଦ୍ର ବରାଳ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ଅକ୍ଷୟ ଦାସ, ମନୋଜ ସାହୁ, ରଂଜନ ମହାଳିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।