ଭୁବନେଶ୍ୱର : ପ୍ରଖ୍ୟାତ କଥାଶିଳ୍ପୀ ପଦ୍ମଶ୍ରୀ ମନୋଜ ଦାସଙ୍କ ପତ୍ନୀ ପ୍ରତିଜ୍ଞା ଦେବୀଙ୍କର ଆଜି ରାତି ୮ଟା ୫୦ମିନିଟରେ ପଣ୍ଡିଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନାରାୟଣ ବୀରବର ସାମନ୍ତ ଓ ତାଙ୍କ ପତ୍ନୀ ରତ୍ନମାଳୀ ଜେମାଙ୍କ ସୁପୁତ୍ରୀ ପ୍ରତିଜ୍ଞା ଦେବୀ ରେଭେନ୍ସା ମହାବିଦ୍ୟାଳୟରୁ ମନୋବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ଡ. ହରେକୃଷ୍ଣ ମହତାବଙ୍କ ମଧ୍ୟସ୍ଥତାରେ ପ୍ରତିଜ୍ଞା ଦେବୀଙ୍କ ବିବାହ ସେତେବେଳେ କଟକର ଖ୍ରୀଷ୍ଟ କଲେଜର ଇଂରାଜୀ ଅଧ୍ୟାପକ ଥିବା ମନୋଜ ଦାସଙ୍କ ସହ ହୋଇଥିଲା। ତେବେ ନିଜର ଏକମାତ୍ର ପୁତ୍ରର ଅକାଳ ବିୟୋଗ ପରେ ୧୯୬୨ ମସିହାରେ ଉଭୟ ପତିପତ୍ନୀ ସବୁଦିନ ପାଇଁ ପଣ୍ଡିଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମକୁ ଚାଲି ଯାଇଥିଲେ। ସେଠାରେ ଉଭୟ ଆଧ୍ୟାତ୍ମିକ ସାଧନାରେ ନିଜକୁ ନିୟୋଜିତ କରିବା ସହ ଶ୍ରୀ ଅରବିନ୍ଦ ଅନ୍ତର୍ଜାତୀୟ ଶିକ୍ଷା କେନ୍ଦ୍ରରେ ଆଧ୍ୟାପନା ମଧ୍ୟ କରିଥିଲେ। ପ୍ରତିଜ୍ଞା ଦେବୀ ଜଣେ ନିରବ ସାରସ୍ୱତ ସାଧିକା ମଧ୍ୟ ଥିଲେ। ତାଙ୍କ ଜୀବନକାଳ ମଧ୍ୟରେ ସେ ବହୁ ପୁସ୍ତକ ରଚନା କରିବା ସହ ଶ୍ରୀ ଅରବିନ୍ଦ ଓ ଶ୍ରୀ ମା’ଙ୍କର ବିଭିନ୍ନ ଲେଖାର ଓଡ଼ିଆ ଅନୁବାଦ ମଧ୍ୟ କରିଥିଲେ।
ଆଜି ତାଙ୍କର ମୃତ୍ୟୁ ଖବର ପ୍ରଚାର ହେବା ପରେ ଶ୍ରୀ ଅରବିନ୍ଦ ଆଶ୍ରମର ବହୁ କର୍ମକର୍ତ୍ତା ଓ ସାଧକସାଧିକା ତାଙ୍କୁ ଶେଷଦର୍ଶନ କରିବା ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/pratgyan-devi.jpg)