ନିସ୍ତାର ପାଇବେନି ଦୁର୍ନୀତିଗ୍ରସ୍ତ ଅଧିକାରୀ: ପଞ୍ଚାୟତିରାଜ ମନ୍ତ୍ରୀ

ଏଣିକି ପ୍ରତି ସୋମବାର ପ୍ରକଳ୍ପ ନିର୍ଦ୍ଦେଶକମାନେ ଅଭିଯୋଗ ଶୁଣାଣି କରିବେ

ଭୁବନେଶ୍ବର: ଜନତାଙ୍କୁ ଉତ୍ତମ ସେବା ପ୍ରଦାନରେ ଅସଫଳ ହେଲେ କିମ୍ବା ଦୁର୍ନୀତି କଲେ ଦଣ୍ଡ ସୁନିଶ୍ଚିତ। କୌଣସି ପରିସ୍ଥିତିରେ ବି ଦୁର୍ନୀତଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ଛଡ଼ାଯିବନି। ଆଜି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କର ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ ଏପରି ଚେତାବନୀ ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ‘ ମୋ ସରକାର’ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ମନ୍ତ୍ରୀ ବରିଷ୍ଠ ଅଧିକାରମାନଙ୍କୁ ପରାମର୍ଶ ଦେବା ସହ ଗ୍ରାମୀଣ ବାସଗୃହ, ମନରେଗା, ପାନୀୟ ଜଳ ଓ ପରିମଳ, ଓଡ଼ିଶା ଜୀବିକା ମିସନକୁ ପଞ୍ଚାୟତ ସ୍ତରରେ କ୍ରିୟାଶୀଳ କରିବାକୁ ଗୁରୁତ୍ବ ଦେଇଥିଲେ। ଏହି ଅବସରରେ ପ୍ରତି ସୋମବାର ପ୍ରକଳ୍ପ ନିର୍ଦ୍ଦେଶକମାନେ ଅଭିଯୋଗ ଶୁଣାଣି କରିବାକୁ ସମ୍ମିଳନୀରେ ନିଷ୍ପତ୍ତି ହୋଇଛି।

ମଙ୍ଗଳବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନଠାରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କ ଦୁଇ ଦିନିଆ ସମ୍ମିଳନୀକୁ ଉଦଘାଟନ କରି ଶ୍ରୀ ଜେନା କହିଥିଲେ, ଲୋକଙ୍କ ପାଇଁ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ଯେପରି ଲୋକଙ୍କ ପାଖରେ ସୁବିଧାରେ ପହଞ୍ଚିପାରିବ ସେଥିପାଇଁ ଅଧିକାରୀମାନେ ଯତ୍ନବାନ ହେବା ଦରକାର। ଜନସାଧାରଣଙ୍କୁ ଉନ୍ନତ ମୌଳିକ ସେବା ଉପଲବ୍ଧ କରିବା ଉପରେ ସରକାର ଗୁରୁତ୍ବ ଦେଇଛନ୍ତି। ଏହାକୁ ଯେପରି ଠିକ୍ ଭାବେ ପାଳନ କରାଯିବ ସେଥିପାଇଁ ସବୁ କର୍ମଚାରୀ ଓ ଅଧିକାରୀ ଉଦ୍ୟମ କରିବେ। ‘ମୋ ସରକାର’ କାର୍ଯ୍ୟକ୍ରମରେ ଖିଲାପ କଲେ ଦଣ୍ଡବିଧାନ କରାଯିବ। ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ୫’ଟି’ର କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେଇଥିଲେ। ଏଣିକି ଅଭିଯୋଗକାରୀଙ୍କ ସମସ୍ୟା ସମାଧାନ କରିବା ପାଇଁ ପ୍ରତି ସୋମବାର ଅଭିଯୋଗ ଶୁଣାଣି କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକମାନଙ୍କୁ ପାନୀୟ ଜଳ ଓ ପରିମଳ ନିର୍ଦ୍ଦେଶକ ରୂପା ମିଶ୍ର ପରାମର୍ଶ ଦେଇଥିଲେ। ଭିନ୍ନକ୍ଷମ, ଗର୍ଭବତୀ ମହିଳା ଓ ବରିଷ୍ଠ ନାଗରିକମାନଙ୍କ ଅଭିଯୋଗକୁ ପ୍ରାଥମିକତା ଭିତ୍ତିରେ ଗ୍ରହଣ କରି ସେଗୁଡ଼ିକର ତ୍ବରିତ ସମାଧାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ଦୁଇ ଦିନିଆ ସମ୍ମିଳନୀର ପ୍ରଥମ ଦିନରେ ଗ୍ରାମୀଣ ବାସଗୃହ, ମନରେଗା, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ଆମ ଗାଁ ଆମ ବିକାଶ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ସେହିପରି ଦ୍ବିତୀୟ ଦିବସରେ ଓଡ଼ିଶା ଜୀବିକା ମିସନ, ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା, ରୁଅର୍ବାନ ଓ ସାଂସଦ ଆଦର୍ଶ ଗ୍ରାମ ଯୋଜନା, ରାଷ୍ଟ୍ରୀୟ ଗ୍ରାମ ସ୍ବରାଜ ମିସନ ଓ ଦକ୍ଷତା ବିକାଶ, ପାନୀୟ ଜଳ ଓ ପରିମଳ, ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଓ ଅର୍ଥ କମିସନ ଅନୁଦାନ ସମ୍ପର୍କରେ ଆଲୋଚନା ହେବ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ଦାଶଙ୍କ ସମେତ ସମସ୍ତ ଜିଲ୍ଲାର ପିଡି ଡିଆରଡିଏମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର