ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରଜପୁର ବ୍ଲକ ଅଧିନ ଭାଲୁଡୁଙ୍ଗୁରୀ ଗ୍ରାମରେ ନୂଆଁଖାଇ ଅବସରରେ ରଂଗାରଂଗ ସାଂସ୍କୃତିକ କାର୍ଯ୍ୟକ୍ରମ ‘ପ୍ରତିଭା’ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀମାନେ ନୃତ୍ୟ ଓ ସଂଗୀତ ମାଧ୍ୟମରେ ନିଜର ପ୍ରତିଭା ଦେଖାଇଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବୀରମହାରାଜପୁର ଜୋନ୍‌-୨ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚନ୍ଦ୍ରକାନ୍ତୀ ଦନ୍ତା ମୁଖ୍ୟ ଅତିଥି ଥିଲେ। ସେ କହିଥିଲେ ଯେ, ନୂଆଁଖାଇ ପଶ୍ଚିମ ଓଡ଼ିଶାର ପର୍ବ। ଆମମାନଙ୍କ ମଧ୍ୟରେ ଏକତା ସୂତ୍ରରେ ବାନ୍ଧି ରଖିବାରେ ଏହି ପର୍ବ ସମସ୍ତ ଲୋକଙ୍କ ପାଇଁ ବହୁତ ମହାନ, ଯେଉଁଥି ପାଇଁ ଆମେ ଆଜି ଏକତ୍ର ହୋଇଛେ।

Advertisment

publive-image

ଶିକ୍ଷାବିତ୍‌ ତଥା କାର୍ଯ୍ୟକ୍ରମର ମୁଖ୍ୟବକ୍ତା ପ୍ରାଣବନ୍ଧୁ ସାହୁ କହିଥିଲେ ଯେ, ନୂଆଁଖାଇର ସୃଷ୍ଟି ଓ ଏହା କାହିଁକି ସାରା ପଶ୍ଚିମ ଓଡ଼ିଶାକୁ ଏକତ୍ର କରିପାରିଲା, ସାରା ପୃଥିବୀକୁ ଆଶ୍ଚର୍ଯ୍ୟ କରିଦେଇଛି। ଏସଂକ୍ରାନ୍ତରେ ଆଲୋଚନା କଲେ ଦୀର୍ଘ ସମୟ ଲାଗିବ। ନୂଆଁଖାଇ ଏକ କୃଷିଭିତ୍ତିକ ପର୍ବ। ମଣିଷ ଯେତେ‌ବେଳେ ସୃଷ୍ଟି ହେଲା, ବିଜ୍ଞାନ ମତରେ ହେଉ ବା ପୌରାଣିକ ମତ ଅନୁସାରେ ମଣିଷ ସର୍ବ ପ୍ରଥମେ ଏକାଠି ହୋଇ ରହିବାକୁ ଚିନ୍ତା କରିଥିଲେ। ଏକା‌ଠି ରହିବାକୁ ଭ୍ରମ ସୃଷ୍ଟି ହେଲା। ପରବର୍ତ୍ତୀ ସମୟରେ ମନୁଷ୍ୟମାନେ ଗୋଷ୍ଠୀରେ ରହିଲେ। ମନ୍ଦିର ନିର୍ମାଣ ହେଲା। ମନ୍ଦିରରେ ଦେବାଦେବୀ ସ୍ଥାନ ପାଇଲେ। ପ୍ରକୃତିରୁ ସୃଷ୍ଟି ଖାଦ୍ୟକୁ ଭକ୍ଷଣ କଲା। ପ୍ରକୃତିରୁ ମନୁଷ୍ୟ ଅନେକପ୍ରକାରର ଖାଦ୍ୟ ପାଇଥାଏ। ଆମେ ଯଦିଓ ଅନେକ ପ୍ରକାରର ଖାଦ୍ୟ ଖାଇଥାଉ, ତଥାପି ସେଥିରୁ ଶ୍ରେଷ୍ଠ ଖାଦ୍ୟ ହେଉଛି ଭାତ। ଏହା ଯେଉଁ ଶସ୍ୟରୁ ତିଆରି ହୋଇଥାଏ, ତାହା ହେଉଛି ଚାଉଳ ବା ଧାନ। ଚାଉଳର ପୂର୍ବାବସ୍ଥା ହେଉଛି ଧାନ। ସେହି ଧାନକୁ ଆମେ ଶ୍ରୀଅନ୍ନ ବା ମହାଲକ୍ଷ୍ମୀ କହିଥାଉ। ଏହି ଭାତକୁ ଭକ୍ଷଣ କରିବା ପୂର୍ବରୁ ମା’ଲକ୍ଷ୍ମୀଙ୍କୁ ପ୍ରଣାମ କରିଥାଉ। ଯେହେତୁ ମଣିଷକୁ ବଞ୍ଚାଇବାର ଶ୍ରେଷ୍ଠ ଖାଦ୍ୟ ଭାତ ଥିଲା, ଏହାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆମ ହିନ୍ଦୁମାନେ ଦେବତାଙ୍କୁ ଅର୍ପଣ କରିବା ପାଇଁ ଯେଉଁ ପରଂପରା ସୃଷ୍ଟି କଲେ, ତାହା ହେଉଛି ନବାନ୍ନ। ନୂଆଁ ଅନ୍ନ ପ୍ରଥମେ ନିଜେ ଭକ୍ଷଣ କରିବା ପୂର୍ବରୁ ଭଗବାନଙ୍କୁ ସମର୍ପଣ କରିବାର ଏହା ପରଂପରା ରହି ଆସିଛି। ନୂଆଁଖାଇ ତିଥିରେ ଏହି କାମ କରାଯାଉଥିବାରୁ ଏହାର ଗୁରୁତ୍ବ ‌ଅଧିକ ରହୁଛି।

ସମାରୋହର ସମ୍ମାନିତ ଅତିଥି ରବୀନ୍ଦ୍ର ମାଝୀ କହିଥିଲେ, ନୂଆଁଖାଇ ଏକ ଭାଇଚାରାର ପର୍ବ। ଏକ ସାମାଜିକ ସ୍ନେହ, ସଦ୍‌ଭାବନାର ପର୍ବ। ଏହି ନୂଆଁଖାଇ ଆମକୁ ଏକତା ସୂତ୍ରରେ ବାନ୍ଧି ରଖିଛି। ଗଣେଶ ପୂଜା କମିଟିର ସଂପାଦକ ଗିରିଧାରୀ ମଲ୍ଲିକ ମଂଚାସୀନ ଥିଲେ।

ଏହି ଅବସରରେ ଚିତ୍ରାଙ୍କନ, ସାଧାରଣଜ୍ଞାନ, ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ‌ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପିଲାମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ସେହିପରି ରବୀନ୍ଦ୍ର ମାଝୀଙ୍କୁ ମାନପତ୍ର ସହିତ ସମ୍ମାନିତ କରାଯାଇଥିଲା। ଫିରୋଜ ସାହୁ, ସୁବ୍ରତ ସାହୁ, ଗୋପୀନାଥ ସାହୁ, ବିଦ୍ୟାଧର ସାହୁ ମଂଚ ପରିଚାଳନା କରିଥିଲେ। ଶେଷର ମହେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଗଣେଶ ମୂର୍ତ୍ତି ବିସର୍ଜନ

ଗଣେଶ ପୂଜା କମିଟିର ସଦସ୍ୟମାନେ ଗୁରୁବାର ଦିନ ବିଦ୍ୟାଦାତା ‌ଗଣେଶଙ୍କ ମୂର୍ତ୍ତି ଗାଁ ନିକଟ ଜଳାଶୟରେ ବିସର୍ଜନ କରିଛନ୍ତି। ଡିଜେର ତାଳେ ତାଳେ ପୂଜା କମିଟିର ସଦସ୍ୟମାନେ ରଂଗ ଖେଳି ଓ ବାଣ ଫୁଟାଇ ପ୍ରଭୁ ଗଣେଶଙ୍କୁ ବିଦାୟ ଦେଇଛନ୍ତି।