ବାଙ୍ଗାଲୋର: ଆପଣ ଅଙ୍ଗଦାନ କରିବାକୁ ଚାଁହୁଛନ୍ତି କି ? ଆପଣଙ୍କ ଆଖିରେ ଆଉ କେହି ଦୁନିଆ ଦେଖିବାକୁ ଚାଁହୁଛନ୍ତି କି ? କାହାକୁ ଯୋଗାଯୋଗ କରିବେ ? କେମିତି ଜାଣିବେ ଆପଣଙ୍କ ଅଙ୍ଗ ତାଙ୍କ ଶରୀରରେ ଲାଗିଛି ନା ନାହିଁ ? ଏ ସବୁ ଦ୍ଵନ୍ଦର ସମାଧାନ କରିବାକୁ ଏବେ ଅଣ୍ଟା ଭିଡିଛନ୍ତି ଓଡ଼ିଆ ପୁଅ ପ୍ରତୀକ ମହାପାତ୍ର | 'ଅର୍ଗନ ସିକ୍ୟୋର' ନାମକ ଆପ ପ୍ରସ୍ତୁତ କରିଛନ୍ତି, ଯାହାକି କେବଳ ଓଡିଶା କିମ୍ବା ଭାରତ ନୁହଁ ବରଂ ସମଗ୍ର ବିଶ୍ୱରେ ଅଙ୍ଗଦାନ ପ୍ରକ୍ରିୟାକୁ ସରଳ କରିଦେବ |
ଅଙ୍ଗଦାନ ସମସ୍ୟା ବାବଦରେ ଜାଣିବା ପରେ ଏଭଳି ଏକ ଆପ ପ୍ରସ୍ତୁତ କରିବା ମୋ ମୁଣ୍ଡକୁ ଆସିଥିଲା | ଏହି ଆପ ଲୋକଙ୍କୁ ଅଙ୍ଗଦାନ ପାଇଁ ସାହାଯ୍ୟ କରିପାରିବ: ପ୍ରତୀକ
ଭୁବନେଶ୍ୱର ଶହୀଦନଗରରେ ଜନ୍ମଗ୍ରହଣ କରିଥିବା ପ୍ରତୀକ ଏବେ ବାଙ୍ଗାଲୋରରେ ଇଂଜିନିୟରିଂ ପଢ଼ୁଥିବାବେଳେ ମାଇକ୍ରୋସଫ୍ଟର ଗୁଡ ଆଇଡିଆ ଚ୍ୟାଲେଞ୍ଜ ୨୦୧୯ ପ୍ରତିଯୋଗିତାରେ ଭାଗ ନେଇଥିଲେ | ଥରେ ଟିଭି ଶୋ ଦେଖି ଭାରତରେ ଅଙ୍ଗଦାନ ସମସ୍ୟା ବାବଦରେ ଜାଣିପାରିଥିଲେ | ଏହାପରେ ଦିନରାତି ଉଜାଗର ରହି ଏହି ଆପ ପ୍ରସ୍ତୁତ କରିଥିଲେ | ଏହାପରେ ପ୍ରତିଯୋଗିତାରେ ନିଜ ଆପକୁ ସ୍ଥାନିତ କରିଥିଲେ |
ସାଧାରଣ ଲୋକଙ୍କ ଜୀବନ ସହ ଜଡିତ ଏହି ଆପକୁ ମାଇକ୍ରୋସଫ୍ଟ ପକ୍ଷରୁ ଢେର ପ୍ରଶଂସା କରାଯାଇଥିଲା | ସାରା ବିଶ୍ୱରେ ତୃତୀୟ ସ୍ଥାନ ସହ ଭାରତରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ପ୍ରତୀକ | ପୁରସ୍କାର ବାବଦକୁ ପ୍ରତୀକଙ୍କୁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି | ବର୍ତ୍ତମାନ ମାଇକ୍ରୋସଫ୍ଟରେ ଟ୍ରେନିଂ ସାରିଥିବାବେଳେ ଖୁବଶୀଘ୍ର ଏହି କମ୍ପାନୀରେ ଯୋଗଦେବେ ବୋଲି ପ୍ରତୀକ ଫୋନ ଯୋଗେ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି |