ବାଲେଶ୍ବର/ଭୁବନେଶ୍ବର: ନିମୋନିଆରେ ଆକ୍ରାନ୍ତ ହୋଇ ସୋମବାର ସନ୍ଧ୍ୟାରେ ଫକୀରମୋହନ ମେଡିକାଲ କଲେଜ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହୋଇଥିବା ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଆଜି ସକାଳେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ସାଂସଦ ଶ୍ରୀ ଷଡ଼ଙ୍ଗୀ ଗତକାଲି ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ତୁରନ୍ତ ତାଙ୍କୁ ବାଲେଶ୍ବରସ୍ଥିତ ଫକୀରମୋହନ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ବାଲେଶ୍ବର ଡାକ୍ତରଙ୍କ ପରାମର୍ଶ ଅନୁସାରେ, ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧.୩୦ରେ ସେ ଏମ୍ସରେ ପହଞ୍ଚିଥିଲେ। ଏଠାରେ ପଲ୍ମୁନାରି ପ୍ରାଇଭେଟ୍ ୱାର୍ଡ, ବେଡ୍ ନମ୍ବର ୫ରେ ଚିକିତ୍ସିତ ହେଉଛନ୍ତି। ଏମ୍ସରେ ପହଞ୍ଚିବା ବେଳେ କାର୍ଯ୍ୟନିର୍ବାହୀ ନିର୍ଦେଶକ ଆଶୁତୋଷ ବିଶ୍ବାସ ଉପସ୍ଥିତ ଥିଲେ। ଏହାପରେ ରକ୍ତ, ମୂତ୍ର, କଫ, ଇସିଜି ସମେତ ବିଭିନ୍ନ ପ୍ରକାର ଟେଷ୍ଟ କରାଯାଇ ଚିକିତ୍ସା ଜାରି ରହିଛି। ସୂଚନା ଅନୁସାରେ, ମେଡିକାଲ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପଲ୍ମୁନାରି ବିଭାଗର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶ୍ରୀ ଷଡ଼ଙ୍ଗୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ବି.ପୁରନ୍ଦେଶ୍ବରୀ, ରାଜ୍ୟ ମୁଖପାତ୍ର ତଥା ବାଲେଶ୍ବର ପ୍ରଭାରୀ ଗୋଲକ ଚନ୍ଦ୍ର ମହାପାତ୍ର ଓ ଠାକୁର ରଣଜିତ ଦାସ ଏମ୍ସକୁ ଯାଇ ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କୁ ଭେଟିବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।