ଓଡ଼ିଆ ପିଲାଙ୍କୁ ଚାକିରି ଦେବାକୁ ନନା କରୁଛନ୍ତି ଯୋଜନା

ସ୍ୱତନ୍ତ୍ର ସାକ୍ଷାତକାର: ବୋୖଦ୍ଧାୟନ, ସହଯୋଗ: ମନୋଜ ରାଉଳ, ବାଲେଶ୍ୱର ସମ୍ବାଦ ପ୍ରତିନିଧି

ନୀଳଗିରିରୁ ନୂଆଦିଲ୍ଲୀ, ବିଧାୟକରୁ କେନ୍ଦ୍ରମନ୍ତ୍ରୀ | ମୋଦୀଙ୍କ ଖାସ ମନ୍ତ୍ରୀଙ୍କ ମଧ୍ୟରେ ବେଶ ଜଣାଶୁଣା ପ୍ରତାପ ଷଡ଼ଙ୍ଗୀ। ନିଜ ନିର୍ବାଚନ ମଣ୍ଡଳୀରେ ସେ ପ୍ରତାପ ନନା | ମୋଦୀଙ୍କ ଭାଷାରେ ପ୍ରତାପ ହେଉଛନ୍ତି ସଚ୍ଚା ସୈନିକ, ସେଥିପାଇଁ ତ ବହୁ ଟାଣୁଆ ସାଂସଦଙ୍କୁ ପଛରେ ପକାଇ ଆଜି ନନା ଦିଲ୍ଲୀ ଦରବାରରେ ଚମକୁଛନ୍ତି | ଭାରତ ସରକାରଙ୍କର ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ବିଭାଗ ସହ ପଶୁପାଳନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବା ପ୍ରତାପଙ୍କର ଓଡ଼ିଶା ଲାଗି କ’ଣ ସବୁ ଯୋଜନା ରହିଛି ସେ ନେଇ ଆମ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ।

ଓଡ଼ିଶାର ବିକାଶ ପାଇଁ ଆପଣଙ୍କ ମନ୍ତ୍ରାଳୟର କି କି ଯୋଜନା ଅଛି ?
ଲୋକଙ୍କୁ ପ୍ରଶିକ୍ଷିତ କରାଇବା, କାମ ଯୋଗାଇବା, କୃଷିର ବିକାଶ ସହ ଖାଦ୍ୟ ପ୍ରକ୍ରିୟାକରଣକୁ ବିକଶିତ କରାଇବା ସହ ରାଷ୍ଟ୍ରୀୟ ଗୋକୁଳ ମିଶନ ଦ୍ୱାରା ଦେଶୀ ଗୋ ବଂଶର ସମ୍ବର୍ଦ୍ଧନ କରାଇବା ସହ କୃଷି ଶିଳ୍ପର ଉନ୍ନତି ଲାଗି ଅନେକ ଯୋଜନା ରହିଛି |

ଓଡ଼ିଶାରୁ ବହୁ ପିଲା ସୁରଟ ଯାଉଛନ୍ତି, ଓଡ଼ିଶାରେ କ’ଣ ନିଯୁକ୍ତି ସୁଯୋଗ ନାହିଁ ?
ଓଡ଼ିଶାରୁ ଯୁବକମାନେ ଚାକିରି ପାଇଁ ସୁରଟ ଯାଉଛନ୍ତି। ଓଡ଼ିଶାରେ ବି ସେଭଳି ହୋଇପାରନ୍ତା, ଓଡ଼ିଶାରେ ପ୍ରଭାବଶାଳୀ ଶିଳ୍ପ ନୀତି ନାହିଁ | ଶିଳ୍ପାନୁଷ୍ଠାନ ସ୍ଥାପନ ହୋଇପାରୁନାହିଁ, ଓଡ଼ିଶାରେ ଅପାର ସମ୍ଭାବନା ଅଛି | ପ୍ରତି ଲୋକଙ୍କୁ କାମ ଯୋଗାଇହେବ | ଆମ ପାଖରେ ଅତୁଳନୀୟ ଖଣିଜ ସମ୍ପଦ ଅଛି | ସାରା ପୃଥିବୀର ୯୮ ପ୍ରତିଶତ କ୍ରୋମାଇଟ ଓଡ଼ିଶାର ସୁକିନ୍ଦା ଖଣିରେ ରହିଛି | ଲୁହାପଥର ସହ ହୀରା, ମୋତି ମାଣିକ ମଧ୍ୟ ଓଡ଼ିଶାର ମାଟିତଳେ ରହିଛି | କିନ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ନ ଥିବାରୁ ଓଡ଼ିଆ ଯୁବକମାନେ ସୁରଟ ପଳାଉଛନ୍ତି |

ଫ୍ଲିପକାର୍ଟ-ଆମାଜନ ଭଳି ସପିଙ୍ଗ ସାଇଟରେ ଓଡ଼ିଶାର କାରିଗରଙ୍କର ସାମଗ୍ରୀ ସେତେଟା ଦେଖିବାକୁ ମିଳୁନି, କିଛି ପଦକ୍ଷେପ ନେବେ କି ?
ଲୋକଙ୍କର ଗୁଣବତ୍ତା ବୃଦ୍ଧି ସହ ମାର୍କେଟ ଲିଙ୍କେଜ ନ ହେବା ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବ | ମାର୍କେଟ ଲିଙ୍କେଜ ପାଇଁ ଆମେ ବିଭିନ୍ନ ସଂସ୍ଥା ସହ କଥାବାର୍ତ୍ତା କରୁଛୁ ଓ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରୁଛୁ | ଖୁବଶୀଘ୍ର ପ୍ରତି ଜିଲ୍ଲାରେ ଉଦ୍ୟମ ସମାବେଶ କରାଯିବ, ଯାହାଦ୍ୱାରା କାରିଗରଙ୍କର ଉତ୍ପାଦିତ ସାମଗ୍ରୀ ବଜାରରେ ପ୍ରତିଯୋଗିତାରେ ସାମିଲ ହେବ ଏବଂ ସେମାନେ ଉଚିତ ଦର ପାଇବେ |

ଓଡ଼ିଶାରେ ମାଛ ଖାଇବାକୁ ହେଲେ ଆନ୍ଧ୍ର ଉପରେ ନିର୍ଭର କରିବାକୁ ପଡୁଛି, କେବେ ସୁଧୁରିବ ସ୍ଥିତି ?
ଓଡ଼ିଶାରେ ଗଭୀର ସମୁଦ୍ରରୁ ମାଛ ଧରାଯାଇପାରୁନାହିଁ, ତା ପାଇଁ ନୂଆ ବ୍ୟବସ୍ଥା କରାଯାଉଛି | ତାହା ହେଲେ ମାଛ ଉତ୍ପାଦନ ବହୁ ଗୁଣ ବଢ଼ିଯିବ | ଏହାକୁ ନେଇ କାମ ମଧ୍ୟ ଆରମ୍ଭ ହୋଇଗଲାଣି | ଓଡ଼ିଶା ସରକାର ମାଛ ଉତ୍ପାଦନ ପାଇଁ ଯେତିକି ଆଗେଇବା କଥା ଆଗେଇ ପାରିନାହାନ୍ତି | ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରାଇବାର ଲକ୍ଷ୍ୟ ନେଇ ଆଗେଇନାହାନ୍ତି | ଆମେ ରାଜ୍ୟ ସରକାରଙ୍କ ସହ ଏ ବାବଦରେ ଆଲୋଚନା କରୁଛୁ |

ଆପଣଙ୍କ ମନ୍ତ୍ରାଳୟର କ୍ୟାବିନେଟ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ ଆଧୁନିକ ଜ୍ଞାନକୌଶଳ ଦ୍ୱାରା ଭବିଷ୍ୟତରେ କେବଳ ମାଈ ବାଛୁରୀ ହିଁ ଜନ୍ମ ହେବେ,କେତେ ସତ୍ୟତା ରହିଛି ?
ସେପରି ଗୋଟିଏ ପ୍ରୟୋଗ ହୋଇଛି ମୁଁ ଶୁଣିଛି, ପ୍ରତ୍ୟକ୍ଷ ଅନୁଭବ ନାହିଁ | କିନ୍ତୁ ମନ୍ତ୍ରୀ କହିଛନ୍ତି ମାନେ ନିଶ୍ଚିତ ସତ୍ୟ ହୋଇଥିବ |

ଜାତୀୟ ଗଣମାଧ୍ୟମରେ ଆପଣଙ୍କୁ ଓଡ଼ିଶାର ମୋଦୀ କୁହାଯାଏ, ମୋଦୀ ଯେଭଳି ଫିଟ ରହିବା ପାଇଁ ଯୋଗ କରୁଛନ୍ତି, ଆପଣ ସେଭଳି କିଛି କରୁଛନ୍ତି କି?
ନିଜକୁ ଓଡ଼ିଶାର ମୋଦୀ ବୋଲି ମୁଁ କହିନାହିଁ, ମୋର ଅଭ୍ୟାସ ପିଲାଦିନରୁ ରହିଛି, ମୁଁ ବି ଯୋଗ କରୁଛି|

ସମ୍ବନ୍ଧିତ ଖବର