ବାଲେଶ୍ବର ରେଳଷ୍ଟେସନର ବିକାଶ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ବର : କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଭେଟି ବାଲେଶ୍ବର ରେଳଷ୍ଟେସନର ଅବ୍ୟବସ୍ଥା ଏବଂ ବିକାଶ ସମ୍ବନ୍ଧରେ ବିଷୟରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।

ଦକ୍ଷିଣ-ପୂର୍ବ ରେଳପଥର ବାଲେଶ୍ବର ରେଳଷ୍ଟେସନ ଏକ ଗୁରୁତ୍ବପୂର୍ଣ୍ଣ ରେଳଷ୍ଟେସନ ହୋଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନକୁ ଏହା ରେଳସଂଯୋଗ ଯୋଗାଇଥାଏ। ବାଲେଶ୍ବରରେ ଅନେକ ପର୍ଯ୍ୟଟନସ୍ଥଳୀ, ପ୍ରତିରକ୍ଷା ବିଭାଗର ଡିଆରଡିଓ କ୍ୟାମ୍ପସ, ପ୍ଲାଷ୍ଟିକ୍‌, କାଗଜ, ଖଣିଜ ପଦାର୍ଥ, କୃଷିଜାତ ଦ୍ରବ୍ୟ ଏବଂ ମତ୍ସ୍ୟ ପ୍ରକ୍ରିୟାକରଣ ଭଳି ବହୁସଂଖ୍ୟକ ଶିଳ୍ପ ସଂସ୍ଥ‌ା ରହିଛି। ଏଥିସହ ସିପେଟ୍‌, ମେଡିକାଲ କଲେଜ, ଭୁବନେଶ୍ବର ଏମ୍ସ ସାଟେଲାଇଟ୍‌ ସେଣ୍ଟର, ବିଶ୍ବବିଦ୍ୟାଳୟ ଠାରୁ ଆରମ୍ଭ କରି ବୈଷୟିକ ଶିକ୍ଷା ତଥା ଶିଳ୍ପ ତାଲିମ ପ୍ରଦାନ କରୁଥିବା ବହୁ ଅନୁଷ୍ଠାନ ରହିଛି। ତେଣୁ ପ୍ରତିଦିନ ଏଠାକୁ ସରକାରୀ ଅଧିକାରୀଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ଏବଂ ପ୍ରତିରକ୍ଷା କର୍ମଚାରୀଙ୍କ ବାରମ୍ବାର ପରିଦର୍ଶନ ସହିତ ବାଲେଶ୍ବରରେ ରେଳ ଯାତାୟାତର ବହୁଳ ପରିମାଣ ବୃଦ୍ଧି ପାଇଛି। ଏହାଛଡ଼ା ଚିକିତ୍ସା, ଆଇନଗତ ଏବଂ ଅନ୍ୟାନ୍ୟ ପ୍ରଶାସନିକ କାମ ପାଇଁ ମଧ୍ୟ ବହୁ ଲୋକ ଜିଲ୍ଲା ମୁଖ୍ୟାଳୟକୁ ଆସିବା ପାଇଁ ଟ୍ରେନ୍‌ ଉପରେ ନିର୍ଭରଶୀଳ ଅଟନ୍ତି। ମାତ୍ର ଏହି ରେଳଷ୍ଟେସନର ଯେତିକି ବିକାଶ ହେବା କଥା ତାହା ହୋଇଥିବା ବେଳେ ଯାବତୀୟ ଅବ୍ୟବସ୍ଥାରେ ମଧ୍ୟରେ ବାଲେଶ୍ବର ରେଳଷ୍ଟେସନ ରହିଥିବା ମନ୍ତ୍ରୀ ରେଳମନ୍ତ୍ରୀଙ୍କୁ ଜଣାଇଛନ୍ତି।

ସେହିପରି ବାଲେଶ୍ବର ଷ୍ଟେସନରେ ୪ଟି ପ୍ଲାଟଫର୍ମ ରହିଥିବା ବେଳେ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ଏକମାତ୍ର ପ୍ରବେଶ ଦ୍ବାର ରହିଛି। ଷ୍ଟେସନର ପଶ୍ଚିମପାର୍ଶ୍ୱ ମୁଖ୍ୟତଃ ମାଲପରିବହନ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ଏହିପାର୍ଶ୍ବରେ ଷ୍ଟେସନର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଜାଗା ରହିଥିଲେ ହେଁ ସେଗୁଡ଼ିକ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ‌ତେଣୁ ସାମୂହିକ ସ୍ବାର୍ଥକୁ ଗୁରୁତ୍ବ ଦେଇ ଯଥାଶୀଘ୍ର ବାଲେଶ୍ବର ଷ୍ଟେସନର ବିକାଶ ନିମନ୍ତେ ପଦକ୍ଷେପ ନେବାକୁ ଶ୍ରୀ ଷଡ଼ଙ୍ଗୀ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ତେବେ ମନ୍ତ୍ରୀ ଶ୍ରୀ ଗୋଏଲ ଏନେଇ ତାଙ୍କୁ ପ୍ରତିଶ୍ରୁତି ଦେଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର