ପ୍ରତାପ ନନାଙ୍କୁ ଭଲ ଲାଗୁନି ଦିଲ୍ଲୀ ଖାନା !

ବାଲେଶ୍ୱର: କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ନେବା ପରେ ଏବେ ଦିଲ୍ଲୀରେ କାର୍ଯ୍ୟ କରୁଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ | ତେବେ ପ୍ରତାପଙ୍କୁ ଦିଲ୍ଲୀର ଖାଦ୍ୟ ପସନ୍ଦ ଆସୁନି | ସେଠାରେ ମିଳୁଥିବା ଭାତ-ରାଜମା ନନାଙ୍କୁ ପସନ୍ଦ ଆସୁନଥିବାର ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି | ଓଡ଼ିଶାର ପାରମ୍ପରିକ ଖାଦ୍ୟ ପଖାଳ ତୁଳନାରେ ରାଜମା ସ୍ଵାଦହୀନ ଲାଗୁଥିବା କଥା  ନନା କହିଛନ୍ତି | ପ୍ରକୃତରେ ମନ୍ତ୍ରାଳୟର ବିଭିନ୍ନ କାର୍ଯ୍ୟ ଯୋଗୁଁ ଅପରାହ୍ନ ୪ଟା ଯାଏଁ ବି ବ୍ୟସ୍ତ ରହିବାକୁ ପଡୁଛି |

ସେଥିପାଇଁ ମନ୍ତ୍ରାଳୟ ପକ୍ଷରୁ ମନ୍ତ୍ରୀଙ୍କ ପାଇଁ ଭାତ-ରାଜମାର ବ୍ୟବସ୍ଥା କରାଯାଉଛି | କିନ୍ତୁ ଏହି ଖାଦ୍ୟ ପ୍ରତାପଙ୍କ ପସନ୍ଦ ଆସୁନି | ସେଥିପାଇଁ ଯେତେ ବିଳମ୍ବ ହେଲେ ବି ସେ ଓଡ଼ିଶା ଭବନ ଆସୁଛନ୍ତି ଓ ପଖାଳ-ଦହି ମଗାଇ ଖାଉଛନ୍ତି | ପ୍ରତାପଙ୍କ ମତରେ ମନ୍ତ୍ରୀ ହୋଇଗଲେ ବି ନିଜ ଜୀବନଧାରାକୁ ବଦଳାଇବେ ନାହିଁ, ଯାହା ବି ପିନ୍ଧୁଥିଲେ ତାହା ପିନ୍ଧିବେ, ଯାହା ଖାଉଥିଲେ ତାହା ଖାଇବେ।

ମନ୍ତ୍ରୀ ହୋଇଗଲେ ବୋଲି ପଖାଳ ଛାଡି ରାଜମା ଖାଇବେ ନାହିଁ ବୋଲି ଏକ ସାକ୍ଷାତକାରେ କହିଛନ୍ତି ପ୍ରତାପ ଷଡ଼ଙ୍ଗୀ।  ଏଠାରେ ସୂଚନା ଥାଉ କି ମୋଦୀଙ୍କ ମନ୍ତ୍ରିମଣ୍ଡଳରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ବାଲେଶ୍ବର ସାଂସଦ ପ୍ରତାପ | ପଶୁପାଳନ ଓ ଏମଏସଏମଇ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ସେ ଦାୟିତ୍ୱ ନେଇଛନ୍ତି | ନିଜର ସରଳ ଜୀବନଶୈଳୀ ତଥା ବିଜେପି ପାଇଁ ନିଷ୍ଠାପର ପରିଶ୍ରମ ପାଇଁ ମୋଦି ତାଙ୍କୁ ଏଭଳି ଉପହାର ଦେଇଥିବାର ଚର୍ଚ୍ଚା ହୁଏ |

ସମ୍ବନ୍ଧିତ ଖବର