ଭୁବନେଶ୍ବର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନ(ଓପିଏଚଡବ୍ଲୁସି) ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଭିଜିଲାନ୍ସ ବିଭାଗ ପ୍ରତାପଙ୍କ ସମେତ ତାଙ୍କର ସ୍ତ୍ରୀ ସସ୍ମିତା ସାମଲଙ୍କୁ ମଧ୍ୟ ଗିରଫ କରିଛି। ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚରା କରିଥିଲେ। କିନ୍ତୁ ସ୍ବାମୀ-ସ୍ତ୍ରୀ ସନ୍ତୁଷ୍ଟମୂଳକ ଉତ୍ତର ଦେଇପାରି ନଥିଲେ। ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାମଲା ରୁଜୁ କରିଛନ୍ତି। ସୂଚନାଯୋଗ୍ୟ, ଭିଜିଲାନ୍ସ ବିଭାଗ ଗତକାଲି ପ୍ରତାପ ଓ ତାଙ୍କ ସ୍ତ୍ରୀ ସସ୍ମିତାଙ୍କ ସମ୍ପତ୍ତି ଉପରେ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିଲା। ପ୍ରତାପ ଓ ତାଙ୍କ ସ୍ତ୍ରୀ ନାଁରେ ଥିବା ସମ୍ପତ୍ତିର ୧୪ କୋଟି ୮୭ ଲକ୍ଷ ୪୧ ହଜାର ୧୯୪ ଟଙ୍କା ଠାବ ହୋଇଛି। ଭିଜିଲାନ୍ସ ବିଭାଗ କହିଛି ପ୍ରତାପଙ୍କ ସମ୍ପତ୍ତି ଆୟଠାରୁ ୧୦୮୭ ଗୁଣା ଅଧିକ।
Sambad is now on WhatsApp
Join and get latest news updates delivered to you via WhatsApp
ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ବେଳେ ଘରୁ ୩୮.୧୨ ଲକ୍ଷ ଟଙ୍କା ଜବତ ହୋଇଛି। ପ୍ରତାପ ପଡ଼ୋଶୀ ଘର ଛାତକୁ ଫୋପାଡ଼ି ଦେଉଥିବା ବେଳେ ଏହି ଟଙ୍କା ଜବତ କରିଛନ୍ତି ଭିଜିଲାନ୍ସ ଟିମ୍। ସେ ପ୍ରଥମେ ୨୦ ଲକ୍ଷ ଟଙ୍କାର ବିଡ଼ା ବିଡ଼ା ନୋଟ ଏକ ପେଟିରେ ଭର୍ତ୍ତି କରି ପାଖ ଘର ଛାତକୁ ପକାଇ ଦେଇଥିଲେ, ଯାହାକୁ ଜବତ କରିଛି ଭିଜିଲାନ୍ସ। ସେହିଭଳି ପ୍ରତାପଙ୍କ ଘରୁ ଏଯାବତ ୧୮ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାଛଡ଼ା ତାଙ୍କ ପତ୍ନୀ ସସ୍ମିତା ସାମଲଙ୍କ ନାମରେ ଗୋଠପାଟଣାରେ ଏକ ପାଞ୍ଚ ମହଲା କୋଠାକୁ ଚିହ୍ନଟ କରିଥିଲେ। ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି କୋଠାର ମୂଲ୍ୟ ୩.୮୯ କୋଟି ଟଙ୍କା।
ଉଲ୍ଲେଖଯୋଗ୍ୟ, ପ୍ରତାପ ସାମଲଙ୍କ ଘର ସମେତ ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୧୦ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଉଛି। ପ୍ରତାପଙ୍କ ଭୁବନେଶ୍ୱର ଆଇଆରସି ଭିଲେଜ୍ ପ୍ଲଟ୍ ନମ୍ବର ଏନ୍/୬-୪୧୬ରେ ଏକ ତିନିମହଲା କୋଠା, ଜୟଦେବ ବିହାରରେ ଏକ ଦୁଇମହଲା ଘର, ବିଜୁ ପଟ୍ଟନାୟକ କଲେଜ ଛକ ମା ଭାଗବତୀ ମନ୍ଦିର ବିପରୀତ ଦିଗରେ ଏକ ଛଅମହଲା କୋଠା, ଖଣ୍ଡଗିରିରେ ଏକମହଲା ଭଡ଼ା ଦିଆଯାଇଥିବା ଘର, ଅନନ୍ୟା ଟାୱାରରେ ଥିବା ତାଙ୍କ ସହଯୋଗୀଙ୍କ ଘର, ତାଙ୍କ ପୁଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର କାର୍ଯ୍ୟାଳୟ, ଭଦ୍ରକ ଜିଲ୍ଲାର ବାସୁଦେବପୁରର ବାଲିସାହିଠାରେ ଏକ ତିନି ମହଲା ଆପାର୍ଟମେଣ୍ଟ, ବାଲେଶ୍ୱର ଜିଲ୍ଲାର ସୁମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିପୁରରେ ନିଜର ପୈତୃକ ଘର ଓ ସଂପର୍କୀୟଙ୍କ ଘରେ ଚଢ଼ାଉ ଜାରି ରହିଛି।
ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୫ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଅନ୍ୟ କର୍ମଚାରୀମାନଙ୍କୁ ନେଇ ଓଡ଼ିଶା ଭିଜିଲାନ୍ସର ୧୦ଟି ଟିମ୍ ଏହି ଚଢ଼ାଉରେ ସାମିଲ ଥିବା ଜଣାଯାଇଛି।
ପ୍ରତାପ ସାମଲ ଜଣେ ଡିପ୍ଲୋମା ସିଭିଲ ଇଜିନିୟର।ସେ ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନରେ ଜୁନିୟର ଇଜିନିୟର ଭାବେ ୧୯୮୮ମସିହା ଅଗଷ୍ଟ୧୪ ତାରିଖରେ ଯୋଗଦେଇଥିଲେ। ପରେ ସେ ଏଷ୍ଟିମେଟର ଭାବେ ସେହିଠାରେ ୧୯୯୪ରୁ ୧୯୯୫ ଯାଏଁ କାମ କରିଥିଲେ। କେନ୍ଦ୍ରାପଡ଼ା ଓ ଦେବଗଡ଼ ଭଳି ଜିଲ୍ଲାରେ କାମ କରିବା ପରେ ପୁଣି ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନ ଅଫିସରେ ଡେପୁଟି ମ୍ୟାନେଜର ଭାବେ କାମ କରୁଥିଲେ। ଯେହେତୁ ପୁଲିସ ହାଉସିଂରେ ବିଭିନ୍ନ ପୁଲିସ ପ୍ରତିଷ୍ଠାନର ବିଲଡିଂ ନିର୍ମାଣ କାମ କରାଯାଏ। ପୁଲିସ ଥାନା ହେଉ ବା ଫାଣ୍ଡି ବା ଏସପି ଅଫିସ ସେସବୁ ବିଲଡିଂ କାମ ପୁଲିସ ହାଉସିଂ କର୍ପୋରେସନ ଅଧିନରେ କରାଯାଏ। ବୋଧେ ହୁଏ ଏହି ସବୁକାମରେ ହେରଫେର ହୋଇଥିବ, ଏଥିରୁ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାଇପାରନ୍ତି ପ୍ରତାପ।
ତେବେ ଏହି ଅଧିକାରୀଙ୍କ ଘରୁ ଏପରି ସମ୍ପତି ଠାବ ପରେ ଏହା ସ୍ପଷ୍ଟ ହୋଇଛି ଯେ ଏହି ବିଭାଗରେ ଅନେକ ବେଆଇନ ଅର୍ଥ ହଡ଼ପ କରିଛନ୍ତି ପ୍ରତାପ ସାମଲ।