ୱେବ୍ ସାଇଟ୍‌ରେ ପ୍ରତିଭା ରାୟଙ୍କ ଉପନ୍ୟାସ ମାମଲା : ଅଡ଼ୁଆରେ କମିସନରେଟ୍‌ ପୁଲିସ

ଖଣ୍ଡଗିରି : ଜ୍ଞାନପୀଠ ଓ ମୂର୍ତ୍ତି ଦେବୀ ପୁରସ୍କାର ବିଜୟିନୀ ଲେଖିକା ପ୍ରତିଭା ରାୟଙ୍କ ଉପନ୍ୟାସଗୁଡ଼ିକୁ ୱେବସାଇଟ୍‌ରେ ଅପଲୋଡ୍‌ କରାଯାଇଥିବା ମାମଲାକୁ ନେଇ କମିସନରେଟ୍‌ ପୁଲିସ ଅଡ଼ୁଆରେ ପଡ଼ିଛି। କପି ରାଇଟ୍‌ ଆକ୍ଟର ଉଲ୍ଲଘଂନ ହୋଇଥିବା ନେଇ ଲେଖିକା ଶ୍ରୀମତୀ ରାୟଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ଏବେ ପୁଲିସର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି। ପୁଲିସ ଅଭିଯୋଗ ଗ୍ରହଣ କରି ସାରିଥିଲେ ହେଁ ୱେବସାଇଟ୍‌ରେ ଅପଲୋଡ୍‌ କରିଥିବା ଓଡ଼ିଆ ବିଭବ ସଂସ୍ଥା ନାମରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ତାହା ସ୍ଥିର କରିପାରିନାହିଁ। ପୁଲିସ ପାଇଁ ମାମଲାଟି ବଡ଼ ଜଟିଳ ସମସ୍ୟା ସୃଷ୍ଟି କରିଥିବା ସୂଚନା ମିଳିଛି।

ଖଣ୍ଡଗିରି ଥାନା ଆଇଆଇସି ହିମାଂଶୁ ଭୂଷଣ ସ୍ବାଇଁଙ୍କ କହିବା କଥା ମାମଲା ରୁଜୁ ହେବା ପରେ କପି ରାଇଟ୍‌ ଆକ୍ଟକୁ ନେଇ ଛାନ୍‌ଭିନ୍ ଚାଲିଛି। ପ୍ରଥମତଃ ଉକ୍ତ ୱେବ ସାଇଟ୍‌ରେ କେତେ ବହି ଅପଲୋଡ୍ ହୋଇଛି ତାହା ତଦନ୍ତ ସାପେକ୍ଷ। ସେହିଭଳି ଅପଲୋଡ୍‌ ହୋଇଥିବା ବହିଗୁଡ଼ିକ ଲେଖିକା ଶ୍ରୀମତୀ ରାୟଙ୍କ ନାଁରେ ରହିଥିବା ଜଣାପଡ଼ିଛି। କୌଣସି ବହିରେ ଲେଖିକାଙ୍କ ନାମ ପରିବର୍ତ୍ତନ କରାଯାଇନାହିଁ। ତେଣୁ କପି ରାଇଟ୍‌ର କେଉଁ ଧାରା ବଳରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ବାବଦରେ ପୁଙ୍ଖାନୁପୁଙ୍ଖ ଖୋଳତାଡ୍‌ ଚାଲିଛି। ପୁଣି ଅପ୍‌ଲୋଡ୍‌ ହୋଇଥିବା କିଛି ବହି ଏବେ ଉକ୍ତ ୱେବସାଇଟ୍‌ରେ ଆଉ ଉପଲବ୍‌ଧ ହେଉନାହିଁ ବୋଲି ଜଣାପଡ଼ିଛି। ବୋଧହୁଏ ତାହାକୁ ଅଭିଯୁକ୍ତ ସଂସ୍ଥା ବ୍ଲକ୍‌ କରି ଦେଇଛି ବୋଲି ସନ୍ଦେହ କରାଯାଉଛି। ତେବେ ଖୁବ୍‌ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଖଣ୍ଡଗିରି ଜାଗମରାସ୍ଥିତ ଓଡ଼ିଆ ବିଭବ ନାମକ ଏକ ସଂସ୍ଥା ନିଜର ୱେବସାଇଟ୍‌ ‘ସୃଜନିକା’ରେ ଶ୍ରୀମତୀ ରାୟଙ୍କ ବହୁ ପ୍ରସିଦ୍ଧ ତଥା ପୁରସ୍କାରପ୍ରାପ୍ତ ଉପନ୍ୟାସଗୁଡ଼ିକୁ ଅପ୍‌ଲୋଡ୍‌ କରିଛି। ଫଳରେ ଶ୍ରୀମତୀ ରାୟଙ୍କ ପ୍ରକାଶନୀ ସଂସ୍ଥା ‘ଆଦ୍ୟ ପ୍ରକାଶନୀ’ ବିପୁଳ କ୍ଷତି ସହିଛି। ‌୨୦୧୨ ମସିହାରୁ ଓଡ଼ଆ ବିଭବ ଏଭଳି କରି ଚାଲିଥିବାରୁ ତାଙ୍କର ପ୍ରା‌ୟ ୨୦ ଲକ୍ଷ ଟଙ୍କା କ୍ଷତି ହୋଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି। କେବଳ ସେତିକି ନୁହେଁ, ଏଥିପାଇଁ ସେ ଘୋର ମାନସିକ ବ୍ୟଥା ପାଇଛନ୍ତି ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ତେଣୁ ସଂସ୍ଥାର ମାଲିକ ନିଖିଳ ମୋହନ ପଟ୍ଟନାୟକଙ୍କ ବିରୋଧରେ କପି ରାଇଟ୍‌ ଆକ୍ଟ ବଳରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ ଯେ ଥାନାର ଦ୍ବାରସ୍ଥ ହେବା ପୂର୍ବରୁ ସେ ନିଖିଳ ମୋହନଙ୍କୁ ଓକିଲ ନୋଟିସ୍ କରିଥିଲେ ଓ କୌଣସି ସନ୍ତୋଷଜନକ ଜବାବ ନ ପାଇ ପୁଲିସ କେସ୍‌ କରିଛନ୍ତି।

ସମ୍ବନ୍ଧିତ ଖବର