ଭାରତର ଇତିହାସ ସଂପୂର୍ଣ୍ଣ ଭୁଲ, ପିଲାଙ୍କୁ ଭୁଲ ଇତିହାସ ଶିକ୍ଷା ଦିଆଯାଉଛି : ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ବର : ଭାରତର ଇତିହାସ ସଂପୂର୍ଣ୍ଣ ଭୁଲ। ପିଲାଙ୍କୁ ଭୁଲ ଇତିହାସ ଶିକ୍ଷା ଦିଆଯାଉଛି। ଲୋକଙ୍କୁ ଭୀରୁ କରିବା ପାଇଁ ଚେଷ୍ଟା କରାଯାଉଛି। ଭାରତୀୟଙ୍କ ଦେଶପ୍ରେମ ଓ ଗୌରବଭାବକୁ ସମାପ୍ତ କରିବା ପାଇଁ ଏଭଳି ଲେଖା ଯାଇଥିବାରୁ ଇତିହାସକୁ ପୁଣିଥରେ ଲେଖିବା ଜରୁରୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।

ରାଜଧାନୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ଅନେକ ବର୍ଷର ପୁରୁଣା ଇତିହାସ ସଂପୂର୍ଣ୍ଣ ଭ୍ରମାତ୍ମକ। କିଛି ଆଦିବାସୀ ଗୋଷ୍ଠୀଙ୍କୁ ଛାଡ଼ିଦେଲେ ସମସ୍ତଙ୍କୁ ବିଦେଶୀ ବୋଲି ଭାରତୀୟ ଇତିହାସରେ ବର୍ଣ୍ଣନା କରାଯାଇଛି। ଭାରତୀୟ ଇତିହାସରେ ବ୍ୟକ୍ତିଗତ ସମ୍ମିଶ୍ରଣ ବୈଦିକ କାଳରୁ ରହି ଆସିଛି। ଭଗବାନ ବ୍ୟାସଦେବଙ୍କ ମା’ଜଣେ ଆଦିବାସୀ ଧୀବର କନ୍ୟା। ଆଉ ତାଙ୍କ ବାପା ଜଣେ ବ୍ରାହ୍ମଣ। ବ୍ୟାସ ଦେବ ବେଦର ରଚୟିତା ନୁହନ୍ତି ବରଂ ବେଦର ସଂକଳକ। ବିଶ୍ବର ସର୍ବଶ୍ରେଷ୍ଠ ଭକ୍ତିଗ୍ରନ୍ଥ ଶ୍ରୀମଦ୍ ଭଗବତ୍‌ ଗୀତା ରଚନା କରିଛନ୍ତି ବ୍ୟାସଦେବ। ବୈଦିକ ସାହିତ୍ୟରେ ବ୍ରାହ୍ମଣର ଯେତିକି ଅଧିକାର ରହିଛି, ଆଦିବାସୀର ମଧ୍ୟ ସେତିକି ଅଧିକାର ରହିଛି। ସମାନତାର ମନ୍ତ୍ର ଆମ ପରମ୍ପରାରେ ସ୍ପଷ୍ଟ ରୂପେ ବିଦ୍ୟମାନ। ମାତ୍ର ଇତିହାସରେ ଅନେକ ଭୁଲ ତଥ୍ୟ ପ୍ରଦାନ କରାଯାଇଛି। ଯାହା ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରିବା ସ୍ବାଭାବିକ।

ଭାରତର ଇତିହାସକୁ ଭ୍ରମାତ୍ମକ ରୀତିରେ ବିଦେଶୀଙ୍କ ଦ୍ବାରା ରଚନା କରାଯାଇଛି। ଭାରତୀୟ ଇତିହାସରେ ହିନ୍ଦୁ-ଶିଖଙ୍କ ମଧ୍ୟରେ ଭିନ୍ନତା, ଉତ୍ତର ଭାରତୀୟ ଓ ଦକ୍ଷିଣ ଭାରତୀୟ ମଧ୍ୟରେ ଭିନ୍ନତା ଦର୍ଶାଇ ବିଭେଦର ସୃଷ୍ଟି କରିବା ପାଇଁ ପ୍ରୟାସ କରାଯାଇଛି। ସାରା ଭାରତୀୟ ଭାଷା ସଂସ୍କୃତ ଉପରେ ଆଧାରିତ। ମାତ୍ର ସାରା ଦେଶରେ ନିଜ ନିଜ ଭାଷା ପାଇଁ ଭିନ୍ନ ଭିନ୍ନ ରାଜ୍ୟ ତଥା ଅଞ୍ଚଳରେ ମାର୍‌ପିଟ ଚାଲିଛି। ସଂସ୍କୃତ ହେଉଛି ମୂଳଭାଷା। ସମସ୍ତ ଭାଷାର ସମାନତାର ସଂ‌ଯୋଜନା ହେଉଛି ସଂସ୍କୃତ। ଭାରତୀୟଙ୍କ ଦେଶପ୍ରେମ ଓ ଗୌରବ ଭାବକୁ ସମାପ୍ତ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ତେଣୁ ଭୁଲ ତଥ୍ୟ ପ୍ରଦାନ କରୁଥିବା ଇତିହାସକୁ ଯେତେ ଶୀଘ୍ର ହଟାଯିବ ସେ‌େତ‌ ଭଲ ହେବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ସମ୍ବନ୍ଧିତ ଖବର