ଭୁବନେଶ୍ବର : ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କର ମରଶରୀରକୁ ଶେଷ ସମ୍ମାନ ଜଣାଇ ‘ଗାର୍ଡ଼ ଅଫ୍ ଅନର୍’ ଦିଆଯିବା ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଉତ୍ତର ଦେବାକୁ ଯାଇ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ମନ୍ତବ୍ୟକୁ ନେତାଜୀ ସୁଭାଷଙ୍କ ଜନ୍ମମାଟି ଯାତ୍ରାର ରାଷ୍ଟ୍ରୀୟ ଆବାହକ ଦେବୀ ପ୍ରସାଦ ପୃଷ୍ଟି ନାପସନ୍ଦ କରିଛନ୍ତି। ବୟସକୁ ସମ୍ମାନ ଦେବା ଓଡ଼ିଶା ସଂସ୍କୃତିର ଅଂଶବିଶେଷ ବୋଲି ଶ୍ରୀ ପୃଷ୍ଟି ପ୍ରକାଶ କରିଛନ୍ତି।
ଶ୍ରୀ ପୃଷ୍ଟି କହିଛନ୍ତି, ୨୦୦୦ ମସିହା ପୂର୍ବରୁ ଜନତା ପରିବାରରେ ନିଜ ଦଳ ଓ ଅନ୍ୟ ଦଳର ନେତୃବୃନ୍ଦଙ୍କୁ ବୟସାନୁପାତରେ ସମ୍ମାନ ଦେବା ଓ ଶ୍ରଦ୍ଧା କରିବାର ପରମ୍ପରା ସୁଦୃଢ଼ ଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କୁ ନିର୍ବାଚନରେ ହରାଇଥିଲେ ମଧ୍ୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେବେ ଏଭଳି ଶବ୍ଦ ପ୍ରୟୋଗ କରିନାହାନ୍ତି। ଆଜି ପ୍ରତାପଙ୍କୁ ୫୫ ବର୍ଷ, କାଲିକୁ ୭୫-୮୦ ହେବ। ସେତେବେଳେ ଯଦି ୨୫ ବର୍ଷର କନିଷ୍ଠ ରାଜନେତା କେହି ଏଭଳି ମନ୍ତବ୍ୟ ପ୍ରଦାନ କରିବେ ତାହା ନିଶ୍ଚୟ ଗ୍ରହଣଯୋଗ୍ୟ ହେବ ନାହିଁ। ୨୦୦୦ ମସିହା ପରେ ଓଡ଼ିଶାରେ ଏବଂ ୨୦୧୪ ପରେ ଭାରତରେ ଅସହିଷ୍ଣୁତାର ରାଜନୀତି ବଡ଼ ଆହ୍ବାନ ଭାବେ ଛିଡ଼ା ହେଲାଣି। ତେଣୁ ଅଶୀଦଶକରୁ ଛାତ୍ର ରାଜନୀତିରୁ ଆସିଥିବା ପ୍ରତାପ ଜେନା କୌଣସି କିନ୍ତୁ ନ ରଖି ବର୍ଷିଆନ ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ପାଖରେ ଦୁଃଖ ପ୍ରକାଶ କରିବାକୁ ଶ୍ରୀ ପୃଷ୍ଟି ପରାମର୍ଶ ଦେଇଛନ୍ତି। ଦୁଃଖ ପ୍ରକାଶ କଲେ ପ୍ରତାପ ଛୋଟ ହୋଇଯିବେ ନାହିଁ ବରଂ ତାଙ୍କର ସମ୍ମାନ ବଢ଼ିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/pratap-jena.jpg)
