ଗ୍ରାମୀଣ ଉତ୍ପାଦ ମୂଲ୍ୟଯୁକ୍ତ ହେଲେ ଅନ୍ତର୍ଜାତୀୟ ବଜାର ପହଞ୍ଚିପାରିବ

ଓଡ଼ିଶା ଜୀବିକା ମିସନ୍‌ର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାର ଗ୍ରାମୀଣ ଉତ୍ପାଦିତ ସାମଗ୍ରୀ ଗୁଡ଼ିକର ପର୍ଯ୍ୟାପ୍ତ ବଜାର ସମ୍ଭାବନା ଓ ସାମର୍ଥ୍ୟ ରହିଛି। ଏହାକୁ ଭିତ୍ତି କରି ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ବିପଣନ ସଂସ୍ଥା(ଓର୍‌ମାସ୍‌) ଜରିଆରେ ସେଗୁଡ଼ିକର ଗୁଣବତ୍ତା ସୁନିଶ୍ଚିତ କରାଯିବା ସହ ବ୍ରାଣ୍ଡିଙ୍ଗ ମାଧ୍ୟମରେ ଅଧିକ ମୂଲ୍ୟଯୁକ୍ତ ହୋଇପାରିବ। ଫଳରେ ଗ୍ରାମୀଣ ଉତ୍ପାଦକମା‌େନ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ପହଞ୍ଚିପାରିବେ। ଏ ନେଇ ଏକ ସମନ୍ୱିତ ବିକ୍ରୟ ଯୋଜନା ପ୍ରସ୍ତୁତ କରିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ବିଭାଗକୁ ନିର୍ଦେଶ ଦେଇଛନ୍ତି।

ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ଜେନା ଓର୍‌ମାସ୍‌ ଏବଂ ଓଡ଼ିଶା ଜୀବିକା ମିସନର କାର୍ଯ୍ୟାବଳୀ ସମୀକ୍ଷା କରିଥିଲେ। ସମୀକ୍ଷା ବେଳେ ଦେଶର ନାମିଦାମୀ ଉଦ୍ୟୋଗମାନଙ୍କ ସହ ଅନୁବନ୍ଧିତ ହୋଇ ଗ୍ରାମୀଣ ଉତ୍ପାଦର ବ୍ୟାପକ ବଜାର ସୃଷ୍ଟି ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଇତି ମଧ୍ୟରେ ଡାବର ଇଣ୍ଡିଆ, ମଦର ଡାଏରି ଓ ଆଇ.ଟି.ସି. ଭଳି ଦେଶର ଅଗ୍ରଣୀ କମ୍ପାନିମାନଙ୍କ ସହ ଓରମାସ୍‌ ଅନୁବନ୍ଧିତ ହୋଇ ହଳଦୀ, ମହୁ, ଧୂପକାଠି ଭଳି ଉତ୍ପାଦ ଗୁଡ଼ିକ ପ୍ୟାକେଜିଂ ଏବଂ ବିକ୍ରିବଟା ପାଇଁ ପଦକ୍ଷେପ ନେଇସାରିଛି। ଓଡ଼ିଶା ଜୀବିକା ମିସନର ଚଳିତ ବର୍ଷର କାର୍ଯ୍ୟ ଖସଡ଼ା ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ସମୀକ୍ଷାରୁ ଜଣାଯାଇଥିଲା ଗତ ଆର୍ଥିକ ବର୍ଷରେ ଓଡ଼ିଶା ଜୀବିକା ମିସନ ପାଇଁ ୨୯୪ କୋଟି ୬୩ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। କିନ୍ତୁ ୩୪୨ କୋଟି ୫୧ ଲକ୍ଷ ଟଙ୍କା ବ୍ୟୟ ହୋଇଛି। ଚଳିତ ବର୍ଷ ମଧ୍ୟ ନିର୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ଯୋଜନା ସଂପାଦନା କରିବା ସହ ବିନିଯୋଗ ପ୍ରମାଣ ପତ୍ର ଯଥା ସମୟରେ ଦାଖଲ କରିବା ଉପରେ ମନ୍ତ୍ରୀ ଶ୍ରୀ ଜେନା ନିର୍ଦେଶ ଦେଇଥିଲେ। ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ, ଜାତୀୟ ଗ୍ରାମୀଣ ଜୀବିକା ମିସନର ନିର୍ଦେଶକ ତଥା ଓରମାସ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ସ୍ମୃତିରଞ୍ଜନ ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର