ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କଲେ ପ୍ରତିଭା ମହାରଥୀ

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଖୁବ୍ ଶୀଘ୍ର ତାରିଖ ଘୋଷଣା ହେବ। ଏଥି ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଦୀର୍ଘ ବର୍ଷ ଧରି ବିଜେଡିର ଗଡ଼ ହୋଇ ରହିଥିବା ପିପିଲି ଆସନରୁ ବିଜେଡିର କିଏ ପ୍ରାର୍ଥୀ ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ତିନି ଦଶନ୍ଧିରୁ ଅଧିକ ସମୟ ଧରି ପିପିଲିରେ ଅପ୍ରତିଦ୍ବନ୍ଦ୍ବୀ ନେତା ସାଜିଥିବା ପ୍ରଦୀପ ମହାରଥୀଙ୍କ ପରିବାରରୁ କିଏ ପ୍ରାର୍ଥୀ ହେବେ ନା ଆଉ କାହା ଉପରେ ଦଳର ସୁପ୍ରିମୋ ଭରସା କରିବେ, ତାହାକୁ ନେଇ ସରଗରମ ଚର୍ଚ୍ଚା ଚାଲିଛି। ଏପରିକି ମହାରଥୀଙ୍କ ପରିବାର ଭିତରେ ତାଙ୍କ ପତ୍ନୀ, ପୁଅ ଓ ଝିଅଙ୍କ ମଧ୍ୟ କିଏ ପ୍ରାର୍ଥୀ ହେବ, ତାହାକୁ ନେଇ ମଧ୍ୟ ଭିନ୍ନ ଭିନ୍ନ ଆକଳନ ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ସ୍ବର୍ଗତ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ମୁହଁ ଖୋଲିଛନ୍ତି। ନିର୍ବାଚନ ଲଢ଼ିବାକୁ ସେ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ଏକ ପ୍ରକ୍ରିୟା । କିଏ ପ୍ରାର୍ଥୀ ହେବ ସେ ନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ସୁପ୍ରିମୋ ଯାହାକୁ ଚାହିଁବେ, ମୁଁ ଗ୍ରହଣ କରିବି। ତେବେ ସୁଯୋଗ ମିଳିଲେ ମୁଁ ଖୁସି ହେବି। ମୋର ନିର୍ବାଚନ ଲଢିବାରେ କୌଣସି ସମସ୍ୟା ନାହିଁ। ସୂଚନାଯୋଗ୍ୟ ଯେ ଏଠାରୁ ୨୦୧୯ ନିର୍ବାଚନରେ ପ୍ରଦୀପ ମହାରଥୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ୧୫ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର