ଦୁଇ ନବାଗତଙ୍କ ସହ ଲଢ଼ିବେ ପ୍ରତାପ: ପ୍ରଥମ ଥର ପାଇଁ ମହିଳା ପ୍ରାର୍ଥୀ ଦେଇଛି ବିଜେଡି

ପୁରୁଣା ନେତାଙ୍କୁ ବିଜେପିର ଭରସା, ନୂଆମୁହଁ ସହ ନିର୍ବାଚନକୁ ଓହ୍ଲାଇଛି କଂଗ୍ରେସ

ଅନୁଗୁଳ: ସଂଯୁକ୍ତା ସିଂହଙ୍କୁ ବିଜେଡି ଅନୁଗୁଳ ଆସନ ପାଇଁ ପ୍ରାର୍ଥୀ କରିବା ପରେ ଏହି ଆସନରେ ଲଢ଼େଇର ରୂପରେଖ ଚୂଡ଼ାନ୍ତ ହୋଇଛି। ପ୍ରଥମଥର ପାଇଁ ବିଜେଡି ମହିଳା ପ୍ରାର୍ଥୀ ଦେଇଥିଲା ବେଳେ କଂଗ୍ରେସ ବି ଅମ୍ବିକା ଭଟ୍ଟଙ୍କୁ ଟିକେଟ ଦେଇ ନୂଆମୁହଁ ସହ ନିର୍ବାଚନକୁ ଓହ୍ଲାଇଛି। ତେବେ ଗତ ଦୁଇ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିବା ପ୍ରତାପ ପ୍ରଧାନଙ୍କୁ ପୁଣି ଭରସା କରିଛି ବିଜେପି। ଦୁଇ ନବାଗତ ନେତାଙ୍କ ସହ ଲଢ଼ି ଅଭିଜ୍ଞ ପ୍ରତାପ ପ୍ରଥମ ବିଜୟ ଆଶାରେ ରହିଥିଲା ବେଳେ ବିଜେଡି ଦୁର୍ଗ ଦଖଲ ତାଙ୍କ ପାଇଁ ତାଙ୍କୁ କଡ଼ା କସରତ କରିବାକୁ ପଡ଼ିବ।

ବିଜେଡି ଗଠନ ପରଠାରୁ ଅନୁଗୁଳ ବିଧାନସଭା କ୍ଷେତ୍ରରେ କେବେ ହାରିନି। ୨୦୦୦ରେ ଏଠାରେ ଅଦ୍ବୈତ ପ୍ରସାଦ ସିଂହ ବିଜୟୀ ହୋଇଥିଲା ବେଳେ ୨୦୦୪ରୁ କ୍ରମାଗତ ଭାବେ ତାଙ୍କ ପୁଅ ରଜନୀକାନ୍ତ ସିଂହ ଏଠାରୁ ଜିତି ଆସୁଛନ୍ତି। ହେଲେ କ୍ରମାଗତ ଭାବେ ତାଙ୍କ ଭୋଟ ହାର କମିବା ବିଜେଡି ଶିବିରକୁ ଚିନ୍ତାରେ ପକାଇଥିଲା। ଏଥିପାଇଁ ଦଳ ଏଥର ନୂଆ ଚାଲ୍‌ ଖେଳିଛି। ମହିଳା ଭୋଟ୍‌ ହାସଲ ସହ ଅଧିକ ସମର୍ଥନ ଆଶାରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି। ଏହାଫଳରେ ଦଳ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ଲକ୍ଷ୍ୟରେ ରହିଛି। ପ୍ରଥମେ ସିଂହ ପରିବାରର ବୋହୂଙ୍କ ଟିକେଟ ଦେଇ ପୁରୁଣା ଭୋଟ୍‌କୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଛି। ଦ୍ବିତୀୟରେ ନୂଆମୁହଁ ଭାବେ ମହିଳାଙ୍କୁ ପ୍ରାର୍ଥୀ କରି ବିଧାୟକ ବିରୋଧୀଙ୍କୁ ଚୁପ୍‌ କରିବାରେ ସଫଳ ‌ହୋଇଛି। ତେବେ ଦଳର ସବୁଗୋଷ୍ଠୀଙ୍କୁ ସାଙ୍ଗରେ ନେଇ ଆଗକୁ ଯିବା ସଂଯୁକ୍ତାଙ୍କ ଆଗରେ ଆହ୍ବାନ ପାଲଟିବ। ବିଜେଡି ଭୋଟ ଭାଗ ନ ହେଲେ ସଂଯୁକ୍ତାଙ୍କ ପାଇଁ ସହଜ ହେବ ବିଜୟ।

ଅନ୍ୟପକ୍ଷରେ, ବିଜେଡି ପାଇଁ ଦଳବିରୋଧୀ କାର୍ଯ୍ୟ ମୁଣ୍ଡବ୍ୟଥା ସାଜିଥିଲା ବେଳେ ଏଥିରୁ ଫାଇଦା ଉଠାଇବା ପାଇଁ ଆଗୁଆ ପ୍ରସ୍ତୁତି ଚଳାଇଛନ୍ତି ବିଜେପି ପ୍ରାର୍ଥୀ ପ୍ରତାପ ପ୍ରଧାନ। ଶ୍ରୀ ପ୍ରଧାନଙ୍କର ନିଜସ୍ବ ସଂଗଠନ ଥିଲାବେଳେ ୨୦୧୯ ନିର୍ବାଚନ ପୂର୍ବରୁ ସେ ବିଜେପିରେ ମିଶି ଦଳର ଭୋଟହାରକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିଥିଲେ। ବିଜେପି ୮,୮୨୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ ମଧ୍ୟ ଏହାପରେ ଚୁପ୍‌ ବସିନାହାନ୍ତି ପ୍ରତାପ। ପ୍ରତି ଗାଁରେ ପହଞ୍ଚିବା ସହ ବିଜେପିର ସଂଗଠନକୁ ମଜଭୁତ କରିବାରେ ଲାଗିଛନ୍ତି। ପୁଣି ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପାଇଁ ବିଜେପିର ଶକ୍ତିବୃଦ୍ଧି ହୋଇଛି। ଆଜି ପର୍ଯ୍ୟନ୍ତ ଅନୁଗୁଳରେ କେବେ ଜିତି ନ ଥିବା ବିଜେପି ପ୍ରଥମ ବିଜୟ ପାଇଁ ଦିନରାତି ଏକ୍‌ କରିଦେଇଥିବା ଦଳୀୟ ମହଲରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର