ପତ୍ନୀ, ଭଉଣୀଙ୍କ ସହ ପ୍ରତାପଙ୍କୁ ମୁହାଁମୁହିଁ ଜେରା

ଦୁଇ ଓଡ଼ିଆ ଫିଲ୍ମରେ ବିନିଯୋଗ ହୋଇଥିଲା ୫୦ ଲକ୍ଷ
କୋଉଠୁ ଆସିଲା ୧.୨ କୋଟି ଟଙ୍କା?
ଦୁଇ ଦିନିଆ ରିମାଣ୍ଡ ଶେଷ ପରେ ଗଲେ ଜେଲ୍

ଭୁବନେଶ୍ବର : ଓଡ଼ିଶା ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ପୂର୍ବତନ ଡେପୁଟି ମ୍ୟାନେଜର୍‌ ପ୍ରତାପ ସାମଲଙ୍କୁ ଦୁଇ ଦିନିଆ ରିମାଣ୍ଡ‌ରେ ଆଣି ମାରାଥନ୍ ଜେରା କରିଛି ଭିଜିଲାନ୍ସ। ବ୍ୟାଙ୍କ ଆକାଉଣ୍ଟକୁ ୧କୋଟି ୬୦ ଲକ୍ଷ ଟଙ୍କା କେମିତି ଆସିଲା ଓ ଦୁଇଟି ଓଡ଼ିଆ ଫିଲ୍ମରେ ଟଙ୍କା ବିନିଯୋଗ ନେଇ ଖୋଳତାଡ଼ ଜାରି ରହିଛି। ଆଜି ପତ୍ନୀ ସସ୍ମିତା ସାମଲ ଓ ଭଉଣୀ ନମିତା ଦାସଙ୍କ ସହ ପ୍ରତାପଙ୍କୁ ମୁହାଁମୁହିଁ ଜେରା କରିଛି ଭିଜିଲାନ୍ସ। ଦୁଇଟି ଓଡ଼ିଆ ଫିଲ୍ମରେ ପ୍ରଡକ୍ସନ୍‌ ସଂସ୍ଥା ସହ ସେମାନେ ପ୍ରଯୋଜକ ପାଇଁ ଚୁକ୍ତି କରିଥିଲେ ବୋଲି ଭିଜିଲାନ୍ସ ଜାଣିବାକୁ ପାଇଛି। ଦୁଇ ଓଡ଼ିଆ ଫିଲ୍ମ ‘ବାଜି’ ଓ ‘ନାରୀ ଆଖିରେ ନିଆଁ’ରେ ୫୦ଲକ୍ଷ ଟଙ୍କା ବିନିଯୋଗ କରିଥିବା ଜଣାପଡ଼ିଛି। ସେହିପରି ଆକାଉଣ୍ଟରେ ଥିବା ୧ କୋଟି ୬୦ ଲକ୍ଷ ଟଙ୍କାରୁ ନେଟ୍ ବ୍ୟାଙ୍କିଙ୍ଗ ଜରିଆରେ ୧ କୋଟି ୨୦ଲକ୍ଷ ଟଙ୍କା ଆସିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। କିନ୍ତୁ ଏହି ଟଙ୍କା କେଉଁଠୁ ଆସିଲା? କିଏ ପଠାଇଲା? ସେ ସମ୍ପର୍କରେ ଖୋଳତାଡ଼ ଜାରି ରଖିଛି ତଦନ୍ତକାରୀ ଟିମ୍। ଭିଜିଲାନ୍ସ ଆର୍ଥିକ ଶାଖା ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛି। ଆଜି ଦୁଇଦିନିଆ ରିମାଣ୍ଡ ଶେଷ ହେବା ପରେ ପ୍ରତାପଙ୍କୁ କୋର୍ଟରେ ହାଜର କରି ଜେଲ୍ ପଠାଇ ଦିଆଯାଇଛି। ଆବଶ୍ୟକ ପଡ଼ିଲେ, ପୁଣି ରିମାଣ୍ଡରେ ଅଣାଯାଇ ପାରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ପ୍ରତାପଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଥିଲା। ଏହି ସମୟରେ ନଗଦ ୩୮ ଲକ୍ଷ ୧୨ ହଜାର ୯୯୦ ଟଙ୍କା, ରାଜଧାନୀ ଉପକଣ୍ଠ ଚନ୍ଦକା ଗୋଠପାଟଣାରେ ୫ମହଲା କୋଠା(ମୂଲ୍ୟ ୩.୫ କୋଟି ଟଙ୍କା), ନୂଆପଲ୍ଲୀ ଆଇଆରସି ଭିଲେଜରେ ୪ ମହଲା କୋଠାର (ମୂଲ୍ୟ ୬୫ ଲକ୍ଷ ଟଙ୍କା), ବାଲେଶ୍ବରେ ବେତେଡ଼ାରେ ଦୁଇ ମହଲା କୋଠା (ମୂଲ୍ୟ ୪୪ ଲକ୍ଷ ଟଙ୍କା), ଭୁବନେଶ୍ବର ଓ ଖୋର୍ଦ୍ଧାରେ ୧୭ଟି ଜମି, ଫ୍ଲାଟ୍ ଓ କୋଠା, ଭଦ୍ରକ ବାସୁଦେବପୁରରେ ୪ଟି ପ୍ଲଟ୍ ଓ ୪ ମହଲା କୋଠା( ମୂଲ୍ୟ ୧.୫ କୋଟି ଟଙ୍କା), ୨୫ଟି ଜମିର ସେଲ୍ ଡିଡ୍ ଏବଂ ଷ୍ଟାମ୍ପ ଡ୍ୟୁଟି (ମୂଲ୍ୟ ୩ କୋଟି ୪୧ ଲକ୍ଷ ୫୮ ହଜାର ୪୧୨ ଟଙ୍କା), ସେୟାର ମାର୍କେଟ୍‌ରେ ୧ କୋଟି ୭ ଲକ୍ଷ ୩୭ ହଜାର ୮୩୧ ଟଙ୍କା, ବ୍ୟାଙ୍କ ଆକାଉଣ୍ଟରେ ୧.୬କୋଟି ଟଙ୍କା, ୫୭ ଲକ୍ଷ ୭୨ ହଜାର ଟଙ୍କାର ବୀମା, ଗାଡ଼ି ଆଦି ଠାବ କରାଯାଇଥିଲା। ଠାବ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୫କୋଟି ଟଙ୍କା ହେବ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର