ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତାପ ଷଡ଼ଙ୍ଗୀ : ବିଭିନ୍ନ ପ୍ରକଳ୍ପ ତ୍ବରାନ୍ବିତ କରିବାକୁ ଆଲୋଚନା

ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପ ଓଡ଼ିଶାରେ ବିଳମ୍ବ ହେଉଥିବା ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏ ଦିଗରେ ଆବଶ୍ୟକ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ।

ସାକ୍ଷାତ ପରେ ଗଣମାଧ୍ୟମକୁ ଶ୍ରୀ ଷଡ଼ଙ୍ଗୀ କହିଥିଲେ, ଓଡିଶାର ରାଉରକେଲାରେ ଟୁଲ ରୁମ ତଥା ଟ୍ରେନିଂ ସେଣ୍ଟର୍‌ ହେବ। ଏଥି ପାଇଁ କେନ୍ଦ୍ର ସରକାର ୨୦୦ କୋଟି ଖର୍ଚ୍ଚ କରିବେ। ରାଜ୍ୟ ସରକାର ଜମି ଯୋଗାଇବେ। ଓଡିଶାର ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି ଓ ବାଲେଶ୍ୱରରେ ଏହାର ସମ୍ପ୍ରସାରଣ କେନ୍ଦ୍ର ହେବ। ପ୍ରତ୍ୟେକ କେନ୍ଦ୍ର ପାଇଁ ୨୦ କୋଟି ଖର୍ଚ୍ଚ ହେବ। ଅନ୍ୟ ରାଜ୍ୟଗୁଡ଼ିକରୁ ଏପରି ପ୍ରକଳ୍ପ ପାଇଁ ବିଧିବଦ୍ଧ ପ୍ରସ୍ତାବ ଆସିଥିଲା ବେଳେ ଓଡ଼ିଶାରୁ ଯାଉ ନାହିଁ। ପୂର୍ବରୁ ଏ ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ କଥା ହୋଇଛି। ଏବେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଗଲା। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ସାରା ଭାରତରେ ୨୨୬ଟି ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର ନିର୍ମାଣ ହେବ। ତାହା ମଧ୍ୟରେ ଓଡ଼ିଶାର ୪୫ଟି କ୍ଲଷ୍ଟର ରହିଛି। କିନ୍ତୁ ଏହି ପ୍ରକଳ୍ପଗୁଡ଼ିକ ବହୁତ ବିଳମ୍ବ ହେଉଛି। ତେଣୁ ତ୍ବରିତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଖୁବ୍ ଶୀଘ୍ର କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ସଚିବ ଓଡ଼ିଶା ଆସି ଏଠାରେ ଥିବା ସମ୍ଭାବନା, ବିଭାଗ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ପ୍ରେଜେଣ୍ଟେସନ୍ ଦେବେ।

ଶ୍ରୀ ଷଡ଼ଙ୍ଗୀ ସୂଚନା ଦେଇଥିଲେ ଯେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଗଞ୍ଜାମ ଜିଲ୍ଲାରେ ଅବ୍ୟବହୃତ ହୋଇ ପଡିଥିବା ପ୍ରାୟ ୬,୭୦୦ ଏକର ସମୁଦ୍ର କୂଳିଆ ଜମିରେ ମାଛ ଚାଷୀଙ୍କୁ ଛୋଟ ଛୋଟ ପ୍ଲଟ ବାଣ୍ଟିବାକୁ ପ୍ରସ୍ତାବ ରହିଛି । ଏହା ଦ୍ୱାରା ଓଡିଶାରେ ମାଛ ଚାଷର ଉତ୍ପାଦ ବଢ଼ିବା ସହ କ୍ଷୁଦ୍ର ଚାଷୀଙ୍କ ରୋଜଗାର ମଧ୍ୟ ବୃଦ୍ଧି ପାଇବ । ଆସନ୍ତା ୧୪ ତାରିଖରେ ବାଲେଶ୍ୱରରେ ଏକ ରାଜ୍ୟସ୍ତରୀୟ କର୍ମଶାଳାର ଆୟୋଜନ ହେବ, ଯେଉଁଥିରେ କି ବିଭିନ୍ନ କୃଷିଭିତ୍ତିକ ଯୋଜନା ଉପରେ ଆଲୋଚନା କରାଯିବ।

ସମ୍ବନ୍ଧିତ ଖବର