ବାଲେଶ୍ବର: ବିଜେଡି ତା’ର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଆଜି ଘୋଷଣା କରିଛି। ଏଥିରେ ଲୋକସଭା​ ପାଇଁ ବାକି ରହିଥିବା ଏକମାତ୍ର ବାଲେଶ୍ବର ଆସନରେ ଦଳ ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିଛି। ବିଜେପି ଏହି ଆସନରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ ବିଜେଡି ତାଙ୍କୁ ମାତ୍‌ ଦେବା ଲାଗି ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରି ଏଠାରେ ମହିଳାକାର୍ଡ ଖେଳିଛି। ଫଳରେ ଏହି ଆସନରେ ଏଥର ଲୋକସଭାରେ ବଡ ଲଢେଇ ଦେଖିବାକୁ ମିଳିବ।

Advertisment

ଲେଖାଶ୍ରୀ ବାଲେଶ୍ବର ଜିଲ୍ଲା ନୀଳଗିରି ମାଟିର ବୋହୂ ହୋଇଥିବା ବେଳେ ବିଜେଡିରେ ମିଶିବା ପରେ ଦଳ ଏଠାରେ ତାଙ୍କୁ ସାଂସଦ ପ୍ରାର୍ଥୀ କରି ମହିଳାକାର୍ଡ ଖେଳିବ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ନୀଳଗିରି ବ୍ଲକ କାଂଶ ଗ୍ରାମରେ ଲେଖାଶ୍ରୀଙ୍କ ଶାଶୂଘର। ସ୍ବାମୀ ବିଜୟ ମହାନ୍ତି ଜଣେ ଆଲାଏଡ୍‌ ଅଫିସର। ସେହିପରି ବିଶିଷ୍ଟ ସାହିତ୍ୟିକା ଶକୁନ୍ତଳା ବଳିୟାରସିଂଙ୍କ ଝିଅ ହେଉଛନ୍ତି ଲେଖାଶ୍ରୀ। ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାରେ ସେ ଜଣେ ସ୍ବର୍ଣ୍ଣପଦକ ପ୍ରାପ୍ତ ମେଧାବୀ ଛାତ୍ରୀ ହୋଇଥିବା ବେଳେ ପରିବେଶ ବିଜ୍ଞାନ ଉପରେ ଗବେଷଣା କରି ପିଏଚ୍‌ଡି ଡିଗ୍ରି ମଧ୍ୟ ହାସଲ କରିଛନ୍ତି। ଏଥିସହ ରେଭେନ୍‌ସା ସମେତ ବିଭିନ୍ନ ମହାବିଦ୍ୟାଳୟରେ ସେ ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଥିଲେ।

ତେବେ ୨୦୧୪ରେ ସେ ବିଜେଡିରୁ ନୀଳଗିରି ଆସନ ପାଇଁ ଲବି କରି ନିରାଶ ହେବା ପରେ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ ବିଜେପିରୁ ବାଲେଶ୍ବର ଲୋକସଭା ଆସନ ପାଇଁ ଆଶାୟୀ ​ଥିଲେ। କିନ୍ତୁ ଦଳ ତାଙ୍କୁ ପ୍ରାର୍ଥୀ କରିନଥିଲେ ମଧ୍ୟ ଦଳର ଉପସଭାପତି, ମୁଖପାତ୍ର ସମେତ ରାଷ୍ଟ୍ରାୟତ୍ତ କମ୍ପାନି ଗେଲ୍‌ ବା ଭାରତ ହେଭି ୱେଟ୍‌ ଇ​ଲେକ୍‌ଟ୍ରୋନିକ୍ସ ଲିମିଟେଡ୍‌ର ନିର୍ଦ୍ଦେଶକ ପଦରେ ରଖିଥିଲା। ଚଳିତ ନିର୍ବାଚନରେ ଦଳ ତାଙ୍କୁ ଗୁରୁତ୍ବ ଦେଉନଥିବା ଅଭିଯୋଗ କରି ଗତ ୭ ତାରିଖରେ ଇସ୍ତଫା ଦେଇଥିଲେ ଏବଂ କିଛି ଘଣ୍ଟା ପରେ ବିଜେଡି​ରେ ସାମିଲ ହୋଇଥିଲେ। ତେବେ ଉଭୟ ବିଜେପି ଓ ବିଜେଡି ତାଙ୍କର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଏଠାରେ କାହାକୁ ପ୍ରାର୍ଥୀ କରିବ, ତାହା ଦେଖିବାକୁ ବାକି ରହିଲା।