ବାଲେଶ୍ୱର ମେଡିକାଲରେ‌ ଅବ୍ୟବସ୍ଥା ଅଭିଯୋଗ : ଧା‌ରଣାରେ ବସିଲେ ପ୍ରତାପ ଷଡ଼ଙ୍ଗୀ

ବାଲେଶ୍ୱର : ବାରମ୍ବାର ଜଣାଇବା ପରେ ବି ସ୍ବାସ୍ଥ୍ୟସେବା ସୁଧୁରିଲାନି। ଶେଷରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଧାରଣାରେ ବସିବାକୁ ପଡ଼ିଲା। ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ରାତିରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଖବର ଲେଖାଯିବା ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ସେମିତି ଧାରଣାରେ ବସିଥିବା ଜଣାପଡ଼ିଛି।

ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ରାତି ପ୍ରାୟ ୯ଟା ବେଳେ ବଡ଼ ଡାକ୍ତରଖାନାକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ପ୍ରଥମେ ସର୍ଜରୀ ୱାର୍ଡକୁ ଯାଇ ସେଠାରେ ରୋଗୀଙ୍କୁ ଭେଟିବା ସହ ସେମାନଙ୍କ ପରିବାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଠିକ୍‌ ଭାବେ ମିଳୁଛି ନା ନାହିଁ ପଚାରି ବୁଝିଥିଲେ। ପରେ ରୋଗୀଙ୍କ ସମ୍ପର୍କୀୟମାନେ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗର ଲମ୍ବା ତାଲିକା ବଖାଣିଥିଲେ।

ସୂଚନା ମୁତାବକ, ଗତକାଲି ଯାଜପୁରର ଗଙ୍ଗାଧର ସାହୁ ନିଜର ହାର୍ଣ୍ଣିଆ ଅପରେସନ ପାଇଁ ଡାକ୍ତରଖାନା ଆସି ଡାକ୍ତରଙ୍କୁ ଦେଖାଇଥିବା ବେଳେ ଏ ବାବଦରେ ତାଙ୍କୁ ଟଙ୍କା ମଗାଯାଇଥିଲା। ଏମିତିକି ଟଙ୍କା ନଦେଲେ ଅପରେସନ୍‌ କରିପାରିବେନି ବୋଲି ଡାକ୍ତର ତାଙ୍କୁ କହିଥିବା ଗଙ୍ଗାଧର କେନ୍ଦ୍ରମନ୍ତ୍ରୀଙ୍କୁ ଫେରାଦ ହୋଇଥିଲେ। ସେହିପରି ‌ରୋଗୀଙ୍କ ପାଇଁ ବେଡ୍‌ରେ ପଡ଼ୁଥିବା ବେଡ୍‌ସିଟ୍‌ ଠିକ୍‌ ସମୟରେ ବଦଳା ଯାଉନଥିବା ଓ ବଦଳାଯିବା ପରେ ଯେଉଁ ବେଡ୍‌ସିଟ୍‌ଗୁଡ଼ିକ ଦିଆଯାଉଛି ସେଥିରେ ରକ୍ତ, ପୂଜ, ମଇଳା ଆଦି ଲାଗିଥିବା ନେଇ ଲୋକେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଶ୍ରୀ ଷଡ଼ଙ୍ଗୀ ନିଜେ ବିଭିନ୍ନ ବେଡ୍‌ ଯାଞ୍ଚ କରିବା ବେଳେ ଏଭଳି ଦୃଶ୍ୟ ଦେଖି ମେଡିକାଲ କଲେଜ ହସ୍‌ପିଟାଲର ସୁପରିନ୍‌ଟେଣ୍ଡେଣ୍ଟ ଡା. ସୁଧୀର କୁମାର ଘୋଷ ଓ ସିଡିଏମ୍ଓ ଡା. ବାର୍ନାଜୀ ପ୍ରସାଦ ଛୋଟରାୟଙ୍କୁ ଡକାଇ ଭୀଷଣ ବିରକ୍ତି ପ୍ରକାଶ କରିଥିଲେ।

ତେବେ ଏ ସବୁ ଅଭିଯୋଗ ଥରେ ଅଧେ ନୁହେଁ। ରୋଗୀ ଓ ସାଧାରଣ ଜନତା ବାରମ୍ବାର ଏ ସଂପର୍କରେ ଅଭିଯୋଗ କରୁଛନ୍ତି। ତେଣୁ ରୋଗୀଙ୍କ ସ୍ବାସ୍ଥ୍ୟସେବା ଉପରେ ଅଧିକ ଗୁରୁତ୍ବ ଦେବାକୁ ସେ ଅନେକ ଥର ଡାକ୍ତରଖାନା କର୍ତ୍ତୃପକ୍ଷ ଓ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିବା ଶ୍ରୀ ଷଡ଼ଙ୍ଗୀ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ତେବେ ଯେତେଥର ଏଠାକୁ ଆସିଲେ କି କହିଲେ, କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ଭିତ୍ତିଭୂମି ଓ ସ୍ବାସ୍ଥ୍ୟ ସୁବିଧା ବଦଳୁଥିଲେ ମଧ୍ୟ ଡାକ୍ତର ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମାନସିକତା ବଦଳୁନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଶ୍ରୀ ଷଡ଼ଙ୍ଗୀ ଅଭିଯୋଗ‌ କରି ଆଜି ରାତିରେ ସର୍ଜରୀ ୱାର୍ଡ ସମ୍ମୁଖରେ ଧାରଣାରେ ବସିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଧାରଣାରେ ବସିବା ଦେଖି ରୋଗୀଙ୍କ ସମ୍ପର୍କୀୟମ‌ାନେ ମଧ୍ୟ ତାଙ୍କ ସହ ଧାରଣାରେ ସାମିଲ ହୋଇଥି‌ଲେ। ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ବଡ଼ ଡାକ୍ତରଖାନାର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସମସ୍ତଙ୍କୁ ସର୍ଜରୀ ୱାର୍ଡକୁ ନେଇ ବେଡ୍‌ସିଟ୍‌ଗୁଡ଼ିକୁ ଦେଖାଇଥିଲେ। ଜିଲ୍ଲାପାଳ ତୁରନ୍ତ ସେହି ଅପରିଷ୍କାର ବେଡ୍‌ସିଟ୍‌ଗୁଡ଼ିକ ବଦଳାଇ ପରିଷ୍କାର କିମ୍ବା ନୂଆ ବେଡ୍‌ସିଟ୍‌ ରୋଗୀଙ୍କୁ ଦେବା‌ ପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଖବର ଲେଖାଯିବା ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ସେମିତି ଧାରଣାରେ ବସି ରହିଥିଲେ।

ସମ୍ବନ୍ଧିତ ଖବର